Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Odisha Flood Updates ; ବାଲେଶ୍ୱରରେ ବନ୍ୟା ବିଭୀଷିକା: ୧.୪୭ ଲକ୍ଷ ଲୋକ ପ୍ରଭାବିତ, ୪୮ ହଜାରରୁ ଅଧିକ ସ୍ଥାନାନ୍ତର, ୩ ମୃତ

Odisha Flood Updates ; ବାଲେଶ୍ୱରରେ ବନ୍ୟା ବିଭୀଷିକା: ୧.୪୭ ଲକ୍ଷ ଲୋକ ପ୍ରଭାବିତ, ୪୮ ହଜାରରୁ ଅଧିକ ସ୍ଥାନାନ୍ତର, ୩ ମୃତ

ବାଲେଶ୍ୱର,୦୧/୦୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ନଦୀରେ ଜଳସ୍ତର ବୃଦ୍ଧି ପରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେବା ସହ ବେଶ୍ କ୍ଷୟକ୍ଷତି ହୋଇଛି । ଉପର ମୁଣ୍ଡରେ ପାଣି ଛାଡ଼ିବା ସହ ଦୁର୍ଦ୍ଦଶା ବଢ଼ୁଥିବାବେଳେ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିଚାଲିଛି । ଦିନକୁ ଦିନ ଜିଲ୍ଲାରେ ପ୍ରଭାବିତଙ୍କ ସଂଖ୍ୟା ବଢ଼ିଚାଲିଛି ।

ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ୧୨ଟି ବ୍ଲକର ୧୪୬ଟି ପଞ୍ଚାୟତରେ ପ୍ରାୟ ୧ ଲକ୍ଷ ୪୭ ହଜାର ୬୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮ ହଜାର ୧୩୦ଜଣଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଇଛି । ବନ୍ୟାର କରାଳ ରୂପରେ ଜିଲ୍ଲାରେ ୩ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିବାବେଳେ ୯ଟି ପଶୁଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପ୍ରଭାବରେ ୧୨ଟି ବ୍ଲକରେ ୧୪୬ଟି ପଞ୍ଚାୟତର ୪୬୩ଟି ଗ୍ରାମ ଏବଂ ୫ଟି ସହରାଞ୍ଚଳ ସମେତ ୧୩୫ଟି ୱାର୍ଡର ପ୍ରାୟ ୧ ଲକ୍ଷ ୪୭ ହଜାର ୬୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଦୁଃଖର ବିଷୟ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯ଟି ପଶୁଙ୍କର ମୃତ୍ୟୁ ହୋଇଛି ।

ଏହାବ୍ୟତିତ ପ୍ରଶାସନ ପକ୍ଷରୁ ଯେଉଁ ସବୁ ସ୍ଥାନ ଗୁଡ଼ିକ ବିପଦ ଘେରରେ ରହିଛି ସେହିଭଳି ଅଞ୍ଚଳ ଗୁଡ଼ିକରୁ ୪୮ ହଜାର ୧୩୦ ଜଣଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଇଛି । ସେଠାରେ ସେମାନଙ୍କୁ ରନ୍ଧା ଖଦ୍ୟ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ୧୬୬ଟି ସ୍କୁଲକୁ ରିଲିଫ କେନ୍ଦ୍ର ଏବଂ ୪ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲା ହୋଇଛି । ଏହି ସବୁ ଆଶ୍ରୟସ୍ଥଳରେ ୪୮,୧୩୦ ଜଣ ଲୋକ ରହିଥିବାରୁ ସେମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ୧୪ଟି ରୋଷେଇ କେନ୍ଦ୍ରରେ ରୋଷେଇ କରାଯାଉଛି । ପଶୁମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ମଧ୍ୟ ୧୪ଟି କେନ୍ଦ୍ର ଖୋଲା ହୋଇଛି । ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ମୋଟ ୧୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବାବେଳେ ୬୫୪ଟି ଘର ଭାଙ୍ଗି ଯାଇଛି । ଲୋକଙ୍କୁ ରିଲିଫ ସାମଗ୍ରୀରେ ଏପର୍ଯ୍ୟନ୍ତ ୩୫.୩ ମେଟ୍ରିକ୍ ଟନ୍ ଚାଉଳ, ୨୫୬.୩ ମେଟ୍ରିକ୍ ଟନ୍ ଚୁଡ଼ା, ୨୬.୪୩ ମେଟ୍ରିକ୍ ଟନ୍ ଗୁଡ଼, ୧୨ ମେଟ୍ରିକ୍ ଟନ୍ ପଶୁଖାଦ୍ୟ, ସବୁଜ ପଶୁଖାଦ୍ୟ ୨୪ ମେଟ୍ରିକ୍ ଟନ୍, ଶୁଖିଲା ପଶୁଖାଦ୍ୟ ୨୬ ମେଟ୍ରିକ୍ ଟନ୍ ପ୍ରଦାନ କରାଯାଇଛି ।

