Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
PC Musthafa Success Story: ଦିନ ମଜୁରିଆରୁ ୬୮୧ କୋଟି ଟଙ୍କାର କମ୍ପାନୀ ମାଲିକ ! ପିସି ମୁସ୍ତାଫାଙ୍କ ସଂଘର୍ଷ ଓ ସଫଳତାର କଥା

PC Musthafa Success Story: ଦିନ ମଜୁରିଆରୁ ୬୮୧ କୋଟି ଟଙ୍କାର କମ୍ପାନୀ ମାଲିକ ! ପିସି ମୁସ୍ତାଫାଙ୍କ ସଂଘର୍ଷ ଓ ସଫଳତାର କଥା

ନୂଆଦିଲ୍ଲୀ : ' ଆକାଶକୁ କୁହ ଯଦି ଆମ ଉଡ଼ାଣ ଦେଖିବାର ଅଛି, ତ ନିଜର ଉଚ୍ଚତା ଆହୁରି ବଢ଼ାଇ ଦେଉ ...' ଏହି ଧାଡ଼ି ଗୁଡ଼ିକ କେରଳରେ ଜନ୍ମିତ ପିସି ମୁସ୍ତାଫାଙ୍କ କ୍ଷେତ୍ରରେ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ । ୱାୟନାଡ୍ ଜିଲ୍ଲା ସ୍ଥିତ ଚେନ୍ନୋଲୋଡ୍ ଗାଁରେ ଜନ୍ମିତ ମୁସ୍ତାଫାଙ୍କ ପିଲାଦିନ ଖୁବ୍ କଷ୍ଟକର ଥିଲା ।

ତାଙ୍କ ପରିବାରର ଆର୍ଥିକ ସ୍ଥିତି ଥିଲା ବହୁତ ଦୁର୍ବଳ । ସେ ପାଠପଢ଼ାରେ ମଧ୍ୟ ବହୁତ ଭଲ ନଥିଲେ ଏବଂ ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇ ଯାଇ ଥିଲେ । ଏହାପରେ ସେ ସ୍କୁଲ ଯିବା ଛାଡ଼ି ଦେଇ ଥିଲେ । କିନ୍ତୁ ଜଣେ ଶିକ୍ଷକଙ୍କ ଗୋଟିଏ ପ୍ରଶ୍ନ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇ ଥିଲା । ପରବର୍ତ୍ତୀ ସମୟରେ ମୁସ୍ତାଫା ନିଜର କମ୍ପାନୀ ଆରମ୍ଭ କଲେ, ଯାହାର ମୂଲ୍ୟ ଏବେ ପ୍ରାୟ ୬୮୧ କୋଟି ଟଙ୍କାରେ ପହଞ୍ଚିଛି ।

ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ, ମୁସ୍ତାଫାଙ୍କ ବାପା ଜଣେ ଦିନ ମଜୁରିଆ ଥିଲେ ଏବଂ ତାଙ୍କୁ ଦିନକର ମଜୁରୀ ବାବଦକୁ ପ୍ରାୟ ୧୦ ଟଙ୍କା ମିଳୁ ଥିଲା । ପରିବାରର ଆର୍ଥିକ ସ୍ଥିତି ଏପରି ଥିଲା ଯେ, ଅନେକ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ୁ ଥିଲା । ପିଲାଦିନରୁ ହିଁ ମୁସ୍ତାଫା ନିଜ ବାପାଙ୍କୁ ସାହାଯ୍ୟ କରିବା ଆରମ୍ଭ କରି ଦେଇଥିଲେ । ତାଙ୍କ ସହ ବଗିଚାରେ କାମ କରୁ ଥିଲେ । ମୁସ୍ତାଫାଙ୍କ କାହାଣୀ ଦର୍ଶାଏ ଯେ , ପ୍ରତିକୂଳ ପରିସ୍ଥିତି ଏବଂ ପ୍ରାରମ୍ଭିକ ବିଫଳତା କାହାର ଭବିଷ୍ୟତ ନିର୍ଦ୍ଧାରଣ କରେ ନାହିଁ । କଠିନ ପରିଶ୍ରମ ଓ ସଠିକ୍ ଦିଗଦର୍ଶନ ମିଳିଲେ ଜୀବନକୁ ସମ୍ପୂର୍ଣ୍ଣ ବଦଳା ଯାଇ ପାରିବ ।

ଶିକ୍ଷକଙ୍କ ପ୍ରଶ୍ନ ସାଜିଲା ଜୀବନର ଟର୍ନିଂ ପଏଣ୍ଟ -

ଷଷ୍ଠ ଶ୍ରେଣୀରେ ଫେଲ୍ ହେବା ପରେ ମୁସ୍ତାଫା ସ୍କୁଲ ଯିବା ଛାଡ଼ି ଦିନସାରା କାମ କରିବାକୁ ଲାଗିଲେ । କିନ୍ତୁ ତାଙ୍କ ଗଣିତ ଶିକ୍ଷକ ତାଙ୍କୁ ପାଠପଢ଼ା ଛାଡ଼ିବାକୁ ଦେଇ ନଥିଲେ। ଶିକ୍ଷକ ତାଙ୍କୁ ପଚାରି ଥିଲେ ଯେ , ସେ ମଧ୍ୟ ତାଙ୍କ ବାପାଙ୍କ ପରି ଜୀବନସାରା ଦିନ ମଜୁରିଆ କାମ କରିବାକୁ ଚାହୁଁଛନ୍ତି ନା ପାଠପଢ଼ି ନିଜ ଭବିଷ୍ୟତ ବଦଳାଇବାକୁ ଚାହୁଁଛନ୍ତି ? ଶିକ୍ଷକଙ୍କ ଏହି କଥା ମୁସ୍ତାଫାଙ୍କ ମନକୁ ଛୁଇଁ ଗଲା । ଏ କଥା ତାଙ୍କୁ ପାଠ ପଢିବାକୁ ପ୍ରବର୍ତ୍ତେଇ ଥିଲା। ସେ ପୁଣି ଥରେ ସ୍କୁଲ ଯିବାକୁ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତି ପରବର୍ତ୍ତୀ ସମୟରେ ତାଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେଲା ।

ସ୍କୁଲକୁ ଫେରିବା ପରେ ମୁସ୍ତାଫା ପାଠପଢ଼ାରେ ସମ୍ପୂର୍ଣ୍ଣ ଧ୍ୟାନ ଦେଲେ । କ୍ରମେ ତାଙ୍କର ପ୍ରଦର୍ଶନ ଭଲ ହେବାକୁ ଲାଗିଲା। ସେ ସପ୍ତମ ଶ୍ରେଣୀରେ ଟପ୍ କଲେ। ଏହାପରେ ଦଶମ ଶ୍ରେଣୀରେ ମଧ୍ୟ ଚମତ୍କାର ପ୍ରଦର୍ଶନ କଲେ। ଆଗକୁ ଯାଇ ସେ କେରଳ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୬୩ ତମ ରାଙ୍କ୍ ହାସଲ କରି ଥିଲେ । ମୁସ୍ତାଫା NIT କାଲିକଟରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ପଢ଼ିଲେ। ଏହାପରେ ସେ IIM ବାଙ୍ଗାଲୋରରୁ ମ୍ୟାନେଜମେଣ୍ଟ ପାଠପଢ଼ା ଶେଷ କଲେ।

ଦୁଇ ମାସ ମଧ୍ୟରେ ୨ ଲକ୍ଷର ଋଣ ଶୁଝି ଦେଲେ -

ପାଠପଢ଼ା ଶେଷ କରିବା ପରେ ମୁସ୍ତାଫା ବିଦେଶ ଚାଲି ଗଲେ। ସେ ମିଡିଲ୍ ଇଷ୍ଟ ଏବଂ ଆମେରିକାରେ କେତେକ ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କଲେ। ଏହି ସମୟରେ ତାଙ୍କୁ ଭଲ ଦରମା ମିଳୁ ଥିଲା। ସେ ଚାକିରି ଆରମ୍ଭ କରିବାର ମାତ୍ର ଦୁଇ ମାସ ମଧ୍ୟରେ ତାଙ୍କ ବାପାଙ୍କର ୨ ଲକ୍ଷ ଟଙ୍କାର ଋଣ ପରିଶୋଧ କରି ଦେଇ ଥିଲେ । ହେଲେ ଭଲ ଚାକିରି ଏବଂ ଆକର୍ଷଣୀୟ ଦରମା ସତ୍ତ୍ୱେ ମୁସ୍ତାଫା ବେଶି ଦିନ କର୍ପୋରେଟ୍ ଚାକିରି କରିବାକୁ ଚାହୁଁ ନଥିଲେ। ତାଙ୍କ ମନରେ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଥିଲା। ଏହି କାରଣରୁ ସେ ଚାକିରି ଛାଡ଼ି ନିଜ ବ୍ୟବସାୟ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେଲେ।

ଭାରତ ଫେରି ଆରମ୍ଭ କଲେ ଏହି କାମ-

୨୦୦୫ ମସିହାରେ ମୁସ୍ତାଫା ଭାରତ ଫେରି ବାଙ୍ଗାଲୋର ଆସିଲେ। ଏଠାରେ ସେ ନିଜ ଭାଇ ମାନଙ୍କ ସହ ମିଶି ଏକ ଛୋଟ ଖାଦ୍ୟ ବ୍ୟବସାୟ ଆରମ୍ଭ କଲେ। ଏହି ବ୍ୟବସାୟରେ ପ୍ରାୟ ୫୦ ହଜାର ଟଙ୍କା ନିବେଶ କରାଯାଇ ଥିଲା, ଯେଉଁଥିରୁ ମୁସ୍ତାଫା ନିଜ ସଞ୍ଚୟରୁ ୨୫ ହଜାର ଟଙ୍କା ଦେଇଥିଲେ। ସେ ମାତ୍ର ଦୁଇଟି ଗ୍ରାଇଣ୍ଡର, ଗୋଟିଏ ମିକ୍ସର ଏବଂ ପ୍ୟାକେଟ୍ ସିଲ୍ କରିବା ମେସିନ୍ ସାହାଯ୍ୟରେ ୫୫୦ ବର୍ଗଫୁଟର ଏକ ଛୋଟ ସ୍ଥାନରୁ ଆରମ୍ଭ କରି ଥିଲେ କାମ ।

ମୁସ୍ତାଫା ଓ ତାଙ୍କ ଭାଇମାନେ ଲୋକଙ୍କୁ ବିନା କୌଣସି ପ୍ରିଜରଭେଟିଭରେ ତାଜା ଇଡଲି ଓ ଦୋସା ବ୍ୟାଟର ଯୋଗାଇବାକୁ ଚାହୁଁ ଥିଲେ। ସେମାନେ ଆଖପାଖ ଦୋକାନ ଗୁଡ଼ିକରେ ବ୍ୟାଟର ଯୋଗାଣ ଆରମ୍ଭ କଲେ। ହୋଲେ ବ୍ୟବସାୟକୁ ଆଗକୁ ବଢ଼ାଇବା ସହଜ ନଥିଲା। ଦୈନିକ ୧୦୦ ପ୍ୟାକେଟ୍ ବ୍ୟାଟର ବିକ୍ରି କରିବା ସ୍ଥିତିରେ ପହଞ୍ଚିବାକୁ ତାଙ୍କୁ ପ୍ରାୟ ନଅ ମାସ ସମୟ ଲାଗି ଥିଲା। ପ୍ରାରମ୍ଭିକ ଦିନ ଗୁଡ଼ିକରେ ମୁସ୍ତାଫା ନିଜେ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍କୁଟରରେ ଦୋକାନ ଗୁଡ଼ିକୁ ବ୍ୟାଟର ପହଞ୍ଚାଇବାକୁ ଯାଉଥିଲେ। ଧିରେ ଧିରେ ଲୋକଙ୍କୁ ତାଙ୍କର ପ୍ରଡକ୍ଟ ପସନ୍ଦ ଆସିଲା ଏବଂ ବ୍ୟବସାୟ ବଢ଼ିବାକୁ ଲାଗିଲା। ପରବର୍ତ୍ତୀ ସମୟରେ ଏହି ବ୍ୟବସାୟ ଆଇଡି ଫ୍ରେଶ୍ ଫୁଡ୍ ନାମରେ ପ୍ରସିଦ୍ଧି ହୋଇଗଲା ।

ଆଜି ମୁସ୍ତାଫାଙ୍କ କମ୍ପାନୀ ତାଙ୍କର ସେହି ଛୋଟିଆ ଆରମ୍ଭରୁ ବହୁତ ଆଗକୁ ବଢ଼ି ସାରିଛି। ଆଇଡି ଫ୍ରେଶ୍ ଫୁଡ୍ ଏବେ ଇଡଲି ଓ ଦୋସା ବ୍ୟାଟର ବ୍ୟତୀତ ପରୋଟା, ପନୀର, ଦହି, ଚଟଣି, ସାମ୍ବର, ରେଡି-ମିକ୍ସ ଏବଂ ଫିଲ୍ଟର କଫି ଭଳି ଅନେକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି। କମ୍ପାନୀର ଉତ୍ପାଦ ଭାରତର ୧୦୦ରୁ ଅଧିକ ସହରରେ ମିଳୁଛି। ଏହା ବ୍ୟତୀତ UAE, ଆମେରିକା, ବ୍ରିଟେନ୍, ସାଉଦି ଆରବ, ଓମାନ୍, କାତାର, ଆୟରଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶଗୁଡ଼ିକରେ ମଧ୍ୟ କମ୍ପାନୀ ନିଜର ଉତ୍ପାଦକୁ ପହଞ୍ଚାଇ ପାରିଛି।

ବ୍ୟବସାୟ ବଢ଼ିବା ସହ କମ୍ପାନୀରେ କାମ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଆଜି ପ୍ରାୟ ୧,୫୦୦ ଲୋକ ଏହି କମ୍ପାନୀ ସହ ଯୋଡ଼ିହୋଇ ରହିଛନ୍ତି। ଆର୍ଥିକ ବର୍ଷ ୨୦୨୪-୨୫ରେ କମ୍ପାନୀ ୬୮୧.୩୮ କୋଟି ଟଙ୍କାର କାରୋବାର ରେକର୍ଡ କରିଛି, ଯାହା ଗତ ଆର୍ଥିକ ବର୍ଷର ୫୫୭.୮୫ କୋଟି ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ।

ମୁସ୍ତାଫାଙ୍କ କାହାଣୀ ଶିକ୍ଷା ଦିଏ ଯେ, ପାଠପଢ଼ାରେ ବିଫଳ ହେବା, ଆର୍ଥିକ ସମସ୍ୟା କିମ୍ବା କଠିନ ପରିସ୍ଥିତି କୌଣସି ମଣିଷର ଭବିଷ୍ୟତ ନିର୍ଦ୍ଧାରଣ କରେ ନାହିଁ। ଯଦି ପରିଶ୍ରମ କରିବାର ଜିଦି ଏବଂ ଆଗକୁ ବଢ଼ିବାର ଇଚ୍ଛାଶକ୍ତି ଥାଏ, ତେବେ ସବୁ ପ୍ରତିକୂଳ ପରିସ୍ଥିତିରୁ ବାହାରି ବଡ଼ ସଫଳତା ହାସଲ କରାଯାଇ ପାରିବ।

ଆହୁରି ମଧ୍ୟ ପଢନ୍ତୁ - ୪ ବର୍ଷ ବୟସରେ ମନେପଡ଼ିଲା ପୂର୍ବଜନ୍ମ କଥା , ୮୫ ବର୍ଷୀୟା ବୃଦ୍ଧାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଲେ ୨୫ ବର୍ଷିୟ ଯୁବକ !

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia