ଭୁବନେଶ୍ୱର, ୦୨/ ୦୮ : ଟଳିଲା ମହାନଦୀରେ ବନ୍ୟା ଆଶଙ୍କା। ଜଳସ୍ତର ଦ୍ରୁତ ଗତିରେ ଖସିଛି । ସନ୍ଧ୍ୟା ୬ଟାବେଳେ ମୁଣ୍ଡୁଳିରେ ୫.୫୯ ଲକ୍ଷ ଘନଫୁଟ (କ୍ୟୁସେକ) ପାଣି ଚାଲିଥିଲା । ଖଇରମାଳରେ ୫.୩୪ ଲକ୍ଷ ଘନଫୁଟ ଓ ବରମୂଳରେ ୪.୭୨ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା ।
ହୀରାକୁଦ ଆଉ ଅଧିକ ଗେଟ୍ ଖୋଲିନି । ସେଇ ୨୨ଟି ଗେଟ ଦେଇ ପାଣି ଛଡ଼ାଯାଉଛି ।
ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରବେଶ କରୁଥିବା ପାଣି ପ୍ରବାହ କମିଛି । ସକାଳ ୬ଟାରେ ୪ ଲକ୍ଷ ୧୫ ଘନଫୁଟ ପାଣି ପ୍ରବେଶ କରୁଥିଲା । କ୍ରମଶଃ ଏହା କମିବାରେ ଲାଗିଛି । ସନ୍ଧ୍ୟା ୬ଟାରେ ପ୍ରବେଶ କରୁଥିଲା ୨ ଲକ୍ଷ ୮୪ ହଜାର ଘନଫୁଟ ପାଣି । ୨୨ଟି ଗେଟ ଦେଇ ହୀରାକୁଦରୁ ୩ ଲକ୍ଷ ୮୬ ହଜାର ୪୨୧ ଘନଫୁଟ ପାଣି ଛଡ଼ାଯାଉଛି । ହୀରାକୁଦ ଜଳସ୍ତର ୬୨୫.୨୧ ଫୁଟ ଥିଲା ।
ଅଧିକ ପଢ଼ନ୍ତୁ :- ବନ୍ୟା ପରିସ୍ଥିତିର ମୁକାବିଲା : କେନ୍ଦ୍ରରୁ ଓଡିଶାକୁ ଦ୍ୱିତୀୟ କିସ୍ତିରେ ୫୦୦ କୋଟି ଟଙ୍କା ମଞ୍ଜୁର
ବିଶେଷଜ୍ଞଙ୍କ କହିବାନୁସାରେ ହୀରାକୁଦ ଜଳଭଣ୍ଡାରରୁ ଗତକାଲି ୨୨ଟି ଗେଟ୍ ଦେଇ ଯେତିକି ପାଣି ଛଡ଼ାଯାଇଛି, ତାହା ମୁଣ୍ଡୁଳିରେ ପହଞ୍ଚିବାକୁ ୩୬ରୁ ୪୦ ଘଣ୍ଟା ସମୟ ଲାଗିଥାଏ । ତେଣୁ ଶନିବାର ବିଳମ୍ବିତ ରାତି କିମ୍ବା ରବିବାର ସକାଳକୁ ଏହି ପାଣି ମୁଣ୍ଡୁଳିରେ ପହଞ୍ଚିବ । ବର୍ତ୍ତମାନ ଜଳସ୍ତର ପୂର୍ବାପେକ୍ଷା ବହୁ ପରିମାଣରେ କମିଥିବାରୁ ହୀରକୁଦ ପାଣି ପହଞ୍ଚିଲେ ମଧ୍ୟ ଆଉ କିଛି ସମସ୍ୟା ହେବନି । ଉପରମୁଣ୍ଡ ପାଣି ମିଶିଲେ ଅତି ବେଶିରେ ମୁଣ୍ଡୁଳିରେ ୬ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ପାଣି ଚାଲିପାରେ । ଜଳସମ୍ପଦ ବିଭାଗ ସର୍ବେ ର୍ାଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ କହିବାନୁସାରେ ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ । ଉପରମୁଣ୍ଡରୁ ଜଳ ପ୍ରବାହ କମିଛି । ହୀରାକୁଦ ଜଳଭଣ୍ଡାରକୁ ୩ ଦିନ ଭିତରେ ଏସ୍ଓପି ଅନୁଯାୟୀ ଖାଲି କରାଯାଇ ଆଗାମୀଦିନ ପାଇଁ ପ୍ରସ୍ତୁତ ରହିବାକୁ ହେବ । ସବୁ ନଦୀରେ ଜଳସ୍ତର କମିବା ସହ ବିପଦ ସଙ୍କେତ ତଳେ ରହିଛି ।