ଆହୁରି ପଢନ୍ତୁ;-Odisha Flood Updates: ବାଲିଯାତ୍ରା ପଡିଆ ଏବଂ ଗଡ଼ଗଡିଆ ଘାଟରେ କଟକଣା, କାଉଡିଆଙ୍କ ପାଣି ଉଠା ଉପରେ ରୋକ୍‌

ଏହାବ୍ୟତୀତ ୧୫୬ଟି ପଲିଥିନ୍ ସିଟ୍ ପ୍ରଦାନ କରାଯାଇଛି । ବ୍ଲକ୍ ସ୍ତରରେ ନୀଳଗିରିରୁ ୨୫ ପଞ୍ଚାୟତର ୫୭,୯୨୦ ଲୋକ, ବସ୍ତାରେ ୧୩ ପଞ୍ଚାୟତରେ ୧୧,୫୩୧, ଜଳେଶ୍ୱରରେ ଗୋଟିଏ ପଞ୍ଚାୟତରୁ ୫୪୨, ବାଲେଶ୍ୱର ସଦରର ୧୮ ପଞ୍ଚାୟତରେ ୧୫,୬୯୩, ରେମୁଣାର ୩୨ ପଞ୍ଚାୟତର ୨୧,୫୬୯, ସୋରର ୯ ପଞ୍ଚାୟତରେ ୩,୬୮୫, ବାହାନାଗାର ୨୨ ପଞ୍ଚାୟତରେ ୧୨,୩୬୯, ସିମୁଳିଆର ୮ ପଞ୍ଚାୟତର ୭,୫୨୩, ଖଇରାର ୧୦ ପଞ୍ଚାୟତର ୧୮୦୦ ଏବଂ ଔପଦାରେ ୮ ପଞ୍ଚାୟତର ୧୪,୪୩୩ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଗୋଟିଏ ଏନ୍ଡିଆର୍ଏଫ୍, ୪ଟି ଓଡ୍ରାଫ୍ ଦଳ ଏବଂ ୧୨ଟି ଅଗ୍ନିଶମ ବାହିନୀ ଦଳକୁ ନିୟୋଜିତ କରାଯାଇଛି । ଏହି ଦଳଗୁଡ଼ିକ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଶୁକ୍ରବାର ଉଦ୍ଧାରକାରୀ ଦଳ ସହ ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲ୍ଲାପାଳ ଶିବ ମାଲବ୍ୟ, ସଦର ତହସିଲଦାର ଅନିଲ କୁମାର ମହାନ୍ତି ସଦର ବ୍ଲକର ସାନଗୋବରା ଅଞ୍ଚଳକୁ ଯାଇଥିଲେ । ସେଠାରେ ଲୋକଙ୍କର ପରିସ୍ଥିତି ଅନୁଧ୍ୟାନ କରିବା ସହ ଆଶ୍ରୟସ୍ଥଳରେ ଖାଦ୍ୟ ଖାଇ ମାନ ଯାଞ୍ଚ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia