ନୂଆଦିଲ୍ଲୀ,୪।୪: ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବରେ କାର୍ଯ୍ୟ କରିବା ଉଚିତ। କୌଣସି ରାଜନୈତିକ ପ୍ରତିକ୍ରିୟା ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ। ନିର୍ବାଚନ କେବଳ ଏକ ସାମୟିକ ପ୍ରକ୍ରିୟା ନୁହେଁ ବରଂ ରାଜନୈତିକ ଶକ୍ତି ଗଠନ କରିବାର ପଦ୍ଧତି। ଏଭଳି କିଛି କହିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବି.ଭି.
ନାଗରତ୍ନା। ଶନିବାର ସେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
ଜଷ୍ଟିସ୍ ନାଗାରତ୍ନା କହିଛନ୍ତି, ଭାରତର ସାମ୍ବିଧାନିକ ଗଣତନ୍ତ୍ର ପ୍ରମାଣିତ କରିଛି ସମୟୋଚିତ ନିର୍ବାଚନ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ କ୍ଷମତା ପରିବର୍ତ୍ତନ ସୁନିଶ୍ଚିତ କରେ। ସେ ଆହୁରି ମଧ୍ୟ କହିଥିଲେ ଯେ ନିର୍ବାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା କେବଳ ପ୍ରଶାସନିକ ହସ୍ତକ୍ଷେପ ନୁହେଁ ବରଂ ରାଜନୈତିକ ପ୍ରତିଯୋଗିତାର ସର୍ତ୍ତାବଳୀକୁ ପ୍ରଭାବିତ କରିବା ସମାନ, ଯାହା ଗଣତନ୍ତ୍ରର ମୂଳ ଭାବନା ବିରୁଦ୍ଧରେ।
ଉଲ୍ଲେଖନୀୟ ଯେ, ପାଟନାର ଚାଣକ୍ୟ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ସମ୍ବୋଧନ ସମୟରେ ଜଷ୍ଟିସ୍ ନାଗାରତ୍ନ ଏହି ବକ୍ତବ୍ୟ ଦେଇଥିଲେ। ବାର ଆଣ୍ଡ ବେଞ୍ଚ ଅନୁଯାୟୀ, ଜଷ୍ଟିସ୍ ନାଗରତ୍ନା କହିଛନ୍ତି ନିର୍ବାଚନ କମିଶନ, ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ ଏବଂ ଅର୍ଥ କମିଶନ ଭଳି ସଂସ୍ଥା ଗୁଡିକର ଗଠନ ସମାନ ପ୍ରକାର। ଏହି ପ୍ରତିଷ୍ଠାନଗୁଡ଼ିକ ବିଶେଷ ଭାବରେ ବାହ୍ୟ ଚାପରୁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବା ଏବଂ ସାଧାରଣ ରାଜନୈତିକ ପ୍ରକ୍ରିୟାକୁ ନିରପେକ୍ଷତା ବଜାୟ ରଖିବା ପାଇଁ ଡିଜାଇନ୍ କରାଯାଇଛି। ସେ ଏହି ଅନୁଷ୍ଠାନଗୁଡ଼ିକର ସ୍ୱାଧୀନ ଏବଂ ରାଜନୈତିକ ପ୍ରଭାବରୁ ମୁକ୍ତ ରହିବାର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଭାରତର ଗଣତାନ୍ତ୍ରିକ ଗଠନରେ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ମତାମତ ଦେଇ ଜଷ୍ଟିସ୍ ନାଗାରତ୍ନା କହିଥିଲେ ଯେ ନିର୍ବାଚନ କେବଳ ଏକ ସାମୟିକ ପ୍ରକ୍ରିୟା ନୁହେଁ ବରଂ ରାଜନୈତିକ ଶକ୍ତି ପ୍ରତିଷ୍ଠିତ ହେବାର ମାଧ୍ୟମ।
'ଟି.ଏନ୍. ଶେଷନ' ବନାମ ଭାରତୀୟ ସଂଘ ମାମଲାର ମଧ୍ୟ ଉଦାହରଣ ଦେଇଥିଲେ। ସେ କହିଥିଲେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ବାଚନର ନିରପେକ୍ଷତା ସୁନିଶ୍ଚିତ କରିବାର ଦାୟିତ୍ୱରେ ନ୍ୟସ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂସ୍ଥା ଭାବରେ ସ୍ୱୀକୃତି ଦେଇଛନ୍ତି। ଯଦି ନିର୍ବାଚନ ପରିଚାଳନା କରୁଥିବା ଲୋକମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଲୋକଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି, ତେବେ ପ୍ରକ୍ରିୟାର ନିରପେକ୍ଷତା ସୁନିଶ୍ଚିତ କରାଯାଇପାରିବ ନାହିଁ।' ଇତିହାସ ଶିକ୍ଷା ଦିଏ କୌଣସି ସାମ୍ବିଧାନିକ ବ୍ୟବସ୍ଥାର ପତନ ସେତବେଳେ ଆରମ୍ଭ ହୁଏ ଯେତେବେଳେ ଏହାର ସାଂଗଠନିକ ଗଠନ ଦୁର୍ବଳ ହୋଇଯାଏ ଏବଂ ଅଧିକାରର ଉଲ୍ଲଂଘନ ହୁଏ। ତାଙ୍କ ମତରେ, ଏହି ପରିସ୍ଥିତି ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଅନୁଷ୍ଠାନଗୁଡ଼ିକ ପରସ୍ପର ଉପରେ ନିୟନ୍ତ୍ରଣ ଏବଂ ସନ୍ତୁଳନ ବଜାୟ ରଖିବା ବନ୍ଦ କରିଦିଏ। ଏପରି ସ୍ଥିତିରେ, ଯଦିଓ ନିର୍ବାଚନ ଅନୁଷ୍ଠିତ ହେବା ଜାରି ରହିପାରେ, କୋର୍ଟ କାର୍ଯ୍ୟ କରିପାରନ୍ତି ଏବଂ ସଂସଦ ଆଇନ ପ୍ରଣୟନ ଜାରି ରଖିପାରେ, ତଥାପି କ୍ଷମତା ଉପରେ କୌଣସି ପ୍ରକୃତ ପ୍ରଭାବଶାଳୀ ନିୟନ୍ତ୍ରଣ ରହିନଥାଏ କାରଣ ସାଂଗଠନିକ ଶୃଙ୍ଖଳା ଏବଂ ସନ୍ତୁଳନ ଦୁର୍ବଳ ହୋଇଯାଇଥାଏ।

