ଭୁବନେଶ୍ବର, ୦୧/୧୦: MMDR ସଂଶୋଧିତ ଆଇନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଲାଗି ରହିଛି ଆରୋପ ପ୍ରତ୍ୟାରୋପ । ବିଜୁ ଜନତା ଦଳ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଛି । ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପରେ ଏବେ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ଆଇନା ଦେଖାଇଛନ୍ତି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ MMDR ସଂଶୋଧିତ ଆଇନକୁ ନେଇ ଖୋଲା ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ।
ସେ କହିଛନ୍ତି, ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିବେଶନ ସହ ବିଜେପି ସାଂସଦମାନଙ୍କୁ ଚିଠି ଲେଖିଥିଲେ। କାରଣ MMDR ସଂଶୋଧିତ ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ। କେନ୍ଦ୍ର ସରକାର ଓଡ଼ିଶା ସ୍ୱାର୍ଥ ପାଇଁ କାମ କରୁନି। MMDR ହେଉଛି ଏକ ଜଟିଳ ଆଇନ। ଯାହା ୧୯୫୭ରୁ ଚାରି ଥର ସଂଶୋଧିତ ହୋଇଛି ।
ଓଡ଼ିଶାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଶାସନ ୨୪ ବର୍ଷ ଥିଲା। ୨୦୦୩ରେ ଓରିସେଡ୍ ଆଇନ ଜରିଆରେ ଖଣି ଅଧିକାର ରାଜ୍ୟର ବିକାଶ ପାଇଁ ବ୍ୟବସ୍ଥା ହୋଇଥିଲା । ୨୦୨୪ରେ ସୁପ୍ରିମକୋର୍ଟ ମଧ୍ୟ ନିଷ୍ପତ୍ତି ଓଡ଼ିଶା ସପକ୍ଷରେ ଦେଇଥିଲେ । ଏବେ ସେ କ୍ଷମତା ଚାଲିଯାଇଛି । ୨୦୦୫ରୁ ଯେଉଁ ଖଣି ଟିକସ ବଳକା ଥିଲା, ତାହା ଆଉ ମିଳିବ ବି ନାହିଁ। ଏବାବଦରେ ସଂସଦରେ ବିଜେପି ସାଂସଦମାନେ କିଛି କହିଲେନି । ଓଡ଼ିଶା ସରକାର ଯେଉଁ ଗାରିମା ସହ ଡବଲ ଇଞ୍ଜିନ କହୁଥିଲେ, ସେ ଆଉ ଦୁଇ ବର୍ଷର ବକେୟା ଆଦାୟ କରି ପାରିବେ ନାହିଁ। ପ୍ରତି ବର୍ଷ ରାଜ୍ୟର ୧୨ ହଜାର କୋଟି ଟଙ୍କା କ୍ଷତି ହେବ। ଏକ ଲକ୍ଷ ୩୦ କୋଟି ବକେୟା ଟିକସ ବି ଆଦାୟ ହୋଇ ପାରିବ ନାହିଁ । ୨୦୨୪ ମସିହାରେ AG କହିଥିଲେ, ଏହା ରାଜ୍ୟକୁ ବଡ଼ କ୍ଷତି ଦେବ। ଏବେ କେମିତି ବିଜେପି ସାଂସଦମାନେ କହୁଛନ୍ତି ଯେ କ୍ଷତି ହେବନି ? ନବୀନ ଓଡ଼ିଶାର ଭବିଷ୍ୟତ ପାଇଁ ଏହା କରିଥିଲେ। ଏବେ ୨୦୦୦ କୋଟି ଋଣ ୭% ସୁଦ୍ଧାରେ ରାଜ୍ୟ ସରକାର ଉଠାଉଛନ୍ତି ବୋଲି ସଂତୃପ୍ତ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ନବୀନଙ୍କ ଦୂରଦୃଷ୍ଟି ଥିଲା। ଓଡ଼ିଶାର ଖଣି ପାଇଁ ଶିଳ୍ପ ଆସିଲା। ଭବିଷ୍ୟତରେ ଖଣି ସରିଗଲେ, ଶିଳ୍ପ ମାଧ୍ୟମରେ ଅର୍ଥ ଆସିଥାନ୍ତା। ଓଡ଼ିଶାକୁ ରାଜ୍ୟ ତାଲିକାରେ ରଖାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କେମିତି ଓଡ଼ିଶା ବିଧାନସଭାର ଟିକସ ନିର୍ଦ୍ଧାରଣ କ୍ଷମତା ନେଇ ଯିବେ? ଯେଉଁମାନେ କହୁଛନ୍ତି ଯେ ଓଡ଼ିଶାର କ୍ଷତି ହେବନି, କୋର୍ଟରେ AGଙ୍କ ଆବେଦନ ଭୁଲ ଥିଲା କି ? ତା'ହେଲେ ଜଣେ ସ୍ୱତନ୍ତ୍ର ଅଡିଟରଙ୍କ ଜରିଆରେ ଅଡିଟ୍ ହେଉ। ଯଦି ବର୍ତ୍ତମାନ ଏହାକୁ ବିରୋଧ କରାନଯିବ ତେବେ ଓଡ଼ିଶାର ଭବିଷ୍ୟତ ଅନ୍ଧାରକୁ ପଳେଇବ ବୋଲି ରାଜ୍ୟସଭା ସାଂସଦ କହିଛନ୍ତି ।
ସେପଟେ MMDR ସଂଶୋଧନ ଆଇନକୁ ନେଇ ପାଲଟା ଜବାବ ଦେଇଛି ବିଜେପି । ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି, MMDRକୁ ନେଇ ବିଜେଡି ଲୋକଙ୍କୁ ଭ୍ରମିତ କରୁଛି । ନବୀନ ବାବୁ ପୂର୍ବରୁ ନିଜେ କେନ୍ଦ୍ର ଖଣି ମନ୍ତ୍ରୀ ଥିଲେ । ଓଡିଶାର କ'ଣ କ୍ଷତି ହେବ କେତେ କ୍ଷତି ହେବ ସେ କହୁନାହାନ୍ତି । ସଂଶୋଧିତ ଖଣି ଆଇନରେ ଓଡିଶାର ସ୍ଵାର୍ଥ ଆଦୌ ହାନି ହେବ ନାହିଁ । ବିଜେଡି କିଛି ନବୁଝି ତୁଛାଟାରେ ଅଭିଯୋଗ କରୁଛି ।...

