Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମେଟାବଲିକ ହରାଇଜନ୍-୨୦୨୬' ସମ୍ମିଳନୀ: ରାଜ୍ୟବାସୀଙ୍କୁ 'ସ୍ୱାସ୍ଥ୍ୟ ପାଇଁ ଆହ୍ୱାନ', 'ନିଜ ସହ ନିଜ ସ୍ୱାସ୍ଥ୍ୟକୁ ପ୍ରଥମେ ଭଲ ପାଅ...'

ମେଟାବଲିକ ହରାଇଜନ୍-୨୦୨୬' ସମ୍ମିଳନୀ: ରାଜ୍ୟବାସୀଙ୍କୁ 'ସ୍ୱାସ୍ଥ୍ୟ ପାଇଁ ଆହ୍ୱାନ', 'ନିଜ ସହ ନିଜ ସ୍ୱାସ୍ଥ୍ୟକୁ ପ୍ରଥମେ ଭଲ ପାଅ...'

ଭୁବନେଶ୍ୱର, ୦୨/୦୮: 'ସ୍ୱାସ୍ଥ୍ୟ ହିଁ ସମ୍ପଦ' । ଶାସ୍ତ୍ର ଖାଲି ଏକଥା କହିନାହିଁ, ଏହା ପ୍ରମାଣିତ ହୋଇସାରିଛି । ପ୍ରଥମେ ସ୍ୱାସ୍ଥ୍ୟ ପରେ ଆଉ ସବୁକିଛି । ହେଲେ ଏବେ ଗାଁରୁ ନେଇ ସହର, ସବୁର ପରିବେଶ ବିଗିଡ଼ିଯାଇଛି, ମଣିଷ ରୋଗାକ୍ରାନ୍ତ ହୋଇପଡ଼ିଛି । ଅଳ୍ପ ବୟସରୁ ମଧୁମେହ, ମେଦବହୁଳତା, ରକ୍ତଚାପ, ଗ୍ୟାସ, ଚର୍ମ ରୋଗ ଆଦି ରୋଗରେ ପୀଡ଼ିତ ହେଉଛି ।

କୃଷିକ୍ଷେତ୍ରଠୁ ନେଇ ପାନୀୟଜଳ, ଏପରିକି ନିଶ୍ୱାସରେ ନେଉଥିବା ବାୟୁ ବିଷ ପାଲଟିଛି । ଏଣୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ପଡ଼ିବ । ଖାଲି ସ୍ୱାସ୍ଥ୍ୟ ନୁହେଁ, ଉଜୁଡ଼ିଯାଉଥିବା ପରିବେଶକୁ ବଞ୍ଚାଇବାକୁ ହେବ । ମଣିଷର ସ୍ୱାସ୍ଥ୍ୟ ନିରାମୟ ରହିବାକୁ ହେଲେ ପରିବେଶକୁ ସୁସ୍ଥ ରଖିବାକୁ ପଡ଼ିବ । ହେଲ୍‌ଥ କନକ୍ଲେଭରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏହା କହିଛନ୍ତି ।

ଶନିବାର ସ୍ୱାସ୍ଥ୍ୟ ଓ ଗବେଷଣା ସଙ୍ଗଠକ ବିଏନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ 'ମେଟାବଲିକ ହରାଇଜନ୍-୨୦୨୬' ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଥମେ ଆୟୋଜିତ ହେଲ୍‌ଥ କନକ୍ଲେଭ୍‌ରେ 'ସ୍ୱାସ୍ଥ୍ୟ ପାଇଁ ଆହ୍ୱାନ' ଶୀର୍ଷକ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ଡାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ ଉପସ୍ଥିତ ଥିଲେ । ସୁସ୍ଥ ରହିବାକୁ ହେଲେ କ'ଣ କରିବାକୁ ହେବ ଓ ଆଜିର ଚ୍ୟାଲେଞ୍ଜ ଉପରେ ଅତିଥି ସ୍ୱମତାମତ ଉପସ୍ଥାପନ କରିଥିଲେ ।

ଅଧିକ ପଢ଼ନ୍ତୁ :- Odisha Flood Updates: ଓଡିଶାକୁ ଟଳିଲା ବଡ଼ ବିପଦ, ଦ୍ରୁତ ଗତିରେ ଖସୁଛି ମହାନଦୀ ଜଳସ୍ତର, ଆଉ ଆସିବନି ବନ୍ୟା !

ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର କହିଲେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଆମେ ଭୁଲିସାରିଛୁ । ଶାରୀରିକ ପରିଶ୍ରମ ଓ ଖେଳକୁଦ ଆଉ ନାହିଁ । ଯୌଥ ପରିବାର ହଜିଗଲାଣି । ଛୋଟ ପିଲା ଜେଜେମା' ପାଖରେ ରହିବା ବଦଳରେ କ୍ରେଚ୍ରେ ରହିଲାଣି । ମୋବାଇଲ ଓ ସୋସିଆଲ ମିଡିଆରେ ସମସ୍ତେ ବ୍ୟସ୍ତ । ଘରୋଇ ଖାଦ୍ୟ ଖାଇବା ବଦଳରେ ତେଲମସଲା ଯୁକ୍ତ ଫାଷ୍ଟଫୁଡ୍ ମୋହରେ ସମସ୍ତେ ବାୟା । ସକାଳୁ ନିଦରୁ ଉଠିବା ବଦଳରେ ବିଳମ୍ବରେ ଉଠିବା, ଘରେ ବସିରହିବା ଭଳି କୁଅଭ୍ୟାସ ସମାଜକୁ କଳୁଷିତ କରିସାରିଲାଣି । ସମୟ ଆସିଛି, ଏବେଠୁ ଜାଗ୍ରତ ହେବା ।

ସମ୍ମାନିତ ଅତିଥି ଭାବରେ 'ପ୍ରମେୟ', 'ନ୍ୟୁଜ-୭' ଗ୍ରୁପ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ ସାମ୍ବାଦିକ ତଥା କର୍ମଜୀବୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧନକୁ ଗୁରୁତ୍ୱ ଦେଇଥିଲେ । ଶ୍ରୀ ମହାପାତ୍ର କହିଥିଲେ, ସାମ୍ବାଦିକ ପେସାରେ ସମୟ ଜାଣିହୁଏନି । ଖାଇବା ପିଇବା, ଶୋଇବାରେ ଠିକ୍ ଠିକଣା ନଥାଏ । ସାମ୍ବାଦିକ ସକାଳୁ ନେଇ ରାତି ପର୍ଯ୍ୟନ୍ତ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝେ, ହେଲେ ନିଜେ ସ୍ୱାସ୍ଥ୍ୟ ସମସ୍ୟାରେ ଯନ୍ତ୍ରଣା ପାଏ । କେମିତି ସେଥିରୁ ତ୍ରାହି ପାଇବ ତାହାବି ମୁଣ୍ଡରେ ଜୁଟେନି । ଗୋଟିଏ ପଟେ କର୍ମ ଓ ଅନ୍ୟ ପଟେ ପରିବାରର ଚାପ ତାକୁ ଭାରାକ୍ରାନ୍ତ ଓ ପରେ ରୋଗାକ୍ରାନ୍ତ କରେ । ଏକଥା ନା ସେ ବୁଝେ ନା ତାର ପରିବାର । ସ୍ୱାସ୍ଥ୍ୟ ଧୀରେ ଧୀରେ ଗୁରୁତର ହେବାକୁ ଲାଗିଲେ ଚେତା ପଶେ । ଡାକ୍ତରଖାନା ଦୌଡ଼େ । ଏହା ହିଁ ଆଜିର ବାସ୍ତବତା । ତେଣୁ ସାମ୍ବାଦିକ ହୁଅନ୍ତୁ ଅବା ଅନ୍ୟ କର୍ମଜୀବୀ ସବୁବେଳେ ପ୍ରଥମେ ନିଜ ସହ ସ୍ୱାସ୍ଥ୍ୟକୁ ଭଲ ପାଆନ୍ତୁ । ଦୃଢ଼ ଆତ୍ମବିଶ୍ୱାସ ରଖନ୍ତୁ । କିଭଳି ରୋଗମୁକ୍ତ ହେବେ ସେଥିପାଇଁ ସଚେତନ ହୁଅନ୍ତୁ । ସନ୍ତୁଳିତ ଆହାର ଖାଇବା ସହ ସବୁ କାମକୁ ଠିକ୍ ସମୟରେ କରନ୍ତୁ । ସବୁବେଳେ ନିଜକୁ ଗୁରୁତ୍ୱ ଦିଅନ୍ତୁ । ଶେଷରେ ସୋସିଆଲ ମିଡିଆରେ ଯେଉଁଭଳି ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ରକମର ପ୍ରଚାର କରାଯାଉଛି, ତାର ସତ୍ୟାସତ୍ୟ ତର୍ଜମା କରନ୍ତୁ । ସବୁ ପ୍ରଚାର ଭୁଲ ବୋଲି କହିବା ଠିକ୍ ହେବନି । ହେଲେ ସୋସିଆଲ ମିଡିଆରେ ସ୍ୱାସ୍ଥ୍ୟଭିତ୍ତିକ ପ୍ରଚାରକୁ ନେଇ ଏକ ସ୍ୱତନ୍ତ୍ର ପ୍ରୋଟୋକଲ ଆସୁ ବୋଲି ଶ୍ରୀ ମହାପାତ୍ର ମତ ରଖିଥିଲେ ।

