ଭୁବନେଶ୍ୱର, ୧/୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ସେପ୍ଟେମ୍ବର ୮ରୁ UAE ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ UAE ଗସ୍ତ କରିବ । ଦୁବାଇରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍ରେ ଯୋଗଦେଇ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁଙ୍କ ସୂଚନା ଅନୁଯାୟୀ, ଦୁବାଇରେ ଇନଭେଷ୍ଟର୍ସ ମିଟ୍ ସହ ରୋଡ୍ ଶୋ ମଧ୍ୟ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଉପଲବ୍ଧ ନିବେଶ ସୁଯୋଗ, ଶିଳ୍ପ ଭିତ୍ତିଭୂମି ଓ ସରକାରଙ୍କ ନିବେଶ ଅନୁକୂଳ ନୀତି ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଯିବ । ବିଶେଷକରି ଧାତୁ, ପେଟ୍ରୋକେମିକାଲ୍, ସବୁଜ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ, ଇଲେକ୍ଟ୍ରୋନିକ୍ସ, ବନ୍ଦର ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ନିବେଶ ସମ୍ଭାବନା ନେଇ ଆଲୋଚନା ହେବ । ନୂଆ ଶିଳ୍ପ ସ୍ଥାପନ ସହ ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାସହ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବେ । ସେମାନଙ୍କ ସହ ଓଡ଼ିଶାର ବିକାଶ, ଶିଳ୍ପ ଓ ନିବେଶ ସୁଯୋଗ ସମ୍ପର୍କରେ ଭାବ ବିନିମୟ କରାଯିବ ।
ଗତ କିଛି ଦିନ ତଳେ ଓଡ଼ିଶାକୁ ନିବେଶ ଆସିଥିବା ବେଳେ ଏହି ଗସ୍ତ ମାଧ୍ୟମରେ ଆହୁରି ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଆକୃଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ନିବେଶ ବୃଦ୍ଧି ମାଧ୍ୟମରେ ଓଡ଼ିଶାରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି।
ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି ଯେ, ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ସରକାର ନିବେଶକମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। UAE ଗସ୍ତ ମଧ୍ୟ ଏହି ନିବେଶ ଅଭିଯାନକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

