କଟକ, ୧।୮: କଟକ ଜିଲ୍ଲାରେ ବନ୍ୟା ସ୍ଥିତି ସଂଗିନ ହେଲାଣି । ଲଗାତାର ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଜିଲ୍ଲାର ୪୦ ଗାଁରେ ବନ୍ୟା ପାଣି ପଶିଛି । କଟକର ପରିବା ଝୁଡ଼ି କୁହାଯାଉଥିବା ଆଠଗଡ଼ ଓ ବାଙ୍କୀ ଅଞ୍ଚଳରେ ଚାଷଜମିରେ ଆଉ କିଛି ନାହିଁ । ସବୁ ଫଳନ୍ତି ଗଛରୁ ପରିବା ଧୋଇନେଇଛି ମହାନଦୀ । ଚାଷୀଙ୍କ ଆଖି ସାମ୍ନାରେ ସେମାନଙ୍କ ସୁନା ଫସଲ ଉଜୁଡ଼ି ଯାଇଛି ।
ସେହିପରି ଆରମ୍ଭରୁ ଧାନଚାଷ ବି କ୍ଷତିଗ୍ରସ୍ତ ହୋଇଛି । ଆଠଗଡ଼ ଓ ବାଙ୍କୀର ପ୍ରାୟ ୨ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପ୍ରଶାସନର ରିପୋର୍ଟରେ କଟକ ଜିଲ୍ଲାରେ ୨ ବ୍ଲକ୍ର ମାତ୍ର ୧୨ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । କିନ୍ତୁ ଗ୍ରାଉଣ୍ଡ୍ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଆଠଗଡ଼, ବାଙ୍କୀ, ତିଗିରିଆ ଓ ବଡ଼ମ୍ବାର ପ୍ରାୟ ୪୦ରୁ ଅଧିକ ଗାଁ ସିଧାସଳଖ ବନ୍ୟା ବିପତ୍ତିର ସାମ୍ନା କରିଛି । ପ୍ରାୟ ୫୦ହଜାରରୁ ଅଧିକ ଲୋକେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଧାନ ଓ ପରିବା ଚାଷ ଉଜୁଡିଯିବା କାରଣରୁ ହଜାର ହଜାର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି ।
ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଉଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୮୫୧ ଜଣଙ୍କୁ ସୁରକ୍ଷିତ ସ୍ଥାନ ଏବଂ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଆଶ୍ରୟ କେନ୍ଦ୍ରରେ ରହୁଥିବା ସମସ୍ତ ପ୍ରଭାବିତ ପରିବାରଙ୍କୁ ନିୟମିତ ଭାବେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ତିଗିରିଆ ବ୍ଲକ୍ର କାଲିବିରି ଗ୍ରାମ ଓ ବାଙ୍କୀର ଶୁଖୁଆଖଳା ଗ୍ରାମରେ ଜଳବନ୍ଦୀ ପରିବାରକୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ବନ୍ୟାରେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୨୫ଟି ଡଙ୍ଗା, ୧୪ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦଳ, ଗୋଟିଏ ଓଡ୍ରାଫ ଦଳ ଏବଂ ଗୋଟିଏ ଏନ୍ଡିଆର୍ଏଫ୍ ଦଳ ବିଭିନ୍ନ ଅଞ୍ଚଳରେ ମୁତୟନ ରହିଛନ୍ତି ।
ଏହା ବି ପଢ଼ନ୍ତୁ... Odisha Flood Impact |କୃଷକଙ୍କ ପାଇଁ ବଡ଼ ଖବର ! ଆସୁଛି କୃଷି ସହାୟତା ପ୍ୟାକେଜ୍, ରିପୋର୍ଟ ପରେ ଘୋଷଣା ହେବ ପ୍ୟାକେଜ୍
ବିଚ୍ଛିନ୍ନ ଅଞ୍ଚଳ ଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସାମଗ୍ରୀ ଡଙ୍ଗା ଦ୍ୱାରା ଯୋଗାଇ ଦିଆଯାଉଛି । ଉଦ୍ଧାର କାର୍ଯ୍ୟ ସମୟରେ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ପଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବୈଦେଶ୍ୱର ଅଞ୍ଚଳରେ ଜଳବନ୍ଦୀ ହୋଇଥିବା ଶ୍ରମିକମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ନଦୀବନ୍ଧରେ ଘାଇ ସୃଷ୍ଟି ହୋଇନାହିଁ । କୌଣସି ମୃତାହତ କିମ୍ୱା ଆହତଙ୍କ ସୂଚନା ମଧ୍ୟ ମିଳିନାହିଁ । ଜନସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସେତୁ ଓ ବ୍ୟାରେଜକୁ 'ନୋ ପାର୍କିଂ ଜୋନ୍' ଭାବେ ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ସମୟରେ ସେତୁ ଓ ବ୍ୟାରେଜ ଉପରେ ଅନାବଶ୍ୟକ ଭିଡ଼ ନକରିବା, ସେଠାରେ ଯାନବାହନ ପାର୍କିଂ ନ କରିବା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟ ସମୟରେ ଜାରି କରାଯାଉଥିବା ସମସ୍ତ ପରାମର୍ଶ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ଅନୁରୋଧ କରାଯାଇଛି ।

