Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Odisha Flood Updates : ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ପାଣି ଛାଡ଼ିବାର ୩ ଦିନ ଭିତରେ ରିପୋର୍ଟ, ତାପରେ କ୍ଷତିପୂରଣ...

Odisha Flood Updates : ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ପାଣି ଛାଡ଼ିବାର ୩ ଦିନ ଭିତରେ ରିପୋର୍ଟ, ତାପରେ କ୍ଷତିପୂରଣ...

ଭୁବନେଶ୍ଵର, ୧/୮ : ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ। ଆକାଶ ମାର୍ଗରୁ ୧୨ଟି ବ୍ଲକର ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା। ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୭ ଓଡ୍ରାଫ୍, ୭ ଏନଡିଆରଏଫ୍, ୧୨୯ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ୭୦୦ଟି ଆଶ୍ରୟ ସ୍ଥଳ ଓ ରିଲିଫ କ୍ୟାମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ରହିବା, ଶୁଖିଲା ଓ ରନ୍ଧାଖାଦ୍ୟ ବ୍ୟବସ୍ଥା, ପିଇବା ପାଣି ଓ ଡାକ୍ତରୀ ସେବାର ବ୍ୟବସ୍ଥା କରାଯାଇଛି।

ଏ ସମସ୍ତ ଜିଲ୍ଲା ଗୁଡିକରେ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ସ୍ତରରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ପାଣି ଛାଡ଼ିବାର ୩ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆକଳନ ପରେ ତୁରନ୍ତ କୃଷି ଓ ଘରଭଙ୍ଗା ଇତ୍ୟାଦି କ୍ଷେତ୍ରରେ ସହାୟତା ପ୍ୟାକେଜ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବନ୍ୟାରେ ସତର୍କତା ପଦକ୍ଷେପ ନିଆଯାଇଛି। ଏଥିଯୋଗୁଁ ବଡ଼ ବିପର୍ଯ୍ୟୟକୁ ଟାଳି ଦିଆଯାଇଛି। ଦୟା, କୁଶଭଦ୍ରା, ଭାର୍ଗବୀ ଉପରେ ନଜର ରଖାଯାଇଛି। ପାଣି ଛାଡ଼ିଲାଣି, ଧୀରେ ଧୀରେ ସ୍ଥିତି ସୁଧୁରୁଛି। ଏସଡିଆରଏଫ୍ ରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନ୍ୟା ପରବର୍ତ୍ତୀ ସ୍ଵାସ୍ଥ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଓ ବାଲେଶ୍ୱର ସଦର, ମୟୂରଭଞ୍ଜ ଜିଲ୍ଲାର ବଡସାହି, ଉଦଳା ଓ କପ୍ତିପଦାର କିଛି ପ୍ରଭାବିତ ଅଂଶ ଏବଂ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପ୍ରଭାବିତ ଅଞ୍ଚଳ ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ସବୁ ବିପର୍ଯ୍ୟୟ ପରି ଏହି ବନ୍ୟାରେ ମଧ୍ୟ Zero Casualty କୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଦ୍ୱାରା ପ୍ରଭାବିତ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ବନ୍ୟା ପ୍ରପୀଡିତଙ୍କ ସହାୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ, ଶୁଖିଲା ଓ ରନ୍ଧାଖାଦ୍ୟ, ପିଇବା ପାଣି ଓ ଔଷଧ ଆଦି ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ରାସ୍ତାଗୁଡିକୁ ମଧ୍ୟ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରେ ସ୍ୱାସ୍ଥ୍ୟଜନିତ ସମସ୍ୟା ଯେପରି ନଉପୁଜେ ସେଥିପାଇଁ ମଧ୍ୟ କଡା ନଜର ରଖାଯାଇଛି। ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମୟରେ ସୂଚନା ପ୍ରଦାନ ଓ ଉଚିତ ପଦକ୍ଷେପ ଯୋଗୁ ବନ୍ୟାଜନିତ ବଡ କ୍ଷୟକ୍ଷତିକୁ ରୋକାଯାଇ ପାରିଛି ବୋଲି ସେ କହିଥିଲେ।..

ଆହୁରି ପଢନ୍ତୁ- Odisha Flood Updates : ବନ୍ୟାରେ ୯ ଜିଲ୍ଲାର ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ, ୫୮ ଭେଟନାରୀ ରାପିଡ୍ ଟିମ୍ ମୁତୟନ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia