ଭୁବନେଶ୍ୱର, ୩୦।୪: ଓଡ଼ିଶା ବିଧାନସଭାରେ ଆଜି ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ତର୍କ ଦେଖିବାକୁ ମିଳିଛି । ମହିଳା ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଅଧିବେଶନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ମହିଳାମାନେ ଅବହେଳିତ ହୋଇଥିବା ବେଳେ ଏବେ ସେ 'କୁମ୍ଭୀର କାନ୍ଦଣା' କାନ୍ଦୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ନିଜ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅତୀତରେ ଦାନ ମାଝୀ ଘଟଣା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କ'ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜୁ ବାବୁଙ୍କ ପ୍ରତି ସମ୍ମାନ ଥିଲେ ମଧ୍ୟ ନବୀନଙ୍କ ୨୫ ବର୍ଷର ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି ଏବଂ ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଇଛି । ବିଜେଡିର ମହିଳା ପ୍ରେମ କେବଳ ଛଳନା ବୋଲି ସେ ଅଭିହିତ କରିଛନ୍ତି ।
କଂଗ୍ରେସ ଓ ବିଜେଡି ଉପରେ ବର୍ଷିଲେ ପ୍ରଭାତୀ:
କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ୪୦ ବର୍ଷ ଶାସନରେ ରହି ମଧ୍ୟ କଂଗ୍ରେସ ମହିଳାଙ୍କ ପାଇଁ କିଛି କରିନାହିଁ । କଂଗ୍ରେସ କେବଳ ଗାନ୍ଧୀ ପରିବାରର ମହିଳାଙ୍କୁ ଆଗକୁ ନେବା ଚିନ୍ତାରେ ରହିଥାଏ । ୨୦୨୩ରେ ଆସିଥିବା ବିଲକୁ ପୂର୍ବରୁ ସମର୍ଥନ କରି ଏବେ ବିରୋଧ କରୁଥିବା କଂଗ୍ରେସର ନୀତିକୁ ସେ ସମାଲୋଚନା କରିଛନ୍ତି । ସେହିପରି ବିଜେଡି ମଧ୍ୟ ସମାନ ରାସ୍ତାରେ ଯାଉଛି ବୋଲି ସେ କହିଛନ୍ତି। ୨୦୧୮ରେ ବିଧାନସଭାରେ ପ୍ରସ୍ତାବ ଆଣିବା କେବଳ ଭୋଟ ହାତେଇବା ପାଇଁ ଏକ ଚାଲ୍ ଥିଲା ।
ଆହୁରି ପଢ଼ନ୍ତୁ... Bhubaneswar Crime : ବାକି ଟଙ୍କା ମାଗିବାରୁ ଖଣ୍ଡା ଚୋଟ, ଛିଡି ପଡିଲା ପାପୁଲି, କୁକୁର ଧରି ଛୁ...
ଲୋକସଭା ପ୍ରସଙ୍ଗ ଓ ୨୦ ସାଂସଦଙ୍କୁ ଚିଠି:
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଲୋକସଭାରେ ବିଜେଡିର ଜଣେ ବି ସାଂସଦ ନାହାଁନ୍ତି । ତଥାପି ନବୀନ ବାବୁ ବିଜେପିର ୨୦ ସାଂସଦଙ୍କୁ ଚିଠି ଲେଖିବା ଏକ ବଡ଼ ଛଳନା । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ବିଜେଡି ପଞ୍ଚାୟତ ସ୍ତରରେ ମହିଳାଙ୍କୁ ସଂରକ୍ଷଣ ଦେଉଥିବା ବେଳେ ପାର୍ଲିଆମେଣ୍ଟ ପାଇଁ ଟିକେଟ ଦେବାକୁ କାହିଁକି ଭୟ କରୁଥିଲା? ବୋଧହୁଏ ମହିଳାମାନେ ବଡ଼ ନେତା ହୋଇଯିବେ ବୋଲି ନବୀନ ବାବୁଙ୍କ ମନରେ ଭୟ ଥିଲା । ବିକାଶର ନୀତିନିୟନ୍ତା ଭାବେ ଏବେ ମହିଳାମାନେ ଉଭା ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳା ସଂରକ୍ଷଣ ବିଲ୍ ଏକ ବଡ଼ ପଦକ୍ଷେପ । ଇତିହାସ କେବେବି ସେହିମାନଙ୍କୁ କ୍ଷମା ଦେବ ନାହିଁ ଯେଉଁମାନେ ବର୍ଷ ବର୍ଷ ଧରି ମହିଳାଙ୍କୁ ଅବହେଳା କରିଛନ୍ତି । ଶେଷରେ ସେ ସ୍ପଷ୍ଟ କରିଛନ୍ତି ଯେ, "ନବୀନ ବାବୁ, ଆପଣ ଆଉ ଓଡ଼ିଶାର ମହିଳାଙ୍କୁ ବୋକା ବନାଇ ପାରିବେ ନାହିଁ ।" କହିରଖୁଛୁ ଯେ, ଆଜି ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ଦିନିକିଆ ଅଧିବେଶନ ବସିଛି । ଏହି ବିଲ୍ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

