ଭୁବନେଶ୍ୱର,୦୧/୦୯: ଆନ୍ଦୋଳନ ଆଳରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନ୍ଲାଇନ୍ ଡ୍ରାଇଭରଙ୍କ ଆତଙ୍କରାଜ ଘଟଣାକୁ ୨ ସପ୍ତାହ ବିତିଛି । କିନ୍ତୁ ଏଯାଏଁ ଡ୍ରାଇଭରଙ୍କ ଦୁଃଖ ସରୁନି କି ସେମାନଙ୍କ ଘରେ ଚୁଲି ଜଳୁନି । ଜାମିନ୍ରେ ଜେଲ୍ରୁ ମୁକୁଳିବାକୁ ବାଟ ଖୋଜୁଥିବା ବେଳେ ପୁଲିସ ଆହୁରି ୩ଟି ମାମଲାରେ ଛନ୍ଦି ଦେଇଛି । ସେପଟେ ଅଟୋରିକ୍ସାକୁ ମୁକୁଳାଇବା ପାଇଁ ଆରଟିଓ ଅଫିସ ଚକ୍କର କାଟି ନୟାନ୍ତ ହେଲେଣି ଅନେକ ।
ଖାରବେଳନଗର ଥାନା ପୁଲିସ ଏହି ଘଟଣାରେ ମୋଟ ୭ଟି ମାମଲା ରୁଜୁ କରିଥିଲା । କିନ୍ତୁ ୧୧୪ଜଣ ଅଭିଯୁକ୍ତଙ୍କୁ ମାତ୍ର ଗୋଟିଏ ମାମଲାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଅଦାଲତରେ ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ସ୍ୱତନ୍ତ୍ର କାରାଗାରର ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଆଜି ସେମାନଙ୍କ ବିରୋଧରେ ଅନ୍ୟ ୩ଟା ମାମଲାରେ ଜୁଡିସିଆଲ୍ ରିମାଣ୍ଡ ଯୋଡ଼ାଯାଇଛି । ସେଥିରେ ଆମ ବସ୍ ଭଙ୍ଗାରୁଜା ପାଇଁ କ୍ରୁଟ୍ର ଏତଲା ସହ ଅନ୍ୟାନ୍ୟ ଅଭିଯୋଗ ରହିଛି । ଏହାପରେ ଆଗକୁ ଆହୁରି ୩ ମାମଲା ଅଛି ।
ଟ୍ରକକୁ ଧକ୍କା ପରେ କାରରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଯୁବକ
ଆର୍ଟିଓ-୧ ଅଫିସ ତଥ୍ୟ ମୁତାବକ, ଆତଙ୍କରାଜରେ ମୋଟ ୩୮୧ଟି ଅଟୋରିକ୍ସାର ସମ୍ପୃକ୍ତି ଦର୍ଶାଇଥିଲା ପରିବହନ ବିଭାଗ । ସେଥିରୁ ବୈଧ ପରିମିଟ୍ ଥିବା ୩୨୫ଜଣ ଅଟୋରିକ୍ସା ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଗଲା । ମାତ୍ର ଶହେ ଜଣ ଅଟୋରିକ୍ସା ମାଲିକ ହିଁ ଏଯାବତ୍ ଉତ୍ତର ରଖିଛନ୍ତି । ଦୂରଦୁରାନ୍ତରେ ଥିବା କିଛି ଅଟୋରିକ୍ସା ମାଲିକଙ୍କ ନିକଟରେ ଏବେ ବି ନୋଟିସ୍ ପହଞ୍ଚିନି। ଯେଉଁଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ସମସ୍ତେ ପକ୍ଷ ନ ରଖିବା ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବନି । ସମସ୍ତଙ୍କ କ୍ଷେତ୍ରରେ ଗୋଟିଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ । ପରମିଟ୍ ବାତିଲ୍ କରାଯିବ କି ସତ୍ୟପାଠ ଦାଖଲ ପରେ ଚେତାବନୀ ଦିଆଯିବ । ସେନେଇ ଜିଲ୍ଲାପାଳ (ଅଧ୍ୟକ୍ଷ) ଓ ଆରଟିଓ (ସମ୍ପାଦକ)ଙ୍କୁ ନେଇ ଗଠିତ କମିଟି ବିଚାରବିମର୍ଶ କରି ନିଷ୍ପତ୍ତି ନେବେ । ଏମିତିକି ଜିଲ୍ଲାପାଳ ମଧ୍ୟ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନର ଦାୟିତ୍ୱ ହସ୍ତାନ୍ତର କରିପାରିବେ । ଯଦି ପରମିଟ୍ ବାତିଲ କରାଯାଏ, ତେବେ ଡ୍ରାଇଭରମାନେ ଷ୍ଟେଟ୍ ଟ୍ରାନ୍ସପୋର୍ଟ ଆପିଲେଟ୍ ଟ୍ରିବୁନାଲର ଦ୍ୱାରସ୍ଥ ହୋଇପାରିବେ ।

