ନୂଆଦିଲ୍ଲୀ, ୨୯।୮: ଅପରେସନ୍ ସିନ୍ଦୂରରେ ଝଟକା ପରେ ପାକିସ୍ତାନର ନୂଆ ପ୍ଲାନ୍ । ଭାରତର କରାଳ ପ୍ରହାର ପରେ ନିଶ୍ଚିହ୍ନ ହୋଇଯାଇଥିବା ଆତଙ୍କୀ ନେଟୱାର୍କକୁ ପୁଣି ସକ୍ରିୟ କରିବାକୁ ପାକିସ୍ତାନ ବ୍ୟାକୁଳ ହୋଇପଡ଼ିଛି । ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀରରେ ଥିବା ପ୍ରମୁଖ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକ ଧ୍ୱଂସ ହେବା ପରେ ଏବେ ଇସଲାମାବାଦ ନିଜର ରଣନୀତି ବଦଳାଇଛି ।
ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକର ସୂଚନା ଅନୁସାରେ, ଆଗାମୀ ନଭେମ୍ବର ଓ ଡିସେମ୍ବର ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ କୌଣସି ବଡ଼ ଧରଣର ଆତଙ୍କବାଦୀ ହମଲା ପାଇଁ ପାକିସ୍ତାନ ଯୋଜନା କରୁଛି । ଭାରତୀୟ ସେନାର ଏୟାରଷ୍ଟ୍ରାଇକ୍ ଭୟରେ ପାକିସ୍ତାନ ଏବେ ବଡ଼ ଆତଙ୍କୀ କ୍ୟାମ୍ପ ବଦଳରେ ଛୋଟ ଛୋଟ 'ଗୁପ୍ତ ମଡ୍ୟୁଲ୍' ତିଆରି କରୁଛି । ଯେପରି ଗୋଟିଏ ଠିକଣା ଧରାପଡ଼ିଲେ ପୂରା ନେଟୱାର୍କ ନଷ୍ଟ ନହୁଏ, ସେଥିପାଇଁ ଏହି ନୂଆ କୌଶଳ ଆପଣାଯାଇଛି ।
ବହାବଲପୁରଠାରେ ଜୈଶ-ଏ-ମହମ୍ମଦର କମ୍ପ୍ଲେକ୍ସରେ ପୁଣି ଥରେ କାର୍ଯ୍ୟକଳାପ ଆରମ୍ଭ ହୋଇଥିବା ପ୍ରମାଣ ମିଳିଛି । ଲସ୍କରର ହ୍ୟାଣ୍ଡଲରମାନଙ୍କୁ ପାଣ୍ଠି ପଠାଯାଉଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ପାକିସ୍ତାନ ଓ ତୁର୍କୀ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ସମ୍ପର୍କ । ଗୁପ୍ତଚର ରିପୋର୍ଟ ଅନୁଯାୟୀ, ତୁର୍କୀ ସମର୍ଥିତ ସିରିଆନ୍ ମିଲିସିଆ ଏବଂ ବେସରକାରୀ ସାମରିକ କମ୍ପାନୀ 'ସାଦାତ୍' (SADAT) ର କମାଣ୍ଡରମାନଙ୍କ ସହ ପାକିସ୍ତାନୀ ହ୍ୟାଣ୍ଡଲରମାନେ ବୈଠକ କରିଛନ୍ତି । ବିଦେଶୀ ଲଢ଼ୁଆମାନଙ୍କୁ ପାକିସ୍ତାନ ବାଟ ଦେଇ ଜମ୍ମୁ-କାଶ୍ମୀରକୁ ପଠାଇବା ପାଇଁ ଯୋଜନା ଚାଲିଛି ।
ନଭେମ୍ବର ମାସ ସୁଦ୍ଧା ଆତଙ୍କୀ ନେଟୱାର୍କକୁ ପୂର୍ଣ୍ଣ ସକ୍ରିୟ କରି ଅନୁପ୍ରବେଶ ବଢ଼ାଇବାକୁ ପାକିସ୍ତାନ ଚେଷ୍ଟା କରୁଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂ ବୃଦ୍ଧି କରିଛି । କାଶ୍ମୀର ଭିତରେ ଥିବା ଆତଙ୍କୀଙ୍କ ସ୍ଥାନୀୟ ସହାୟତାକାରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି, ଯେପରି ସେମାନେ ନୂଆ ଆତଙ୍କୀଙ୍କୁ ରହିବା ଓ ସଞ୍ଚାର ସୁବିଧା ନ ଯୋଗାଇପାରିବେ । 'ଅପରେସନ୍ ସିନ୍ଦୂର' ପରେ ଭାରତ ସ୍ପଷ୍ଟ କରିସାରିଛି ଯେ ସୀମା ପାର୍ ଆତଙ୍କବାଦକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ପାକିସ୍ତାନର ଏହି ନୂଆ 'ଆତଙ୍କୀ ଫ୍ୟାକ୍ଟ୍ରି' କାଶ୍ମୀରରେ ପାଦ ଥାପିବା ପୂର୍ବରୁ ହିଁ ଭାରତୀୟ ସୁରକ୍ଷା ବାହିନୀ ତାହାକୁ ନିଶ୍ଚିହ୍ନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