ମହାନଦୀରେ ବନ୍ୟା ସଙ୍କଟ ଟଳିଥିଲେ ମଧ୍ୟ ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିଛି । କେତେକ ସ୍ଥାନରେ ପଛୁଆ ପାଣି ଠେଲି ହୋଇ ମାଡ଼ିଯାଇଛି ଚାଷ ଜମି ଓ ଗାଁକୁ । କଟକର ବାଙ୍କୀ, ତିଗିରିଆ, ଆଠଗଡ଼, ଜଗତସିଂହପୁରର କୁଜଙ୍ଗ, ତିର୍ତ୍ତୋଲ, କେନ୍ଦ୍ରାପଡ଼ାର ବିଭିନ୍ନ ବ୍ଲକର ତଳି ଅଞ୍ଚଳ, ପୁରୀର କଣାସ, ଖୋର୍ଦ୍ଧାର କେତେକ ଅଞ୍ଚଳରେ ପାଣି ପଶିଛି ।
ଏସ୍ଆରସି କାର୍ଯ୍ୟାଳୟଙ୍କ ସୂଚନା ଅନୁସାରେ ନରାଜରେ ମହାନଦୀ ବିପଦ ସଙ୍କେତ ତଳକୁ ଖସିବା ସହ ଜଳସ୍ତର କମିବାରେ ଲାଗିଛି । ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ସବୁଠି ଜଳସ୍ତର କମିଛି । ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝରରେ ପାଣି ଖସୁଥିଲେ ମଧ୍ୟ ବିପନ୍ନଙ୍କ ଦୁଃଖ ସରୁନି । ବାଲେଶ୍ୱରର ୧ ଲକ୍ଷ ୪୭ ହଜାର ୬୫ ଲୋକେ ପ୍ରଭାବିତ ହୋଇଥିବାବେଳେ ୫୭ ହଜାର ୨୩୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
ମୟୂରଭଞ୍ଜରେ ୫୮୪୯ ଲୋକେ ପ୍ରଭାବିତ ହୋଇଥିବାବେଳେ ୨୩୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା । ଯାଜପୁରରେ ୧.୯୩ ଲକ୍ଷ ଲୋକେ ପ୍ରଭାବିତ ହୋଇଥିବାବେଳେ ୬୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କଟକରେ ୧୦୮୧ ଲୋକେ ପ୍ରଭାବିତ ହୋଇଥିବାବେଳେ ୭୮୧ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଜଗତସିଂହପୁରରେ ପ୍ରଭାବିତଙ୍କ ସଂଖ୍ୟା ୫୬୭୨ ଓ ସ୍ଥାନାନ୍ତରିତ ହୋଇଛନ୍ତି ୧୭୩୪ । କେନ୍ଦ୍ରାପଡ଼ାରେ ୭୩ ହଜାର ୧୬୩ ଲୋକେ ପ୍ରଭାବିତ ହୋଇଥିବାବେଳେ ୧୨୪୯ ଲୋକେ ସ୍ଥାନାନ୍ତରିତ ହୋଇଛନ୍ତି । ଖୋର୍ଦ୍ଧାରେ ୧୪ ହଜାର ଲୋକେ ପ୍ରଭାବିତ ହୋଇଥିବାବେଳେ ୧୩୪୪ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ପ୍ରଭାବିତ ଜିଲ୍ଲାମାନଙ୍କରେ ଲୋକଙ୍କୁ ଆଶ୍ରୟସ୍ଥଳୀରେ ଖାଦ୍ୟ ଦିଆଯିବା ସହ ଗୃହପାଳିତ ପଶୁଙ୍କ ପାଇଁ ୧୨୮୮ ମେଟ୍ରକ ଟନ ଖାଦ୍ୟ ଦିଆଯାଇଛି ।

