Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳରେ ନିଖୋଜ ବାପା-ମା', ଆଖିରେ ଲୁହ. ତଥାପି ଦେଲେ NEET-PG ପରୀକ୍ଷା

ନେପାଳରେ ନିଖୋଜ ବାପା-ମା', ଆଖିରେ ଲୁହ. ତଥାପି ଦେଲେ NEET-PG ପରୀକ୍ଷା

ନୂଆଦିଲ୍ଲୀ, ୧।୯: ନେପାଳରେ ୨୦୨୬ ଅଗଷ୍ଟ ୨୬ ତାରିଖରେ ହୋଇଥିବା ହଠାତ୍ ବନ୍ୟା ଏବଂ ଭୂସ୍ଖଳନ ବଡ଼ଧରଣର ଧ୍ୱଂସ ଘଟାଇଛି । ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ଲୋକଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ୩୦୦୦ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଏହି ନିଖୋଜ ବ୍ୟକ୍ତିମାନଙ୍କ ଭିତରେ ୨୪ ବର୍ଷୀୟା ନୀଟ୍ ପିଜି ଛାତ୍ରୀ ତନୱୀଙ୍କ ବାପା-ମା' ମଧ୍ୟ ଅଛନ୍ତି ।

କୈଳାସ ଯାତ୍ରାକୁ ଯାଇଥିବା ତାଙ୍କ ବାପା-ମା'ଙ୍କର କୌଣସି ଖବର ମିଳିପାରି ନାହିଁ, ଏପରି କଠିନ ପରିସ୍ଥିତିରେ ମଧ୍ୟ ତନୱୀଙ୍କ ସାହସ ଓ ଦୃଢ଼ତା ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛି । ଇନଷ୍ଟାଗ୍ରାମରେ ନିଜର ଭାବବିହ୍ୱଳ କାହାଣୀ ସେୟାର କରି ତନୱୀ ଜଣାଇଛନ୍ତି ଯେ, ପରୀକ୍ଷା ଦେବାକୁ ଯିବାବେଳେ ତାଙ୍କ ହାତ କାମ୍ପୁଥିଲା ଏବଂ ଆଖିରୁ ଲୁହ ଥମୁ ନଥିଲା । ଲୁହ ଯୋଗୁଁ କମ୍ପ୍ୟୁଟର ସ୍କ୍ରିନ୍ ରେ ମଧ୍ୟ ତାଙ୍କୁ ସବୁ ଅସ୍ପଷ୍ଟ ଦେଖାଯାଉଥିଲା । ତଥାପି ସେ ହାର ମାନି ନଥିଲେ ଏବଂ ନିଜ ବାପା-ମା'ଙ୍କ ପାଇଁ ନୀଟ୍ ପିଜି ପରୀକ୍ଷା ଦେଇଥିଲେ । ତିନି ଘଣ୍ଟାର ପରୀକ୍ଷା ମଧ୍ୟରୁ ପ୍ରାୟ ଅଧା ସମୟ ସେ କେବଳ କାନ୍ଦିବାରେ କାଟିଥିଲେ । ସ୍କ୍ରିନ୍ ରେ ଦେଖାଯାଉଥିବା ଆଡମିଟ୍ କାର୍ଡର ଫଟୋଟି ତାଙ୍କ ବାପା ହିଁ ଉଠାଇଥିଲେ, ପରୀକ୍ଷା ସମୟରେ ବାରମ୍ବାର ବାପା-ମା'ଙ୍କ କଥା ତାଙ୍କ ମନକୁ ଆସୁଥିଲା ବୋଲି ସେ କହିଛନ୍ତି ।

Miracle House: ପ୍ରକୃତିର ପ୍ରଳୟ ବି ହରାଇ ପାରିଲାନି: ସବୁ କିଛି ଭାସିଗଲା, ହେଲେ ଠିଆ ରହିଲା ନେପାଳର ଏହି 'ମିରାକଲ୍ ହାଉସ୍'

"ମୋ ବାପା-ମା'ଙ୍କ ପାଇଁ ମୋତେ ଏହା କରିବାର ଥିଲା"

ନିଜର ଏଭଳି ସ୍ଥିତି ସତ୍ତ୍ୱେ ସେ କାହିଁକି ପରୀକ୍ଷା ଦେଲେ ସେ ସମ୍ପର୍କରେ ତନୱୀ କହିଛନ୍ତି, "ମୋତେ କେବଳ ଏତିକି ଜଣାଥିଲା ଯେ, ମୋ ବାପା ଚାହୁଁଥିଲେ ମୁଁ ଏହି ପରୀକ୍ଷା ଦିଏ ଏବଂ ମୋତେ ମୋର ବାପା-ମା'ଙ୍କ ପାଇଁ ଏହା କରିବାକୁ ହିଁ ପଡ଼ିବ ।" ତନୱୀଙ୍କ ମା' ଅନାଘା ଅନ୍ନମଦେବରା ଏବଂ ବାପା ଭେଙ୍କଟରାମ ଅନ୍ନମଦେବରା ଅନ୍ୟ ୬୭ ଜଣଙ୍କ ସହ ଏକ ଗ୍ରୁପ୍ରେ କୈଳାସ ଯାତ୍ରାକୁ ବାହାରିଥିଲେ । ନେପାଳରେ ବିପର୍ଯ୍ୟୟ ପରଠାରୁ ଟ୍ରାଭେଲ୍ ଗ୍ରୁପ୍ କିମ୍ବା ଆୟୋଜକ ସଂସ୍ଥାର କୌଣସି ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ବନ୍ୟା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାବେଳେ, ବାପା-ମା'ଙ୍କ ସୁରକ୍ଷିତ ଫେରିଆସିବେ ବୋଲି ତନୱୀ ଦୃଢ଼ ଆଶା ରଖିବାବା ସହ ସମସ୍ତଙ୍କଠାରୁ ପ୍ରାର୍ଥନା ଲୋଡ଼ିଛନ୍ତି ।

କହିରଖୁ କି, ଦେଶର ୧,୧୧୧ଟି ପରୀକ୍ଷା କେନ୍ଦ୍ରରେ MD-MS ଭଳି ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ କୋର୍ସରେ ନାମଲେଖା ପାଇଁ ଏହି ନୀଟ୍ ପିଜି ପରୀକ୍ଷା ହୋଇଥିଲା । ୨.୬୩ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଏକ ସିଙ୍ଗଲ୍ ସିଫ୍ଟରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ କରାଯାଇଥିଲା । ତେବେ ଜୟପୁରର ସୀତାପୁରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇଟି କେନ୍ଦ୍ରର ପରୀକ୍ଷା ବାତିଲ ହୋଇଥିବା ବେଳେ ତାହା ଆଗାମୀ ସେପ୍ଟେମ୍ବର ୫, ୨୦୨୬ରେ ହେବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia