Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Nepal flood : ନେପାଳରେ ଟଳିନି ବନ୍ୟା ବିପଦ, ଫୁଲୁଛି ନଦୀ... ୭ଟି ଜିଲ୍ଲାକୁ ସତର୍କତା ଜାରି

Nepal flood : ନେପାଳରେ ଟଳିନି ବନ୍ୟା ବିପଦ, ଫୁଲୁଛି ନଦୀ... ୭ଟି ଜିଲ୍ଲାକୁ ସତର୍କତା ଜାରି

କାଠମାଣ୍ଡୁ, ୨/୯ : ନେପାଳରେ ଅଧିକାଂଶ ନଦୀର ଜଳସ୍ତର ବଢ଼ିବାକୁ ଲାଗିଛି । ଏହାକୁ ନେଇ ଦେଶର ୭ଟି ଜିଲ୍ଲାରେ ପୁଣି ବନ୍ୟା ଆଶଙ୍କା ନେଇ ସତର୍କତା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରସୁୱା, ନୁୱାକୋଟ, ଧାଦିଙ୍ଗ, ଗୋରଖା, ତନହୁଁ, ନୱଲପରାସି ଏବଂ ଚିତବନ ଅନ୍ତର୍ଭୁକ୍ତ । ଗତମାସ ୨୬ ତାରିଖରେ ତିବ୍ବତରେ ଗ୍ଲେସିୟର ଭାଙ୍ଗିବା ଯୋଗୁ ନେପାଳର ଅନେକ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ସହିତ ଭୂସ୍ଖଳନ ଘଟିଥିଲା ।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୧,୦୦୦ ପାର୍‌ କରିଛି । ନେପାଳରେ ଅଦ୍ୟାବଧି ୧,୦୫୦ ଏବଂ ତିକ୍ରତରେ ୧୬ ଲୋକଙ୍କ ମୃତ୍ୟୁ ହୋଇଛି । ଚିତବନ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ସର୍ବାଧିକ ୩୨୧ ମୃତଦେହ ଉଦ୍ଧାର କରାଯାଇଛି । ୪,୪୦୦ ଲୋକ ଏବେ ବି ନିଖୋଜ ଅଛନ୍ତି । ବନ୍ୟା ଯୋଗୁ ୧୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ନିଖୋଜ ଲୋକଙ୍କୁ ଉଦ୍ଧାର ଲାଗି ବନ୍ୟା ପ୍ରଭାବିତ ଅଞ୍ଚଳରେ ହେଲିକପ୍ଟର ଦ୍ୱାରା ଅଭିଯାନ ଜାରି ରହିଛି ।

ନୁୱାକୋଟ ଜିଲ୍ଲା ବେତ୍ରାବତୀ ଅଞ୍ଚଳରେ ଥିବା ଏକ ଘର ଭିତରୁ ଉଦ୍ଧାରକାରୀ ଦଳ ୨୩ଟି ମୃତଦେହ ପାଇଛନ୍ତି । ବିଭିନ୍ନ ସ୍ଥାନରେ ଶିବିର ସ୍ଥାପନ କରାଯାଇ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି । ନିଖୋଜ ଥିବା ଲୋକଙ୍କ ପରିବାର ଜନଙ୍କ ଗହଳି ଚହଳି ଲାଗିରହିଛି । ନିଜ ଲୋକଙ୍କୁ ଫେରିପାଇବା ପାଇଁ ସେମାନେ ସଙ୍ଘର୍ଷ କରୁଛନ୍ତି । ଶବ ଚିହ୍ନଟ ଲାଗି ନମ୍ବର ଟ୍ୟାଗ୍‌ ଲଗାଯାଉଛି । ଶହ ଶହ ଲୋକଙ୍କ ମୃତ୍ୟୁ ପରେ ଶବଗୁଡ଼ିକୁ ସୁରକ୍ଷିତ ରଖିବା ଉଦ୍ଧାରକାରୀ ଟିମ୍‌ ନିମନ୍ତେ ଚ୍ୟାଲେଞ୍ଜିଙ୍ଗ୍‌ ପାଲଟିଛି । ବନ୍ୟା ଯୋଗୁ ଅଧିକ ପ୍ରଭାବିତ ହୋଇଥିବା କିଛି ଅଞ୍ଚଳ ଏବେ ବି ଅପହଞ୍ଚ ରହିଛି । ସେଠାକାର ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇପାରୁ ନାହିଁ । ରାସ୍ତା ଧୋଇଯିବା ଏବଂ ପୋଲ ଭାଙ୍ଗିବା କାରଣରୁ ରିଲିଫ ସାମଗ୍ରୀ ଯୋଗାଇବା ସମ୍ଭବ ହେଉନାହିଁ । ଉଦ୍ଧାରକାରୀ ଦଳ ପହଞ୍ଚିବା ବି କଷ୍ଟକର ହୋଇପଡ଼ିଛି । ଦୁର୍ଗମ ଅଞ୍ଚଳରୁ ଉଦ୍ଧାର ହେଉଥିବା ମୃତଦେହଗୁଡ଼ିକୁ ଗଣକବର ଦିଆଯାଉଛି । ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ନେପାଳ ପାଇଁ ବିଭିନ୍ନ ଦେଶରୁ ସହାୟତା ଜାରି ରହିଛି ।

