Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Odisha Flood Update ; କୃଷକଙ୍କ ପାଇଁ ବଡ଼ ଖବର ! ଆସୁଛି କୃଷି ସହାୟତା ପ୍ୟାକେଜ୍, ରିପୋର୍ଟ ପରେ ଘୋଷଣା ହେବ ପ୍ୟାକେଜ୍

Odisha Flood Update ; କୃଷକଙ୍କ ପାଇଁ ବଡ଼ ଖବର ! ଆସୁଛି କୃଷି ସହାୟତା ପ୍ୟାକେଜ୍, ରିପୋର୍ଟ ପରେ ଘୋଷଣା ହେବ ପ୍ୟାକେଜ୍

ଭୁବନେଶ୍ୱର,୦୧/୦୮(ବ୍ୟୁରୋ): ରାଜ୍ୟରେ ବନ୍ୟା ଯୋଗୁଁ ୧୮ଟି ଜିଲ୍ଲାର ହେକ୍ଟର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ତୁରନ୍ତ ଆବଶ୍ୟକୀୟ ଜରୁରୀକାଳୀନ ପଦକ୍ଷେପ ଏବଂ ସହାୟତା ବ୍ୟବସ୍ଥା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ କରିବା ବାବଦରେ ଅଧିକାରୀମାନେ କିଭଳି ତୁରନ୍ତ ପଦକ୍ଷେପ ନେବେ ସେ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ଶୁକ୍ରବାର ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ତୁରନ୍ତ ଏବଂ ସ୍ୱଚ୍ଛ ମୂଲ୍ୟାଙ୍କନ ନିଶ୍ଚିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆକଳନ କମିଟି ଗଠନ କରିଛନ୍ତି । ଯାହା ଶୀଘ୍ର ବିସ୍ତୃତ ଫସଲ କ୍ଷତିପୂରଣ ରିପୋର୍ଟ ପ୍ରଦାନ କରିବ । ଏହି ରିପୋର୍ଟ ଆଧାରରେ ଏକ ବ୍ୟାପକ କୃଷି ସହାୟତା ପ୍ୟାକେଜ୍ ଘୋଷଣା କରାଯିବ । ଯେଉଁଥିରେ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ ।

ଆହୁରି ପଢନ୍ତୁ ;- Hockey jersey Row: 'ମୋ ଅଜ୍ଞାତରେ ଜର୍ସି ରଙ୍ଗ ପରିବର୍ତ୍ତନ ହୋଇଛି'; ଜର୍ସି ବିବାଦରେ ମତ ବଦଳାଇଲେ ହକି ଇଣ୍ଡିଆ ସଭାପତି

ପ୍ରାରମ୍ଭିକ କ୍ଷୟକ୍ଷତି ସମୟରେ ଚାଷୀଙ୍କୁ ସହାୟତା କରିବା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ବିହନ ଉପଲବ୍ଧତା ସମ୍ପର୍କିତ ଏକ ସମ୍ପୂର୍ଣ୍ଣ ଜରୁରୀକାଳୀନ ରିପୋର୍ଟ ଉପସ୍ଥାପନ କରିଛନ୍ତି । ସେହିପରି ସହାୟତା ପଦକ୍ଷେପ ସହିତ, ଚାଷୀଙ୍କୁ ଫସଲର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଓୟୁଏଟି ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ମାଧ୍ୟମରେ ଦୈନନ୍ଦିନ ଫସଲ ପରାମର୍ଶ ଜାରି ରହିବ । କୃଷକମାନଙ୍କୁ ଧାନ ତଳିଘରର ଯତ୍ନ ନେବା, ସ୍ୱଳ୍ପ ଅବଧି ବିଶିଷ୍ଟ ବିହନ ବ୍ୟବହାର କରିବା ଏବଂ ଗୁରୁତର ଭାବେ କ୍ଷତିଗ୍ରସ୍ତ ଜମିରେ ଅଣ-ଧାନ ଫସଲ ଆପଣେଇବା ପାଇଁ ପରାମର୍ଶ ଦିଆଯାଇଛି । ଖରିଫ ଫସଲର କ୍ଷତିପୂରଣ ପାଇଁ ଆଗାମୀ ରବିଋତୁ ଉପରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବେ । କ୍ଷେତ୍ରସ୍ତରୀୟ ସମସ୍ୟା ଏବଂ ଅଭିଯୋଗର ସମାଧାନ ପାଇଁ ମୁଖ୍ୟାଳୟରେ ଜଣେ ନୋଡାଲ ଅଫିସର ଏବଂ ବ୍ଲକ ସ୍ତରରେ ନିୟୋଜିତ ଅଧିକାରୀଙ୍କୁ ନେଇ ଏକ ତ୍ରିସ୍ତରୀୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଚାଷୀମାନେ ପରାମର୍ଶ ଏବଂ ସହାୟତା ପାଇଁ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଟୋଲ୍-ଫ୍ରି କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ୱର-୧୫୫୩୩୩ଞ୍ଚରେ ଯୋଗାଯୋଗ କରିପାରିବେ ।

ଏହି ବୈଠକରେ କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ଓୟୁଏଟି କୁଳପତି ଡ. ପ୍ରଭାତ ରାଉଳ, ଉଦ୍ୟାନକୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା, ଆପିକଲ୍ ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ନୀତି ରଂଜନ ସେନ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀଭାଇଭଉଣୀମାନଙ୍କୁ ଆଶ୍ୱାସନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର "ପ୍ରଥମେ ଚାଷୀ' ନୀତିକୁ କଡ଼ାକଡ଼ି ଭାବେ ଆପଣାଉଛନ୍ତି । ପ୍ରଭାବିତ ଅଞ୍ଚଳର କୃଷକମାନଙ୍କୁ କ୍ଷୟକ୍ଷତି ନେଇ ଭୟଭୀତ ନହେବା ପାଇଁ ଅନୁରୋଧ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia