Dailyhunt
ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ, ନିଯୁକ୍ତ ହେବେ ସଂଯୋଜକ, ସ୍ଥାନୀୟ ସମସ୍ୟା ନେଇ ହେବ ଜନ ଆନ୍ଦୋଳନ

ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ, ନିଯୁକ୍ତ ହେବେ ସଂଯୋଜକ, ସ୍ଥାନୀୟ ସମସ୍ୟା ନେଇ ହେବ ଜନ ଆନ୍ଦୋଳନ

ଭୁବନେଶ୍ୱର, ୩୦/୦୪ : କଂଗ୍ରେସ ଏକାକି ନିର୍ବାଚନ ଲଢ଼ିବ। ବିଜେଡି ସହ ମେଣ୍ଟ କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିବା ପରେ ଏବେ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛି । ନୂଆ ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ। ଖୁବ ଶୀଘ୍ର ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ କଂଗ୍ରେସର ପଞ୍ଚାୟତ ସଂଯୋଜକ ବା କୋଅର୍ଡିନେଟର୍‌ ।

ସେହି ସଂଯୋଜକ ପ୍ରତି ପଞ୍ଚାୟତରେ କଂଗ୍ରେସର ବାର୍ତ୍ତା ପହଞ୍ଚାଇବେ ।

ସେହିପରି କଂଗ୍ରେସ ପ୍ରତି ପଞ୍ଚାୟତରେ ବୁଥ୍‌ ଲେଭେଲ୍‌ କମିଟି ଗଢ଼ିଛି । ପ୍ରତି ବୁଥରୁ ଜଣେ ଜଣେ କଂଗ୍ରେସ ନେତାଙ୍କ ତାଲିକା ଓ ତାଙ୍କର ଆଧାର କାର୍ଡ଼ ନମ୍ବର ସମେତ ବିସ୍ତୃତ ସୂଚୀ ବ୍ଲକସ୍ତରୀୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦିଆଯାଉଛି । ଏହା ସହିତ କଂଗ୍ରେସର ଛାମୁଆ ସଂଗଠନଗୁଡ଼ିକର ବି ପଞ୍ଚାୟତ କମିଟି ହେବ ବୋଲି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସ ସୂଚନା ଦେଇଛନ୍ତି। ଅପରପକ୍ଷେ କଂଗ୍ରେସର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପଞ୍ଚାୟତସ୍ତରରେ ସର୍ବୋଦୟ ସଂକଳ୍ପ ଶିବିର ଆୟୋଜନ କରିବ । ଏହି ଶିବିର ମାଧ୍ୟମରେ କଂଗ୍ରେସର ଯୋଗ୍ୟ ନେତା ଚିହ୍ନଟ ପ୍ରକ୍ରିୟା କରାଯିବ । ପ୍ରତି ପଞ୍ଚାୟତ ଓ ପ୍ରତି ଜିଲ୍ଲା ପରିଷଦ ଜୋନସ୍ତରୀୟ ନେତା ତାଲିକା ପ୍ରସ୍ତୁତ କରି ପିସିସିକୁ ସୁପାରିସ୍‌ କରାଯିବ ବୋଲି ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନର ଓଡ଼ିଶା ମୁଖ୍ୟ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି ।

ଏହା ସହିତ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ଗୋଟିଏ ମାଗଣା କଲ କରିବା ପାଇଁ ଟୋଲ ଫ୍ରି ନମ୍ୱର ଜାରି କରାଯିବ । ଏହା ବ୍ୟତୀତ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ପ୍ରତି ପଞ୍ଚାୟତରେ ସ୍ଥାନୀୟ ସମସ୍ୟା ନେଇ ଜନ ଆନ୍ଦୋଳନ କରାଯିବ । ଏହା ସହିତ ପିସିସି ପକ୍ଷରୁ ଗଢ଼ା ଯାଇଥିବା ମନରେଗା ବଞ୍ଚାଅ ସମିତି ମଧ୍ୟ ପଞ୍ଚାୟତ ନିର୍ବାଚନରେ କାମ କରିବ । ଏହାର ରାଜ୍ୟ କମିଟିରେ ବହୁ ଶୀର୍ଷସ୍ତରୀୟ ନେତା ଥିବାରୁ ସେମାନଙ୍କୁ ମଧ୍ୟ ପଞ୍ଚାୟତ ସହିତ ଯୋଡ଼ାଯିବ । ବଡ଼ କାର୍ଯ୍ୟକ୍ରମ ଆୟୋଜନ କରି ରାଜ୍ୟସ୍ତରୀୟ ନେତାଙ୍କୁ ନିମନ୍ତ୍ରଣ କରାଯିବ । ଯାହା ଦ୍ୱାରା କଂଗ୍ରେସର ଭୋଟ୍‌ ହାର ୩୦ ପ୍ରତିଶତକୁ ବୃଦ୍ଧି କରିବାକୁ ଯୋଜନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia