ଭୁବନେଶ୍ବର, ୦୨/୦୮:ଜାତୀୟ ଓ ରାଜ୍ୟ ରାଜପଥରେ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଏବଂ ସ୍ୱଚ୍ଛ କରିବା ପାଇଁ ଏଆଇ (Artificial Intelligence) ଆଧାରିତ ଇ-ଚାଲାଣ ସିଷ୍ଟମ ଓଡ଼ିଶାର କାର୍ଯ୍ୟକ୍ଷମ କରାଯାଉଛି। ଏହି ଆଧୁନିକ ବ୍ୟବସ୍ଥା ମାଧ୍ୟମରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରି ତୁରନ୍ତ ଇ-ଚାଲାଣ ଜାରି କରାଯିବ।
ରାଜପଥରେ ସ୍ଥାପିତ ହାଇ-ରେଜୋଲ୍ୟୁସନ୍ AI କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍କୁ ସ୍ୱୟଂଚାଳିତ ଭାବେ ପଢ଼ିପାରିବ। ସେହିପରି ଗାଡ଼ିର ଗତିସୀମା, ଲେନ୍ ବ୍ୟବହାର ଓ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ପାଳନ ଉପରେ ମଧ୍ୟ ନଜର ରଖିବ। ନିୟମ ଉଲ୍ଲଂଘନ ହେଲେ ସମ୍ପୂର୍ଣ୍ଣ ତଥ୍ୟ ସ୍ୱୟଂଚାଳିତ ଭାବେ କେନ୍ଦ୍ରୀୟ ସର୍ଭରକୁ ପଠାଯିବ ଏବଂ ସେହି ଆଧାରରେ ଇ-ଚାଲାଣ ପ୍ରସ୍ତୁତ ହେବ।

ଏହି ସିଷ୍ଟମ ମାଧ୍ୟମରେ ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ହେଲମେଟ୍ ବିନା ବାଇକ୍ ଚଳାଇବା, ସିଟ୍ ବେଲ୍ଟ ନ ପିନ୍ଧିବା, ମୋବାଇଲ୍ ଫୋନ୍ ବ୍ୟବହାର କରି ଡ୍ରାଇଭିଂ କରିବା, ରେଡ୍ ସିଗ୍ନାଲ୍ ଉଲ୍ଲଂଘନ ଏବଂ ଭୁଲ୍ ଲେନ୍ରେ ଯାତାୟାତ ଭଳି ବିଭିନ୍ନ ଟ୍ରାଫିକ୍ ନିୟମ ଅବମାନନାକୁ ସହଜରେ ଚିହ୍ନଟ କରାଯିବ। ନିୟମ ଭଙ୍ଗ କରିଥିବା ଗାଡ଼ିର ମାଲିକଙ୍କ ନାମରେ ଇ-ଚାଲାଣ ଜାରି ହେବ ଏବଂ SMS କିମ୍ବା ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଏହାର ସୂଚନା ମିଳିବ।
ଏଆଇ ଆଧାରିତ ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ୨୪ ଘଣ୍ଟା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିପାରିବ। ଏଥିରେ ମାନବୀୟ ତ୍ରୁଟି ଓ ହସ୍ତକ୍ଷେପ କମିବା ସହ ପ୍ରମାଣ ଆଧାରିତ ଚାଲାଣ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ହେବ। ଏହା ଟ୍ରାଫିକ୍ ପରିଚାଳନାକୁ ମଧ୍ୟ ଅଧିକ ଦକ୍ଷ ଏବଂ ପ୍ରଭାବଶାଳୀ କରିବ।

ସଡ଼କ ଦୁର୍ଘଟଣା ହ୍ରାସ କରିବା, ବେପରୁଆ ଡ୍ରାଇଭିଂକୁ ରୋକିବା ଏବଂ ଲୋକଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ବଢ଼ାଇବା ଏହି ନୂଆ ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ଗାଡ଼ି ଚାଳକମାନେ ହେଲମେଟ୍, ସିଟ୍ ବେଲ୍ଟ ଓ ଅନ୍ୟାନ୍ୟ ସୁରକ୍ଷା ନିୟମକୁ ପାଳନ କରିବା ସହ ନିର୍ଦ୍ଧାରିତ ଗତିସୀମା ମଧ୍ୟରେ ଗାଡ଼ି ଚଳାଇଲେ କେବଳ ଇ-ଚାଲାଣରୁ ନୁହେଁ, ବରଂ ସଡ଼କ ଦୁର୍ଘଟଣାରୁ ମଧ୍ୟ ସୁରକ୍ଷିତ ରହିପାରିବେ।
ଏଆଇ ଆଧାରିତ ଇ-ଚାଲାଣ ସିଷ୍ଟମ ଓଡ଼ିଶାର ସ୍ମାର୍ଟ ଟ୍ରାଫିକ୍ ପରିଚାଳନା ଦିଗରେ ଏକ ବଡ଼ ପଦକ୍ଷେପ। ଏହା କେବଳ ଜରିମାନା ଆଦାୟ ପାଇଁ ନୁହେଁ, ବରଂ ଶୃଙ୍ଖଳିତ, ସୁରକ୍ଷିତ ଏବଂ ଦୁର୍ଘଟଣାମୁକ୍ତ ସଡ଼କ ବ୍ୟବସ୍ଥା ଗଠନ କରିବାରେ ଏକ ସହାୟକ ପଦକ୍ଷେପ ଅଟେ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Assam Flood Relief : ଆସାମ ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢ଼ାଇଲେ ଆକ୍ଟର ରଣଦୀପ୍ ହୁଡ଼ା, କଲେ ଖାସ୍ ଅପିଲ୍

