ଭୁବନେଶ୍ବର,୪।୪ : କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ ପତାକା ଶନିବାର ପ୍ରଦାନ କରିଛନ୍ତି। ଏହି ପତାକାକୁ ଗ୍ରହଣକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା କେବଳ ଏକ ଇଭେଣ୍ଟ ନୁହେଁ, ଏହା ଓଡିଶାର କ୍ରୀଡାପାଇଁ ଏକ ଐତିହାସିକ ମୁହୂର୍ତ୍ତ।
୨୦୨୮ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେବା ସହିତ ଏହି ପତାକା ଆମ ଆଶା, ଆକାଂକ୍ଷା ଓ ଗୌରବମୟ ଯାତ୍ରାର ପ୍ରତୀକ। ଏହା ହେଉଛି ସାରା ବିଶ୍ବକୁ ଓଡିଶାର ପ୍ରତିଶ୍ରୁତି-ଏକ ସଫଳ, ଆକର୍ଷଣୀୟ ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ।
ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ରବୀନ୍ଦ୍ର ଚୌଧୁରୀ ଏବଂ ଓଡିଶାର କ୍ରୀଡା ସଚିବ ଭୂପେନ୍ଦ୍ର ସିଂ ପୁନିଆ ପୋଲାଣ୍ଡରେ ଏହି ଚାମ୍ପିଅନସିପ୍ର ଫ୍ଲାଗ୍ ଗ୍ରହଣ କରିଥିଲେ। ଏହାଦ୍ବାରା ଭାରତ ଓ ଓଡିଶାକୁ ଏହି ଚାମ୍ପିଅନସିପ୍ ଆୟୋଜନ କରିବାର ଦାୟିତ୍ବ ବିଧିବଦ୍ଧ ଭାବେ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ପୋଲାଣ୍ଡରେ ୱାର୍ଲ୍ଡ ଆଥଲେଟିକ୍ସର ପ୍ରେସିଡେଣ୍ଟ ସେବାଷ୍ଟିଆନ୍ କୋ ଭାରତର ଓଡିଶାରେ ଏହି ଚାମ୍ପିଅନସିପ୍ ହେବ ବୋଲି ଘୋଷଣା କରିଥିଲେ। ଏହାଦ୍ବାରା ବିଶ୍ବ କ୍ରୀଡା ପଟଳରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି।
ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପ୍ ବିଶ୍ବସ୍ତରୀୟ ଟ୍ରାକ୍ ଆଣ୍ଡ ଫିଲ୍ଡର ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ। ଏଥିରେ ବିଶ୍ବର ଶ୍ରେଷ୍ଠ ଖେଳାଳୀମାନେ ପ୍ରତିଯୋଗିତା କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିଥାନ୍ତି।