ଆହୁରି ପଢନ୍ତୁ- ବନ୍ୟାରେ ଭାସିଗଲା ଘର, ଧ୍ୱଂସସ୍ତୁପ ମଧ୍ୟରେ ମାଲିକଙ୍କୁ ଖୋଜୁଛି କୁକୁର

କାତାର୍‌ ପକ୍ଷରୁ ରିଲିଫ ସାମଗ୍ରୀ ପଠାଯାଇଛି । ଦେଶର ବିଦେଶ ମନ୍ତ୍ରଣାଳୟ ମୁତାବକ, ରିଲିଫ ସାମଗ୍ରୀ ଧରି ଏକ ବିମାନ ନେପାଳରେ ପହଞ୍ଚିଛି । ଏହାଦ୍ୱାରା ପ୍ରାୟ ୫୨ ହଜାର ଲୋକ ଉପକୃତ ହେବେ । ଏଥିରେ ପାଣି ବାହାର କରିବା ଏବଂ ପମ୍ପିଙ୍ଗ୍‌ ଲାଗି ଉଦ୍ଦିଷ୍ଟ ଉପକରଣ, ଲାଇଟିଂ, ଖାଦ୍ୟପେୟ ସାମଗ୍ରୀ ଏବଂ ଟେଣ୍ଟ ଆଦି ଅନ୍ତର୍ଭୁକ୍ତ । ନେପାଳ ସରକାର ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ ରିଲିଫ ପାଣ୍ଠି ଓ ପ୍ରଧାନମନ୍ତ୍ରୀ କୋଷ ଜରିଆରେ ଆର୍ଥିକ ସହାୟତା ଯୋଗାଡ଼ରେ ଲାଗିପଡ଼ିଛନ୍ତି । ସୋମବାର ଅପରାହ୍ନ ସୁଦ୍ଧା ଦେଶର ୯ଟି ବାଣିଜ୍ୟିକ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଖାତାରେ ୫.୮୭ ଅରବ ନେପାଳୀ ଟଙ୍କା (୩୬୩.୯୪ କୋଟି ଭାରତୀୟ ଟଙ୍କା) ଜମା ହୋଇଛି । ଏହାଛଡ଼ା ହିମାଲୟନ ବ୍ୟାଙ୍କ ଏବଂ ଲକ୍ଷ୍ମୀ ବ୍ୟାଙ୍କ ଖାତାରେ ପ୍ରାୟ ୩୦.୨୯ କୋଟି ଟଙ୍କା ଜମା ହୋଇଛି ।

ଆଗରୁ ବନ୍ୟା ହେଇଛି କିନ୍ତୁ ଜୀବନରେ ଏମିତି ଭୟଙ୍କର ବନ୍ୟା କେବେ ଦେଖିନୁ: ନେପାଳ ବାସିନ୍ଦା​​​​​​​

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia