ନୂଆଦିଲ୍ଲୀ: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ନିଶ୍ଚହ୍ନ ହୋଇଯାଇଛି ରସୁୱା ଜିଲ୍ଲାର ତିମୁରେ ଓ ବେତ୍ରାବତୀ ସହର । ଏଠାରେ ଘରଦ୍ୱାର, ରାସ୍ତାଘାଟ, ବ୍ରିଜ୍ ଓ ମାର୍କେଟ ସବୁକିଛି ବନ୍ୟା ପୋଛି ଦେଇଛି । ଦୁଇଟି ଯାକ ସହର ମାଟି ଓ କାଦୁଅଗଦା ଭିତରେ ପୋତି ହୋଇପଡିଛି । ତିମୁରେ ହେଉଛି ଚୀନ୍ ସୀମାକୁ ଲାଗିଥିବା ରସୁୱାଗଡି ଠାରୁ ମାତ୍ର ଅଳ୍ପ କିଛି ଦୂରରେ ଅବସ୍ଥିତ ସହର ।
ତିକ୍ରତ କିମ୍ବା କୈଳାସ ମାନସରୋବର ଯାତ୍ରା କରୁଥିବା ତୀର୍ଥଯାତ୍ରୀ କିମ୍ବା ବ୍ୟବସାୟୀମାନେ ଏହି ସହରକୁ ବ୍ୟବହାର କରିଥାନ୍ତି । ସେମାନେ ପ୍ରଥମେ ଏହି ଠାରେ ରହିଥାନ୍ତି ଓ ରାତ୍ରୀଯାପନ କରିଥାନ୍ତି । ସେହି କାରଣରୁ ଏଠାକୁ ସର୍ବଦା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଆସିଥାନ୍ତି । ବନ୍ୟା ପରେ ଏହିଠାରୁ ହିଁ ବିଦେଶୀ ପର୍ଯ୍ୟଟକମାନେ ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସକାଳ ୮ଟା ୩୦ରେ ପ୍ରଥମେ ମାଟି ଥରିବାକୁ ଲାଗିଲା ।
ସେମାନେ ଭୂକମ୍ପ ବୋଲି ଭାବିଲେ । କିନ୍ତୁ ମାତ୍ର କିଛି ମିନିଟ୍ ଭିତରେ ପ୍ରଚଣ୍ଡ ଗର୍ଜନ ଶୁଣିବାକୁ ମିଳିଲା । କ'ଣ ହେଉଛି କେହି କିଛି ବୁଝିବା ପୂର୍ବରୁ ପ୍ରାୟ ୧୦୦ ମିଟର ଉଚ୍ଚତାରେ ବାଦଲ ଭଳି କାଦୁଅ ପାଣି ମାଡ଼ି ଆସିଥଲା । କିଏ କୁଆଡେ ଯିବାକୁ ଭାବିବା ପୂର୍ବରୁ ସେମାନଙ୍କ ଉପରେ କାଦୁଅ ପାଣି ମାଡିଗଲା । ଲୋକମାନେ ଦୌଡୁଥିବା ବେଳେ ସେମାନଙ୍କ ଉପରେ କାଦୁଅ ପାଣି ମାଡି ଯାଇଥିଲା । ସମଗ୍ର ସହର ଏପରିକି ବଡବଡ ଅଟ୍ଟାଳିକା ମଧ୍ୟ କାଦୁଅ ପାଣି ଭିତରେ ପୋତିହୋଇ ଯାଇଥିଲା । ମାତ୍ର କିଛି ମୁହୂର୍ତ୍ତରେ ସମଗ୍ର ସହର ମାଟି ଓ କାଦୁଅରେ ପୋତି ହୋଇପଡିଥିଲା । ଏଭଳି ବିପର୍ଯ୍ୟୟ ଘଟିବ ବୋଲି କୌଣସି ପ୍ରାକ-ସୂଚନା ମିଳି ନଥିଲା । ତେଣୁ ଲୋକେ ନିଜକୁ ବଞ୍ଚାଇପାରିଲେ ନାହିଁ । ସେହିଭଳି ବେତ୍ରାବତୀ ହେଉଛି ଏକ ଐତିହାସିକ ସହର । ଏହାର ଅନ୍ୟ ଏକ ନାମ ହେଉଛି ଉତ୍ତରଗୟା ।
ନେପାଳ-ତିବ୍ଦତ ଯୁଦ୍ଧ ପରେ ୧୭୯୨ରେ ଏଠାରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା । ଯାହାର ନାମ ଥିଲା ବେତ୍ରାବତୀ ଚୁକ୍ତି । ରସୁୱା ଓ ଚୀନ ସୀମାର ଗେଟୱେ ବୋଲି ଏହାକୁ କହିଥାନ୍ତି । ନୁୱାକୋଟ ଓ ରସୁୱା ଜିଲ୍ଲା ମଝିରେ ତ୍ରିଶୁଳି ଓ ଫଲଙ୍ଖୁ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଏହି ସହର ରହିଛି । ଏଠାରେ ରାମ ମନ୍ଦିର, କୃଷ୍ଣ ମନ୍ଦିର, ଗଣେଶ ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ସୀତାଦେବୀ ମନ୍ଦିର, ସରସ୍ୱତୀ ମନ୍ଦିର ଏବଂ ସୁଗତ ମୁନି ପୀଠ ରହିଛି । ଏହାକୁ ନେପାଳର ପ୍ରମୁଖ ଧାର୍ମିକ ସହର ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ପ୍ରଚଣ୍ଡ ଗର୍ଜନ କରି ପ୍ରାଚୀର ଭଳି ମାଡିଆସିଥିବା ବନ୍ୟା । କଣ ଘଟୁଛି କେହି କିଛି ବୁଝିପାରି ନଥିଲେ । କିନ୍ତୁ ବୁଝିଲା ବେଳକୁ ଆଉ କିଛି ନଥିଲା । ସବୁକିଛି ଛାରଖାର ହୋଇଯାଇଥିଲା । ସମଗ୍ର ସହର କାଦୁଅରେ ପୋତି ହୋଇପଡିଥିଲା ।
ଏହାସହ ପଢ଼ନ୍ତୁ : Nepal flood : ନେପାଳରେ ଟଳିନି ବିପଦ, ଚୀନ୍ର ଆଉ ଏକ ବନ୍ୟା ଚେତାବନୀ, ୩ ଦିନରେ ଭାଙ୍ଗିପାରେ 'ଡେଥ୍ ଲେକ୍'

