Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଖୋଲା ହୋଇଛି ୫୯.୦୯ କୋଟି ବ୍ୟାଙ୍କ ଖାତା , ୫୬% ଖାତାଧାରୀ ହେଉଛନ୍ତି ମହିଳା

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଖୋଲା ହୋଇଛି ୫୯.୦୯ କୋଟି ବ୍ୟାଙ୍କ ଖାତା , ୫୬% ଖାତାଧାରୀ ହେଉଛନ୍ତି ମହିଳା

ନୂଆଦିଲ୍ଲୀ, ୨୭ ।୮:ଦେଶର ପ୍ରତ୍ୟେକ ନାଗରିକଙ୍କୁ ଔପଚାରିକ ଆର୍ଥିକ ବ୍ୟବସ୍ଥା ସହ ଯୋଡ଼ିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିଓ୍ବାଇ)ର ଶୁଭାରମ୍ଭ କରିଥିଲେ। ଯୋଜନାଟି ଏବେ ୧୨ ବର୍ଷ ପୂରଣ କରିଛି। ଏହି ଅବଧିରେ ପିଏମଜେଡିଓ୍ବାଇ ଦେଶର ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବା ସହ ବିଶ୍ୱସ୍ତରରେ ଏକ ଅନୁକରଣୀୟ ମଡେଲ ଭାବେ ପରିଚିତ ହୋଇଛି।

ଏହି ଯୋଜନା ମାଧ୍ୟମରେ ବ୍ୟାଙ୍କିଂ ସୁବିଧାରୁ ବଞ୍ଚିତ ପ୍ରତ୍ୟେକ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ମୌଳିକ ବ୍ୟାଙ୍କ ଖାତା ଖୋଲିବାର ସୁବିଧା ମିଳୁଛି। ଖାତା ଖୋଲିବା ପାଇଁ ସର୍ବନିମ୍ନ ଜମା ରାଶିର ଆବଶ୍ୟକତା ନଥିବା ସହ ଖାତା ରକ୍ଷଣାବେକ୍ଷଣ ପାଇଁ କୌଣସି ଶୁଳ୍କ ନାହିଁ। ଖାତାଧାରୀଙ୍କୁ ମାଗଣା ରୁପେ ଡେବିଟ୍ କାର୍ଡ, ଦୁର୍ଘଟଣାଜନିତ ବୀମା ସୁରକ୍ଷା ଏବଂ ଯୋଗ୍ୟତା ଅନୁସାରେ ଓଭରଡ୍ରାଫ୍ଟ ସୁବିଧା ମିଳୁଛି।

୧୯ ଅଗଷ୍ଟ ୨୦୨୬ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁସାରେ, ପିଏମଜେଡିଓ୍ବାଇ ଅଧୀନରେ ମୋଟ ୫୯.୦୯ କୋଟି ବ୍ୟାଙ୍କ ଖାତା ରହିଛି। ଏଥିରୁ ୩୨.୯୨ କୋଟି, ଅର୍ଥାତ୍ ୫୫.୭ ପ୍ରତିଶତ ଖାତା ମହିଳାଙ୍କର। ସେହିପରି ୪୫.୯୫ କୋଟି, ଅର୍ଥାତ୍ ୭୭.୮ ପ୍ରତିଶତ ଖାତା ଗ୍ରାମୀଣ ଓ ଅର୍ଦ୍ଧ-ସହରାଞ୍ଚଳରେ ରହିଛି। ଏହା ଯୋଜନାର ମହିଳା ସଶକ୍ତୀକରଣ ଓ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଔପଚାରିକ ଆର୍ଥିକ ବ୍ୟବସ୍ଥା ସହ ଯୋଡ଼ିବାର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।

ପିଏମଜେଡିଓ୍ବାଇ ଖାତାଗୁଡ଼ିକରେ ମୋଟ ୩,୧୬,୫୧୪ କୋଟି ଟଙ୍କା, ଅର୍ଥାତ୍ ପ୍ରାୟ ୩.୧୭ ଲକ୍ଷ କୋଟି ଟଙ୍କା ଜମା ରହିଛି। ଅଗଷ୍ଟ ୨୦୧୫ରୁ ଅଗଷ୍ଟ ୨୦୨୬ ମଧ୍ୟରେ ଜମା ରାଶି ପ୍ରାୟ ୧୨.୮ ଗୁଣ ବଢ଼ିଥିବାବେଳେ ଖାତା ସଂଖ୍ୟା ୨.୩ ଗୁଣ ବୃଦ୍ଧି ପାଇଛି। ଏହାଛଡ଼ା, ପ୍ରତି ଖାତାରେ ହାରାହାରି ଜମା ରାଶି ୫,୩୫୬ ଟଙ୍କା ରହିଛି, ଯାହା ଗତ ୧୨ ବର୍ଷରେ ୩.୪ ଗୁଣ ବଢ଼ିଛି। ଏହା ଖାତାର ବ୍ୟବହାର ବୃଦ୍ଧି ଓ ଲୋକଙ୍କ ମଧ୍ୟରେ ସଞ୍ଚୟ ପ୍ରବୃତ୍ତି ବଢ଼ିବାର ସଙ୍କେତ ଦେଉଛି।

ଏହି ସମୟ ମଧ୍ୟରେ ପିଏମଜେଡିଓ୍ବାଇ ଖାତାଧାରୀଙ୍କୁ ୪୧.୨୯ କୋଟି ରୁପେ କାର୍ଡ ଜାରି କରାଯାଇଛି। ଏହା ଡିଜିଟାଲ୍ ଆର୍ଥିକ କାରବାରକୁ ଅଧିକ ସହଜ କରିବା ସହ ଆର୍ଥିକ ସେବାର ପହଞ୍ଚ ବଢ଼ାଇଛି।

ଯୋଜନାର ସଫଳତାରେ ଜନଧନ-ଆଧାର-ମୋବାଇଲ୍ (ଜେଏଏମ୍) ତ୍ରିରତ୍ନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ମାଧ୍ୟମରେ ସରକାର ମଧ୍ୟସ୍ଥତା ଓ ବିଳମ୍ବ କମାଇ ଲାଭାର୍ଥୀଙ୍କ ଖାତାକୁ ସିଧାସଳଖ ସରକାରୀ ସହାୟତା ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଏଥିସହ ପିଏମଜେଡିଓ୍ବାଇ ଖାତାଧାରୀମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଭଳି ଜନ ସୁରକ୍ଷା ଯୋଜନା ସହ ଯୋଡ଼ିହେବାର ସୁଯୋଗ ପାଉଛନ୍ତି।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ପିଏମଜେଡିଓ୍ବାଇର ସଫଳତାକୁ କେବଳ ଖାତା ସଂଖ୍ୟା କିମ୍ବା ଜମା ରାଶିରେ ମାପିବା ଉଚିତ୍ ନୁହେଁ; ବରଂ ଦେଶର ବ୍ୟାଙ୍କିଂ ଓ ଆର୍ଥିକ ବ୍ୟବସ୍ଥାରେ ଏହା ଆଣିଥିବା ପରିବର୍ତ୍ତନ ହିଁ ଏହାର ପ୍ରକୃତ ସଫଳତା।

ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଥମ ପାହାଚ ଭାବେ ପିଏମଜେଡିଓ୍ବାଇ ଏବେ ସଞ୍ଚୟ, ବୀମା, ପେନ୍ସନ୍ ଓ ଋଣ ସୁବିଧା ସହ ଲୋକଙ୍କୁ ଯୋଡ଼ିବାରେ ସହାୟକ ହେଉଛି। ନିୟମିତ ସଞ୍ଚୟ ମାଧ୍ୟମରେ ଖାତାଧାରୀମାନେ ମୁଦ୍ରା ଋଣ ସମେତ ବିଭିନ୍ନ ଋଣ ସୁବିଧା ପାଇବାକୁ ଯୋଗ୍ୟ ହେଉଛନ୍ତି। ଫଳରେ ଆୟ ବୃଦ୍ଧି, ଉଦ୍ୟମିତା ଓ ଆର୍ଥିକ ସଶକ୍ତୀକରଣର ନୂଆ ସୁଯୋଗ ସୃଷ୍ଟି ହେଉଛି।

ପିଏମଜେଡିଓ୍ବାଇର ୧୨ ବର୍ଷର ଯାତ୍ରା ଏହି କଥା ସ୍ପଷ୍ଟ କରିଛି ଯେ, ଡିଜିଟାଲ୍ ଭିତ୍ତିଭୂମି, ବ୍ୟାଙ୍କିଂ ବ୍ୟବସ୍ଥା ଓ ସରକାରୀ ପଦକ୍ଷେପର ସମନ୍ୱୟ ମାଧ୍ୟମରେ ଆର୍ଥିକ ସେବାକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇହେବ। ଆଗାମୀ ଦିନରେ ମଧ୍ୟ ସମାବେଶୀ ବିକାଶ ଓ ଆର୍ଥିକ ସଶକ୍ତୀକରଣ ଦିଗରେ ଏହି ଯୋଜନା ଏକ ପ୍ରମୁଖ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ : ଖେଳାଳିଙ୍କୁ ସ୍ୱପ୍ନ ସାକାର କରିବା ପାଇଁ ସୁଯୋଗ ପ୍ରଦାନ କରୁଛି ଖେଲୋ ଇଣ୍ଡିଆ : ପ୍ରଧାନମନ୍ତ୍ରୀ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia