ନୂଆଦିଳ୍ଳୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓକୁ ଫେସବୁକରୁ ଅସ୍ଥାୟୀ ଭାବରେ ହଟାଇବା ପ୍ରସଙ୍ଗରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଛି ମେଟା। ସଂସଦର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ସମ୍ପର୍କିତ ସ୍ଥାୟୀ କମିଟିର ଏକ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ସୂତ୍ର ଅନୁସାରେ, ବିଜେପି ସାଂସଦମାନେ ଭିଡିଓ ହଟାଇବା ସମ୍ପର୍କରେ ମେଟା ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ ଏବଂ ଏଥିପାଇଁ ନିଜକୁ ଦାୟୀ କରିବାର ଦାବି କରିଥିଲେ।
ଜଣେ ବରିଷ୍ଠ ବିଜେପି ସାଂସଦ ମେଟା ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କାହିଁକି ହଟାଗଲା, କିଏ ନିଷ୍ପତ୍ତି ନେଲା ଏବଂ କଥିତ ଆପତ୍ତିଜନକ କଣ୍ଟେଣ୍ଟ ଅନଲାଇନରେ ଉପଲବ୍ଧ ହେବା ସତ୍ତ୍ୱେ ଏହି ଭିଡିଓ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ପଚାରିଥିଲେ। ସାଂସଦ ଏହା ମଧ୍ୟ ପଚାରିଥିଲେ ଯେ ଭିଡିଓ ହଟାଇବା ପାଇଁ ଚୂଡ଼ାନ୍ତ ଦାୟିତ୍ୱ କାହାର ଏବଂ ମେଟା ଦାୟୀ ଲୋକଙ୍କୁ ଚିହ୍ନଟ କରିଛି କି?
ମେଟା ପ୍ରତିନିଧିମାନେ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଜଣେ ବିଜେପି ସଦସ୍ୟ କହିଥିଲେ ଯେ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। ସେ କହିଥିଲେ ଯେ କମିଟି ଦାୟିତ୍ୱ ଚାହୁଁଛି ଏବଂ ନିଷ୍ପତ୍ତି ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହି ଆଲୋଚନା ଏପରି ଏକ ସମୟରେ ହୋଇଥିଲା ଯେତେବେଳେ ଏକ ସଂସଦୀୟ କମିଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ କଣ୍ଟେଣ୍ଟ ମଡରେସନ୍ ଏବଂ ଦାୟିତ୍ୱ ସହିତ ଜଡିତ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରୁଥିଲା। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜିସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ସୋମବାର କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ଭିଡିଓକୁ ଅସ୍ଥାୟୀ ଭାବରେ ହଟାଇବା ପାଇଁ ମେଟାର ସିଇଓ ମାର୍କ ଜୁକରବର୍ଗ ବ୍ୟକ୍ତିଗତ ଭାବରେ କ୍ଷମା ମାଗିବା ଉଚିତ। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଏହା କରିବାରେ ବିଫଳ ହୁଏ ତେବେ ସୋସିଆଲ ମିଡିଆ ଜାଏଣ୍ଟ ଏହାର ନିରାପଦ ସ୍ଥାନ ସୁରକ୍ଷା ହରାଇପାରେ।
କିଛି ଦିନ ପୂର୍ବରୁ, କେନ୍ଦ୍ର ସରକାର ମଧ୍ୟ ମେଟାର ବରିଷ୍ଠ ଅଧିକାରୀମାନଙ୍କୁ ସମନ କରିଥିଲେ ଏବଂ ଫେସବୁକରୁ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଉପରେ ସ୍ପଷ୍ଟୀକରଣ ମାଗିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟର ସଚିବ ଏସ. କ୍ରିଷ୍ଣନ ଗୁରୁବାର କହିଛନ୍ତି ଯେ ଏହି ବିଷୟରେ ମେଟାରୁ ଏକ ଉଚ୍ଚସ୍ତରୀୟ ସ୍ପଷ୍ଟୀକରଣ ମଗାଯାଇଛି। କ୍ରିଷ୍ଣନଙ୍କ ଅନୁଯାୟୀ, ମେଟା ସରକାରଙ୍କୁ ଜଣାଇଛି ଯେ ପ୍ରମୁଖ ସାର୍ବଜନୀନ ବ୍ୟକ୍ତିତ୍ୱଙ୍କ ଆକାଉଣ୍ଟ ସହିତ ଜଡିତ ଏପରି ଘଟଣା ପୁନରାବୃତ୍ତି ନହେବା ପାଇଁ ନୂତନ ପ୍ରୋଟୋକଲ ଲାଗୁ କରାଯାଇଛି।
ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ବାର୍ତ୍ତା ପ୍ରଥମେ ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ ଏବଂ ପରେ ଫେସବୁକରେ ସେୟାର ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ଭିଡିଓଟିକୁ ଫେସବୁକରେ ଅସ୍ଥାୟୀ ଭାବରେ କଟକଣା ଲଗାଇଥିଲା, କିନ୍ତୁ ପରେ ଏହା ଉପରୁ କଟକଣା ହଟାଇଥିଲା। ଏଥିପାଇଁ ମେଟା କ୍ଷମା ପ୍ରାର୍ଥନା କରି କହିଛି ଯେ ଭୁଲବଶତଃ କଣ୍ଟେଣ୍ଟକ ହଟାଇ ଦିଆଯାଇଥିଲା ଏବଂ ସେବେଠାରୁ ଏହାକୁ ପୁନଃସ୍ଥାପିତ କରାଯାଇଛି। ଏହି ଘଟଣାକୁ ଏକ ଯାନ୍ତ୍ରିକ ତ୍ରୁଟି ବୋଲି ମେଟା କହିଛି। ପ୍ରଧାନମନ୍ତ୍ରୀ ୨୩ ଜୁଲାଇ ଅଧାରାତିରେ କିଛି ସମୟ ପୂର୍ବରୁ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ ନିଟ୍-ୟୁଜି ପେପର ଲିକ୍ ନେଇ ସାରା ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ଭିତରେ ଛାତ୍ର ଓ ତାଙ୍କ ପରିବାରକୁ ନେଇ ଚିନ୍ତା ପ୍ରକାଶ କରିଥିଲେ।
ଆହୁରି ପଢନ୍ତୁ : ନାସାର DART ମିଶନ, ନା ଚୀନ୍ର ନ୍ୟୁକ୍ଲିଅର ପ୍ଲାନ... ପୃଥିବୀକୁ ଆଷ୍ଟ୍ରଏଡ୍ଠାରୁ ବଞ୍ଚାଇବାର ଭଲ ଉପାୟ କ'ଣ ?