ସମ୍ମାନିତ ଅତିଥି ତଥା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଥିଲେ, ଆଜିର ପିଢି ଅର୍ଥାତ ଜେନ୍-ଜି ତାର ଭବିଷ୍ୟତର ପିଢ଼ି ବିଷୟରେ ଏବେଠୁ ଭାବନ୍ତୁ । ଅନିୟମିତ ଖାଦ୍ୟାଭ୍ୟାସ, ଅତ୍ୟଧିକ ଚାପଗ୍ରସ୍ତ ଯୋଗୁଁ ଆଜିକାର ଯୁବପିଢିଙ୍କ ସ୍ୱାସ୍ଥ୍ୟ ଠିକ୍ ରହୁନି । ଏହାର ପ୍ରଭାବ ଶିକ୍ଷା ଓ ଚାକିରି ଉପରେ ପଡ଼ୁଛି । ତେଣୁ ଶିକ୍ଷା ଓ ସଚେତନତା ହିଁ ଏକମାତ୍ର ସାହା । ଏବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦେବାକୁ ଯୋଜନା ଚାଲିଛି । ସେମାନେ ପଢ଼ିବା ସହ ଅନ୍ୟମାନଙ୍କୁ ସଚେତନ କରିବେ । ବିଶ୍ୱବିଦ୍ୟାଳୟରେ ପବ୍ଲିକ ହେଲ୍‌ଥ ଡିପାର୍ଟମେଣ୍ଟ୍, ଫାର୍ମାସୀ ଓ ଡିସେପନସାରୀ ଥିବା ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତଥା ବରିଷ୍ଠ ଆଇପିଏସ୍ ସତୀଶ ଗଜଭିୟେ କହିଥିଲେ, ପୁଲିସମାନେ ଯେତିକି ଚାପ ସହିବା କଥା ତାଠୁ ପାଞ୍ଚ ଗୁଣା ଚାପରେ ରହୁଛନ୍ତି ।

ଏଥିପାଇଁ ସବୁବେଳେ ବାହାର ଖାଦ୍ୟ ଖାଉଛନ୍ତି । ପାଣି ପିଇବା ନାହିଁ କି ଶୋଇବା ନାହିଁ । ସାଂଘାତିକ କଥା ହେଉଛି ପୁଲିସମାନେ ଅଧିକ ଚା' ପିଉଛନ୍ତି। ଫଳରେ ସ୍ୱାସ୍ଥ୍ୟ ସମସ୍ୟା ସହ ଯୁଝୁଛନ୍ତି । କାହାର ମେଦବହୁଳତା, କାହାର ମଧୁମେହ, ଆଉ କାହାର ରକ୍ତଚାପ । ଏଣୁ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯିବା ଦରକାର । ସରକାର ଅଧିକ ପୁଲିସ ନିଯୁକ୍ତି କରନ୍ତୁ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡା. ଅରୁଣ ଚୌଧୁରୀ ଓ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡା.ଜୟଶ୍ରୀ ସ୍ୱାଇଁ ସମ୍ମାନିତ ବକ୍ତା ଭାବରେ ଉପସ୍ଥିତ ରହି ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା, ବ୍ୟାୟାମ ଓ ଯୋଗ, ଠିକ୍ ସମୟରେ ଖାଇବା ଓ ଶୋଇବା ସହ ମହିଳାଙ୍କୁ ଅଧିକ ଚାପ ନ'ଦେବାକୁ ପରାମର୍ଶ ଦେଇଥିଲେ । ଆଲୋଚନାକୁ ପରିଚାଳନା କରିଥିଲେ ଡା. ସତ୍ୟଜିତ ରାଉତ । ପରେ ବିଏନ ଫାଉଣ୍ଡେସନ୍ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ ହୋଇଥିଲା । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ମେଟାବଲିକ(ହଜମ କ୍ରିୟା ଓ ଶରୀରରେ ରୋଗପ୍ରତିରୋଧକ ଶକ୍ତି) ରୋଗ ଉପରେ ପାଠ ପଢ଼ିବାର ସୁଯୋଗ ପାଇବେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia