Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Mamata Banerjee : ହାଇକୋର୍ଟଙ୍କ ନିୟମ ଭାଙ୍ଗିବା ପଡ଼ିଲା ମହଙ୍ଗା , ମମତା ବାନାର୍ଜୀ ଓ TMC ନେତାଙ୍କ ନାଁରେ FIR ରୁଜୁ

Mamata Banerjee : ହାଇକୋର୍ଟଙ୍କ ନିୟମ ଭାଙ୍ଗିବା ପଡ଼ିଲା ମହଙ୍ଗା , ମମତା ବାନାର୍ଜୀ ଓ TMC ନେତାଙ୍କ ନାଁରେ FIR ରୁଜୁ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ମାମଲା କୋର୍ଟରେ ପହଞ୍ଚିଛି । କୋଲକାତାରେ ତୃଣମୂଳ କଂଗ୍ରେସର ଛାତ୍ର ସଂଗଠନର କାର୍ଯ୍ୟକ୍ରମ ପରେ ମମତା ବାନାର୍ଜୀ ଏବଂ କାର୍ଯ୍ୟକ୍ରମର ଆୟୋଜକମାନଙ୍କ ବିରୋଧରେ FIR ରୁଜୁ ହୋଇଛି । ପୁଲିସର ଅଭିଯୋଗ ମୁତାବକ , ଅଗଷ୍ଟ ୨୮ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇ ଥିବା ସର୍ତ୍ତ ଗୁଡ଼ିକର ପାଳନ କରାଯାଇ ନାହିଁ।

ହାଇକୋର୍ଟ କ୍ୟାଥେଡ୍ରାଲ୍ ରୋଡରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ରାସ୍ତାର ଗୋଟିଏ ପାର୍ଶ୍ୱ ଗାଡ଼ି ଚଳାଚଳ ପାଇଁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇ ଥିଲେ । ପୁଲିସର କହିବାନୁସାରେ,କାର୍ଯ୍ୟକ୍ରମ ସମୟରେ ଏହି ସର୍ତ୍ତ ଭଙ୍ଗ ହୋଇଥିଲା। ଏହା ପରେ ହେଷ୍ଟିଂସ୍ ପୁଲିସ ଷ୍ଟେସନରେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି।

ଉକ୍ତ ମାମଲା କେବଳ ରାସ୍ତାର ଗୋଟିଏ ପାର୍ଶ୍ୱ ବନ୍ଦ ହେବା ମଧ୍ୟରେ ସୀମିତ ନାହିଁ । ପୁଲିସ ଅଭିଯୋଗ କରିଛି ଯେ,କାର୍ଯ୍ୟକ୍ରମ ବେଳେ କିଛି TMC ସମର୍ଥକ ବ୍ୟାରିକେଡ୍ ହଟାଇ ଦେଇ ଥିଲେ, ପୁଲିସ କର୍ମଚାରୀଙ୍କ ସହ ଠେଲା ପେଲା ହୋଇଥିଲା ଏବଂ କ୍ୟାଥେଡ୍ରାଲ୍ ରୋଡରେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା। କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସମୟ ସୀମା ଶେଷ ହେବା ପରେ ମଧ୍ୟ କାର୍ଯ୍ୟକ୍ରମ ଚାଲିଥିବା ନେଇ ଏତଲାରେ ଦର୍ଶାଯାଇଛି। ଏହି FIR ରେ ମମତା ବାନାର୍ଜୀଙ୍କ ବ୍ୟତୀତ କାର୍ଯ୍ୟକ୍ରମର ଆୟୋଜକ ଏବଂ ନିୟମ ଉଲ୍ଲଂଘନ କରିଥିବା ଅନ୍ୟ ଲୋକଙ୍କ ଭୂମିକାର ଯାଞ୍ଚ କରାଯିବ । ପୁଲିସ ଭାରତୀୟ ନ୍ୟାୟ ସଂହିତା (BNS) ର କେତେକ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

ହାଇକୋର୍ଟ କ'ଣ ସର୍ତ୍ତ ରଖି ଥିଲେ?

କୋଲାକାତା ହାଇକୋର୍ଟ TMC ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ଅଗଷ୍ଟ ୨୮ ରେ କ୍ୟାଥେଡ୍ରାଲ୍ ରୋଡରେ ସଭା କରିବାକୁ ଅନୁମତି ଦେଇଥିଲେ। ତେବେ ରାସ୍ତାର ଗୋଟିଏ ପାର୍ଶ୍ୱ ଖୋଲା ରଖିବାକୁ ଅଦାଲତ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ, ଯେପରି ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ନ ହୁଏ। କାର୍ଯ୍ୟକ୍ରମ ପାଇଁ କୋଲକାତା ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ପୁଲିସର କହିବା କଥା ହେଲା ଯେ,ଘଟଣାସ୍ଥଳରେ ହାଇକୋର୍ଟଙ୍କ ଧାର୍ଯ୍ୟ ସର୍ତ୍ତ ଗୁଡ଼ିକର ପାଳନ ହୋଇନାହିଁ।

କାର୍ଯ୍ୟକ୍ରମ ସମୟରେ ବହୁ ସଂଖ୍ୟାରେ TMC ସମର୍ଥକ ଓ ଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଭିଡ଼ ବୃଦ୍ଧି ପାଇବା ସହପୁଲିସ ଲଗାଇ ଥିବା ବ୍ୟାରିକେଡକୁ ହଟାଇ ଦିଆଯାଇ ଥିବା ଅଭିଯୋଗ ହୋଇଛି। ଏହା ପରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି।

କୋଲକାତା ପୁଲିସ ହେଷ୍ଟିଂସ୍ ପୁଲିସ ଷ୍ଟେସନରେ ରୁଜୁ କରିଥିବା FIR ରେ BNS ର ଧାରା ୬୧(୨), ୨୨୩, ୧୨୫(ଏ), ୧୩୨ ଏବଂ ୨୮୫ ଲଗାଇଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, କୋର୍ଟଙ୍କ ଆଦେଶର ଉଲ୍ଲଂଘନକୁ ନେଇ ଏହି ମାମଲା ରୁଜୁ କରାଯାଇଛି। ତଦନ୍ତ ସମୟରେ ନିୟମ ଭାଙ୍ଗିବାରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ ଭୂମିକାର ଯାଞ୍ଚ କରାଯିବ।

ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ଚାଲିଥିଲା କି କାର୍ଯ୍ୟକ୍ରମ?

ପୁଲିସର ଏତଲାରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଅଣାଯାଇଛି। ଏହା ଅନୁସାରେ, ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ଶେଷ ହେବା ପରେ ମଧ୍ୟ ସଭା ଜାରି ରହିଥିଲା। ପୁଲିସ ଏବେ କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂ, ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀଙ୍କ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ କୋର୍ଟଙ୍କ ସର୍ତ୍ତର କେତେ ପାଳନ ହୋଇଥିଲା, ତାହାର ତଦନ୍ତ କରିବ।

ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ଚିତ୍ର

FIR ରୁଜୁ ହେବା ପରେ ବର୍ତ୍ତମାନ ମାମଲା ତଦନ୍ତ ପରିସରଭୁକ୍ତ ରହିଛି। ପୁଲିସ କହିଛି ଯେ,ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ଭୂମିକାର ତଦନ୍ତ କରାଯିବ। FIR ରୁଜୁ ହେବା ନିଜେ ଅପରାଧ ପ୍ରମାଣିତ ହେବାକୁ ବୁଝାଏ ନାହିଁ । କାର୍ଯ୍ୟକ୍ରମ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ କେଉଁ ସ୍ତରରେ ଉଲ୍ଲଂଘନ ହୋଇ ଥିଲା ଏବଂ ଏଥିପାଇଁ କିଏ ଦାୟୀ, ତାହା ତଦନ୍ତକାରୀ ସଂସ୍ଥା ନିର୍ଦ୍ଧାରଣ କରିବେ ।

ଆହୁରି ମଧ୍ୟ ପଢନ୍ତୁ - ମୋଦି ସରକାର ଦେଉଛନ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ କାର୍ଡ : କାହାକୁ ଓ କିପରି ମିଳିବ ଏହାର ଫାଇଦା ? ଜାଣନ୍ତୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia