Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Odisha Flood Updates : ଅଣ୍ଟା ଭାଙ୍ଗି ଦେଲା ମହାନଦୀ ବନ୍ୟା, ବଢି ପାଣିରେ ବୁଡ଼ିଲା ୬୦ ଗୁଣ୍ଠର ପରିବା, ଚାଷ ଛାଡ଼ିଦେବେ ସଫଳ ଚାଷୀ ବଲ୍ଲଭ...

Odisha Flood Updates : ଅଣ୍ଟା ଭାଙ୍ଗି ଦେଲା ମହାନଦୀ ବନ୍ୟା, ବଢି ପାଣିରେ ବୁଡ଼ିଲା ୬୦ ଗୁଣ୍ଠର ପରିବା, ଚାଷ ଛାଡ଼ିଦେବେ ସଫଳ ଚାଷୀ ବଲ୍ଲଭ...

"ମହାନଦୀ କଡ଼ରେ ଆମେ ଛୋଟରୁ ବଡ଼ ହେଇଛୁ । ଏହି କ୍ଷେତରୁ ଅମଳ କରି ଆମେ ଜୀବନ ଜିଉଁଥିଲୁ । କିନ୍ତୁ ମହାନଦୀ ଏବେ ସାତ ଶତ୍ରୁ ଭଳି ବ୍ୟବହାର କରୁଛି ।"

କଟକ, ୧/୮ : ବର୍ଷକ ତଳେ ନଈ ଛଡ଼ାଇ ନେଇଥିଲା ଝିଅ ଓ ଝିଆରୀଙ୍କୁ। ମହାନଦୀରେ ଡଙ୍ଗା ଓଲଟିବାରୁ ଝିଆରୀର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଝିଅ ବି କିଛି ଦିନ ପରେ ଆଖି ବୁଜିଥିଲା ।

ଏବେ ସେହି ନଈ ପୁଣି ଦାଉ ସାଧିଛି । ୬୦ ଗୁଣ୍ଠର ପରିବା ଚାଷକୁ ଧୋଇନେଇଛି। ଯେଉଁ ପରିବାକୁ ଆଶ୍ରା କରି ବର୍ଷକର ଗୁଜୁରାଣ ମେଣ୍ଟାଇବାକୁ ଝାଳବୁହା ପରିଶ୍ରମ କରିଥିଲେ ଏବେ ସବୁ ଧୋଇ ଯାଇଛି। ବାଙ୍କୀ-ଡମପଡ଼ା ବ୍ଲକ୍‌ କଇଁମୁଣ୍ଡି ଗାଁର ବଲ୍ଲଭ ବେହେରା ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ପରିବା ଚାଷ କରିଥିଲେ । ଆଶା ଥିଲା ୫ଲକ୍ଷ ରୋଜଗାର କରିଥାନ୍ତେ। କିନ୍ତୁ ଏବେ ମହାନଦୀର ବନ୍ୟା ସେତକ ବି ଛଡ଼ାଇ ନେଲା। ହତାଶାରେ ଉବୁଟୁବୁ ବଲ୍ଲଭ ଦୁଇଦିନ ହେଲାଣି ଘରକୁ ଫେରୁନାହାନ୍ତି । ଜଳବନ୍ଦୀ ଘେରା ବିଲ ପାଖରେ ଦିନରାତି ଲୁହ ଗଡ଼ାଉଛନ୍ତି । ଦୁଇଦିନ ଧରି ଘରକୁ ନଫେରିବାରୁ ବାପା, ଭାଇ ଆସି ତାଙ୍କୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଲ୍ଲଭ ଉଜୁଡ଼ି ଯାଇଥିବା କ୍ଷେତରୁ ମୁହଁ ଫେରାଇ ପାରୁନାହାନ୍ତି । ଏଥର ନିଷ୍ପତ୍ତି ନେଇଛନ୍ତି, ମୂଲିଆ ହୋଇ ବାଲି, ଗୋଡ଼ି ଫେଣ୍ଟିବି ପଛେ ଆଉ ଚାଷ କରିବି ନାହିଁ ।

ବାଙ୍କୀ ଡମପଡ଼ା ବ୍ଲକ୍‌ର ସଫଳ ଚାଷୀ ମାନ୍ୟତା ପାଇଥିବା ବଲ୍ଲଭଙ୍କ ପାଇଁ ସାତ ଶତ୍ରୁଠୁ ବଳି କ୍ଷତି କରିଛି ମହାନଦୀର ବନ୍ୟା । କଇଁମୁଣ୍ଡି ଗାଁର ବଲ୍ଲଭ ମାତ୍ର ୪୨ବର୍ଷ ବୟସରେ ସଫଳ ଚାଷୀ ଭାବେ ପରିଚୟ ହାସଲ କରିଛନ୍ତି । ଆଜିକୁ ୨୬ବର୍ଷ ହେଲାଣି ସେ ପରିବା ଚାଷ କରିଆସୁଛନ୍ତି। କଟକବାଙ୍କୀ ମୁଖ୍ୟ ରାସ୍ତା କଡ଼ରେ ତାଙ୍କ ପରିବାରର ପ୍ରାୟ ୪ ଏକର ଜମି ରହିଛି । ଏଥିରୁ ୬୦ ଗୁଣ୍ଠ ଜମିରେ ବଲ୍ଲଭ ଭଳିକି ଭଳି ପରିବା ଚାଷ କରିଥିଲେ । ୫ଗୁଣ୍ଠରେ କୁନ୍ଦୁରୀ, ୧୫ ଗୁଣ୍ଡରେ ପୋଟଳ, ୧୦ ଗୁଣ୍ଠରେ କାକୁଡ଼ି, ୧୦ ଗୁଣ୍ଠରେ ଭଣ୍ଡା, ୧୦ ଗୁଣ୍ଠରେ ବାଇଗଣ ଓ ଆଉ ୧୦ ଗୁଣ୍ଠରେ ଅନ୍ୟାନ୍ୟ ପରିବା ଲଗାଇଥିଲେ । ଗତ ତିନିମାସ ଧରି ସକାଳୁ ସନ୍ଧ୍ୟା ଯାଏ କ୍ଷେତରେ ଝାଳବୁହା ପରିଶ୍ରମ କରିଥିଲେ। ଫସଲ ଭଲ ହୋଇଥିଲା । ଅମଳ ଆରମ୍ଭ ହେଉଥିଲା । ୫ ଦିନ ପୂର୍ବରୁ କାକୁଡ଼ି ୪୦ କେଜି ଅନୁକୂଳ କରିଥିଲେ । ଆଗକୁ ଅନ୍ୟ ସବୁ ପରିବା ଛତ୍ରବଜାରକୁ ପଠାଇଥାନ୍ତେ। କିନ୍ତୁ ଦୁଇଦିନ ପୂର୍ବରୁ ହଠାତ୍‌ ମହାନଦୀରେ ପାଣି ମାଡ଼ି ଆସିଲା । ମହାନଦୀ ଫୁଲିଲେ ପ୍ରଥମେ ବାଙ୍କୀ କଇଁମୁଣ୍ଡି ବୁଡ଼େ । ଏଥର ବି ସେୟା ହେଲା । ବଲ୍ଲଭଙ୍କ ଫଳନ୍ତି ଫସଲରେ ଏବେ ଛାତିଏ ଉଚ୍ଚର ପାଣି ଘେରି ରହିଛି । ପ୍ରାୟ ପରିବା କଢ଼ି ଭାସିଯାଇଛି । ଆଖିକୁ ଦିଶିଥିବା ଅମଳ ଆଉ ନାହିଁ । ମହାନଦୀର ବନ୍ୟା ପାଣି ତାଙ୍କୁ ତଳିତଳାନ୍ତ କରିଦେଇଛି ।

ଗତବର୍ଷ ଜୁନ୍‌ ମାସରେ ବଲ୍ଲଭଙ୍କ ବଡ଼ଭାଇଙ୍କ ସହ ମହାନଦୀରେ ଏକ ଦୁର୍ଘଟଣା ଘଟିଥିଲା। ରବିବାର ଛୁଟିଦିନ ଥିବାରୁ ବଡ଼ବାପାଙ୍କ ସହ ନଦୀରେ ଗାଧୋଇବାକୁ ଯାଇଥିଲେ ୪ ଭାଇଭଉଣୀ। ଡଙ୍ଗାରେ ନଦୀ ପାର୍‌ ହେଉଥିବାବେଳେ ଡଙ୍ଗା ଓଲଟି ପଡ଼ିଥିଲା । ମହାନଦୀର ସ୍ରୋତରେ ସମସ୍ତେ ଭାସିଗଲେ । ଗାଁ ଲୋକେ ଚାରିଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ହୋଇଗଲେ। ୮ ଘଣ୍ଟା ପରେ ନିଖୋଜ ବଲ୍ଲଭଙ୍କ ଝିଆରୀ ଜିଜ୍ଞାସା ବେହେରାଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ଜିଜ୍ଞାସାଙ୍କର ମୃତ୍ୟୁ ହୋଇଯାଇଥିଲା । ଉଦ୍ଧାର ହୋଇଥିବା ଅନ୍ୟ ୪ଜଣଙ୍କ ଭିତରେ ବଲ୍ଲଭଙ୍କ ୧୨ବର୍ଷର ଝିଅ ମଧ୍ୟ ଥିଲେ । କିନ୍ତୁ ଏହାର କିଛି ଦିନ ପରେ ଝିଅର ବି ମୃତ୍ୟୁ ହୋଇଥିଲା । ଝିଅ, ଝିଆରୀକୁ ଛଡ଼ାଇ ନେବା ପରେ ଏଥର ମହାନଦୀ ତାଙ୍କ ବର୍ଷକର ଅମଳକୁ ମଧ୍ୟ ଧୋଇ ନେଇଛି । "ମହାନଦୀ କଡ଼ରେ ଆମେ ଛୋଟରୁ ବଡ଼ ହେଇଛୁ । ଏହି କ୍ଷେତରୁ ଅମଳ କରି ଆମେ ଜୀବନ ଜିଉଁଥିଲୁ । କିନ୍ତୁ ଦଇବ ପ୍ରହାର ଯୋଗୁଁ ଏବେ ମହାନଦୀ ସାତ ଶତ୍ରୁ ଭଳି ବ୍ୟବହାର କରୁଛି" ବୋଲି ଅଭିମାନ ଓ କୋହଭରା କଣ୍ଠରେ କହିଛନ୍ତି ବଲ୍ଲଭ ।

ଆହୁରି ପଢନ୍ତୁ- ବନ୍ୟା ଯୋଗୁ ୨ ଲକ୍ଷ ୬୮ ହଜାର ଜଳବନ୍ଦୀ, ଉତ୍ତର ଓଡ଼ିଶାରେ ପାଣି ଖସୁଛି, ଦୁର୍ଦ୍ଦଶା ବଢ଼ୁଛି...

ଯୋଡ଼ା: କେନାଲରେ ଭାସିଯାଇଥିବା ଦୁଇ ଯୁବକ ଉଦ୍ଧାର, ଦେଖନ୍ତୁ ଅନ୍ଧାର ରାତିରେ କେମିତି ହେଲେ ଉଦ୍ଧାର​​​​​​​

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia