ଭୁବନେଶ୍ଵର, ୧/୮ : ବନ୍ୟାରେ ୯ ଜିଲ୍ଲାର ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ ହୋଇଛନ୍ତି। ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶୁଙ୍କ ଚିକିତ୍ସା ପାଇଁ ବିଭାଗ ତରଫରୁ ୫୮ଟି ଭେଟନାରୀ ରାପିଡ୍ ଟିମ୍ ମୁତୟନ ହୋଇଛନ୍ତି। ୨୪୫ ସ୍ଥାନରେ ହେଲ୍ଥ କ୍ୟାମ୍ପ ହୋଇଛି।
୧୫ ହଜାର ପଶୁଙ୍କୁ ଚିକିତ୍ସା ସହ ୨୬୩ ମେଟ୍ରିକ ଟନ ଖାଦ୍ୟ ଯୋଗାଇ ଦିଆଯାଇଛି। ୧୯୬୨ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଥିବା ବେଳେ ଏହା ୨୪ ଘଣ୍ଟା ଖୋଲା ରହିଛି। ବନ୍ୟାରେ ଗୃହପାଳିତ ପଶୁ ଫସିଥିଲେ ଟିମ୍ ଯାଇ ଉଦ୍ଧାର କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ଜୁଲାଇ ୩୧ ସୁଦ୍ଧା ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଅନୁସାରେ ରାଜ୍ୟର ୯ଟି ଜିଲ୍ଲାର ୪୫ଟି ବ୍ଲକର ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି।
ବନ୍ୟାରେ ମୋଟ ୪ ଲକ୍ଷ ୮୮ ହଜାର ୮୬୮ଟି ପଶୁ ପ୍ରଭାବିତ ହୋଇଛନ୍ତି। ଏଥିରେ ୩ ଲକ୍ଷ ୧୧ ହଜାର ୫୧୨ଟି ବଡ଼ ପଶୁ ଏବଂ ୧ ଲକ୍ଷ ୭୭ ହଜାର ୩୫୬ଟି ଛୋଟ ପଶୁ ରହିଛନ୍ତି। ଏହାଛଡ଼ା ୨ ଲକ୍ଷ ୩୩ ହଜାର ୭୬୩ଟି କୁକୁଡ଼ା ମଧ୍ୟ ବନ୍ୟାର ପ୍ରଭାବରେ ଆସିଛନ୍ତି। ପଶୁମାନଙ୍କ ସୁରକ୍ଷା ପାଇଁ ୫୮ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ୨୪୫ଟି ପଶୁ ଚିକିତ୍ସା ଶିବିର ମାଧ୍ୟମରେ ୧୫ ହଜାର ୧୭୯ଟି ପଶୁଙ୍କ ଚିକିତ୍ସା କରାଯାଇଛି। ବନ୍ୟା ପୂର୍ବରୁ ୬ ଲକ୍ଷ ୪୬ ହଜାର ୮୨୫ଟି ଏବଂ ବନ୍ୟା ପରେ ୧୧ ହଜାର ୮୦୦ଟି ଟିକା ପ୍ରଦାନ କରାଯାଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୮୦୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭୩.୨ କ୍ୱିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ୱିଣ୍ଟାଲ ଶୁଖିଲା ଘାସ/ନଡ଼ା ବଣ୍ଟନ କରାଯାଇଛି। ତେବେ ବନ୍ୟାରେ ୫ଟି ବଡ଼ ପଶୁ, ୧୨୦ଟି ଛୋଟ ପଶୁ ଓ ୮୦ ହଜାର ୯୦୦ଟି କୁକୁଡ଼ାର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ରାଜ୍ୟରେ ବନ୍ୟା ପ୍ରଭାବ କେବଳ ଲୋକଙ୍କ ଜୀବନରେ ସୀମିତ ରହିନାହିଁ, ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଛି। ପଶୁ ସମ୍ପଦ ବିଭାଗର ସର୍ବଶେଷ ରିପୋର୍ଟ ଅନୁଯାୟୀ, ଲକ୍ଷାଧିକ ପଶୁ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଚିକିତ୍ସା କାର୍ଯ୍ୟ ଚାଲିଛି।
ଆହୁରି ପଢନ୍ତୁ- ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଉଦ୍ୟମ ! କରାଣ୍ଡିଆ ନଦୀରେ ଭାସି ଯାଉଥିବା ଯୁବକ ଉଦ୍ଧାର

