ଭୁବନେଶ୍ୱର, ୩୦।୮:ଓଡ଼ିଶାରେ ପୁଷ୍ଟିହୀନତା ଦୂରୀକରଣ ଓ ମାତୃ-ଶିଶୁ ପୁଷ୍ଟି ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ 'ଓଡ଼ିଶା ପୁଷ୍ଟି ମିଶନ' (ଓପିଏମ)ର କାର୍ଯ୍ୟାନ୍ୱୟନ ଓ ରଣନୀତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଏହି ବୈଠକରେ ପୁଷ୍ଟିହୀନତା ଦୂରୀକରଣ ସହ ଡିଜିଟାଲ ନିରୀକ୍ଷଣ ଓ ଅଙ୍ଗନବାଡ଼ି ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି।'ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା' ରେ ଅସମ୍ପୂର୍ଣ୍ଣ କୋଠାର ନିର୍ମାଣ କାର୍ଯ୍ୟ ଶେଷ କରିବା, ଆବଶ୍ୟକ ଥିବା ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରି ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି।
ବୈଠକରେ 'ଓଡ଼ିଶା ପୁଷ୍ଟି ମିଶନ'କୁ 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା'ର ମିଶନ୍-ମୋଡ୍ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଥିଲା। ପୁଷ୍ଟି ସମସ୍ୟା ଅଧିକ ଥିବା ୧୮ଟି ଜିଲ୍ଲାରେ ଏହାକୁ ବିଶେଷ ଭାବେ କାର୍ଯ୍ୟକାରୀ କରାଯିବ। ଏହା ଅଧୀନରେ ୧୦୦ଟି ଆଇସିଡିଏସ୍ ପ୍ରକଳ୍ପର ୨୨,୭୦୭ ଅଙ୍ଗନବାଡ଼ି କେନ୍ଦ୍ର, ଦୁର୍ବଳ ପ୍ରଦର୍ଶନ କରୁଥିବା ୨୨୨ଟି କେନ୍ଦ୍ର ଏବଂ ମାଓ ପ୍ରଭାବିତ ଅଞ୍ଚଳର ୧୫୯ଟି 'ଗ୍ରାମୋଦୟ' ଅଙ୍ଗନବାଡ଼ି କେନ୍ଦ୍ରକୁ ମିଶାଇ ମୋଟ ୨୩,୦୮୮ଟି କେନ୍ଦ୍ର ସାମିଲ ହୋଇଛି। ଏଥିରେ ରାଜ୍ୟର ଚିହ୍ନଟ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଅନ୍ତର୍ଭୁକ୍ତ ରହିଛନ୍ତି । ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଅଧୀନରେ ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଚିହ୍ନଟ କରାଯାଇଛି । ଏଥି ସହିତ ନୀତି ଆୟୋଗଙ୍କ ଦ୍ୱାରା ଚିହ୍ନଟ ୯ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।
ପୁଷ୍ଟିହୀନତାର ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ହସ୍ତକ୍ଷେପ ପାଇଁ ମିଶନରେ ୯ଟି ରଣନୀତିକ ସ୍ତମ୍ଭ- ଶୀଘ୍ର ଚିହ୍ନଟ, ସହାୟତା, ଶିକ୍ଷା, ପୁଷ୍ଟିବର୍ଦ୍ଧନ, ପୁଷ୍ଟିକର ଖାଦ୍ୟ, ବ୍ୟବହାରିକ ସଚେତନତା, ବିଶ୍ଳେଷଣ, ମୂଲ୍ୟାଙ୍କନ ଓ ଉନ୍ନତି ଉପରେ ଗୁରୁତ୍ୱ ଦିଆଯିବ। ପୋଷଣ ଟ୍ରାକର ମାଧ୍ୟମରେ ଶିଶୁଙ୍କ ପୁଷ୍ଟି ସ୍ଥିତିର ନିୟମିତ ଚିହ୍ନଟ ଓ ଡିଜିଟାଲ, ତଥ୍ୟଭିତ୍ତିକ ନିରୀକ୍ଷଣକୁ ସୁଦୃଢ଼ କରାଯିବ। ଜୀବନର ପ୍ରଥମ ୧,୦୦୦ ଦିନ କମ୍ ଓଜନର ନବଜାତକ ଓ ଶିଶୁଙ୍କ ପୁଷ୍ଟିକୁ ବିଶେଷ ଗୁରୁତ୍ୱ ମିଳିବ। ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ଗୁରୁତର କମ୍ ଓଜନ ଓ କ୍ଷୀଣତାର ଶିକାର ଶିଶୁଙ୍କ ସଂଖ୍ୟା ଶୂନ୍ୟ କରିବାକୁ ଲକ୍ଷ୍ୟ ରହିଛି।
ଗର୍ଭବତୀ, ପ୍ରସୂତି ମା' ଓ କିଶୋରୀଙ୍କ ପାଇଁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଏବଂ ଗୁରୁତର ପୁଷ୍ଟିହୀନ ଶିଶୁଙ୍କ ପାଇଁ ବିଶେଷ ପୁଷ୍ଟି ସହାୟତା ଦିଆଯିବ। ଜିଓ-ଟ୍ୟାଗଡ ଅଙ୍ଗନବାଡ଼ି ପରିଦର୍ଶନ, ଲାଇଭ୍ ଡ୍ୟାସ୍ବୋର୍ଡ, ସ୍ୱାଧୀନ ମୂଲ୍ୟାଙ୍କନ ଓ ଖାଦ୍ୟର ଗୁଣବତ୍ତା ପରୀକ୍ଷଣକୁ ମଧ୍ୟ ସୁଦୃଢ଼ କରାଯିବ। ୨୦୨୬-୨୭ ଓ ୨୦୨୭-୨୮ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ପୁଷ୍ଟି ମିଶନ ନିମନ୍ତେ ମୋଟ୩୬୦.୬୮କୋଟିଟଙ୍କାର ପ୍ରସ୍ତାବିତ ବ୍ୟୟବରାଦ ରହିଛି। ଏହା ପୁଷ୍ଟିକର ଖାଦ୍ୟ, ସଚେତନତା, ନିରୀକ୍ଷଣ, ପୁଷ୍ଟି ସର୍ବେକ୍ଷଣ, ଗୁଣବତ୍ତା ପରୀକ୍ଷଣ ଓ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ କାର୍ଯ୍ୟକ୍ରମରେ ବ୍ୟୟ ହେବ।
ଏଥିସହ 'ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା' ଅଧୀନରେ ଅସମ୍ପୂର୍ଣ୍ଣ କେନ୍ଦ୍ରଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବା, ନୂତନ କେନ୍ଦ୍ର ନିର୍ମାଣ ଓ ପାଚେରୀ ସୁବିଧା ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ଏହି କାର୍ଯ୍ୟ ପାଇଁ ବ୍ୟୟବରାଦ ରହିବ। ପିଲାମାନଙ୍କ ସୁବିଧା ପାଇଁ ଜନବସତି ନିକଟରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ସହ ସୁରକ୍ଷିତ ଓ ଶିଶୁ-ଅନୁକୂଳ ପରିବେଶ ଗଠନ ଉପରେ ମଧ୍ୟ ବୈଠକରେ ଜୋର ଦିଆଯାଇଛି।
ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ମୃଣାଳିନୀ ଦର୍ସଓ୍ୱାଲ, ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ ।
ଆହୁରି ପଢନ୍ତୁ : ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବେତନ ସମ୍ପର୍କରେ କଲେ ଆଲୋଚନା

