ହୋମ
ମାରାଡୋନାଙ୍କ ୬ ଫୁଟ୍ର କେକ୍, କିମ୍ବଦନ୍ତୀ ଫୁଟବଲରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବେକରି ଦୋକାନ

ତାମିଲନାଡୁ ୨୮/୧୨: ଗତ ମାସରେ କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ପରଲୋକ ହୋଇଥିଲା । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାମିଲନାଡୁର ରାମନ୍ଥାପୁରମ୍ସ୍ଥିତ ଏକ ବେକରି ଦୋକାନର ମାଲିକ ଶନିବାର ୬ ଫୁଟ୍ର ଏକ କେକ୍ ପ୍ରସ୍ତୁତ କରିଛନ୍ତି । କେକ୍ଟି ମାରାଡୋନାଙ୍କର ଅବିକଳ ପ୍ରତିକୃତି । ବେକରି ଦୋକାନ ବାହାରେ ଏକ ଟେବଲ ଉପରେ କେକ୍ଟିକୁ ପ୍ରଦର୍ଶିତ କରାଯାଇଛି । ଲୋକେ ଏହାକୁ ଉଚ୍ଛ୍ୱସିତ ପ୍ରଶଂସା କରୁଛନ୍ତି ।

ଏ ସଂପର୍କରେ ବେକରିର ଜଣେ କର୍ମଚାରୀ କହିଛନ୍ତି, 'ପ୍ରତିବର୍ଷ କ୍ରିସ୍ମାସ ଏବଂ ନୂଆବର୍ଷ ଉପଲକ୍ଷେ କେକ୍ ପ୍ରସ୍ତୁତି ସମୟରେ ଆମେ ସେଲିବ୍ରିଟିମାନଙ୍କର ପ୍ରତିକୃତି ତିଆରି କରିଥାଉ । ତାକୁ ସମସ୍ତେ ଦେଖିବା ଭଳି ଦୋକାନ ବାହାରେ ସଜାଯାଇଥାଏ । ବିଗତ କିଛି ବର୍ଷ ମଧ୍ୟରେ ଆମେ ଇଲୟାରାଜା, ଅବଦୁଲ କଲାମଙ୍କ ପରି ପ୍ରସିଦ୍ଧ ସେଲିବ୍ରିଟିଙ୍କର ପ୍ରତିକୃତି ବନାଇଥିଲୁ । ଏଥରକ ନିକଟରେ ପରଲୋକଗତ ହୋଇଥିବା ମହାନ୍ ଖେଳାଳି ମାରାଡୋନାଙ୍କର ପ୍ରତିକୃତି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟର ବଦଳରେ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବା ଆମର ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ । ଏହି କେକ୍କୁ ପ୍ରସ୍ତୁତ କରିବା ଲାଗି ଆମକୁ ୪ ଦିନ ସମୟ ଲାଗିଛି । ଏଥିପାଇଁ ୬୦ କେଜି ଚିନି ଓ ୨୭୦ଟି ଅଣ୍ଡା ବ୍ୟବହାର କରାଯାଇଛି ।'