Friday, 11 Dec, 7.47 am ପ୍ରମେୟ

ହୋମ
ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ରୋସିଙ୍କ ପରଲୋକ

ରୋମ, ୧୧/୧୨: ଇଟାଲୀର ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ତଥା ୧୯୮୨ ବିଶ୍ୱକପ୍‌ ଷ୍ଟାର୍‌ ପାଓଲୋ ରୋସିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ୮୨ବିଶ୍ୱକପରେ ଇଟାଲୀକୁ ଚାମ୍ପିଅନ୍‌ କରାଇବାରେ ରୋସିଙ୍କ ପ୍ରମୁଖ ଭୂମିକା ରହିଥିଲା । ସେ ୧୯୭୩ ଜୁଭେଣ୍ଟସ ପକ୍ଷରୁ କ୍ଲବ୍‌ ଫୁଟବଲ୍‌ ଖେଳିବା ଆରମ୍ଭ କରିଥିଲେ । ୧୯୭୮ରେ ସେ ପ୍ରଥମ କରି ଫିଫା ବିଶ୍ୱକପ୍‌ ଖେଳିଥିଲେ । ସେହି ଟୁର୍ଣ୍ଣାମେଣ୍ଟରେ ସେ ୩ଟି ଗୋଲ୍‌ ଓ ୪ଟି ସହାୟତା କରିଥିଲେ । ଇଟାଲୀ ଚତୁର୍ଥ ସ୍ଥାନ ହାସଲ କରିଥିଲା ।

୧୯୮୦ରେ ବେଟିଂ ମାମଲାକୁ ନେଇ ରୋସିଙ୍କୁ ୩ବର୍ଷ ବାସନ୍ଦ କରାଯାଇଥିଲା । ପରେ ବାସନ୍ଦାଦେଶ କୋହଳ କରାଯାଇଥିଲା ଓ ୧୯୮୨ରେ ସେ ପୁନର୍ବାର ଫୁଟବଲ୍‌ ଖେଳିଥିଲେ । ୧୯୮୦ ୟୁରୋ ଚାମ୍ପିଅନ୍‌ସିପ୍‌ରେ ସେ ଖେଳିପାରି ନଥିଲେ ।

୧୯୮୧ରେ ସେ ପୁନର୍ବାର ଜୁଭେଣ୍ଟସ ସହ ଚୁକ୍ତି କରିଥିଲେ । ୧୯୮୨ରେ ବିଶ୍ୱକପ୍‌ରେ ରୋସିଙ୍କ ପ୍ରଦର୍ଶନ ଅବିଶ୍ୱସନୀୟ ରହିଥିଲା । ସେ ବ୍ରାଜିଲ୍‌ ବିପକ୍ଷରେ ହ୍ୟାଟ୍ରିକ୍‌ ଗୋଲ୍‌ କରିଥିଲେ । ସେହିପରି ପୋଲାଣ୍ଡ ବିପକ୍ଷ ସେମି ଫାଇନାଲ୍‌ ଓ ପଶ୍ଚିମ ଜର୍ମାନୀ ବିପକ୍ଷ ଫାଇନାଲରେ ଗୋଲ୍‌ କରିବା ଫଳରେ ଇଟାଲୀ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା। ରୋସି ୬ଟି ଗୋଲ୍‌ କରି ଗୋଲଡେନ୍‌ ବୁଟ୍‌ ଓ ଶ୍ରେଷ୍ଠ ଖେଳାଳି ଭାବେ ଗୋଲଡେନ ବଲ୍‌ ପୁରସ୍କାର ହାସଲ କରିଥିଲେ।

ସେହିବର୍ଷ କ୍ଲବ୍‌ ଫୁଟବଲ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା । ଉଭୟ ଅନ୍ତର୍ଜାତୀୟ ଓ କ୍ଲବ ଫୁଟବଲ୍‌ ପ୍ରଦର୍ଶନକୁ ନେଇ ରୋସିଙ୍କୁ ବାଲନ ଡି ଓର ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଜୁଭେଣ୍ଟସକୁ ୨ଥର ସିରିଜ ଏ' ଚାମ୍ପିଅନ୍‌ କରାଇଥିଲେ । ସେହିପରି ୧୯୮୫ରେ ୟୁରୋପିଆନ୍‌ କପ୍‌ ଚାମ୍ପିଅନ୍‌ କରାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ଇଟାଲୀ ପକ୍ଷରୁ ରୋସି ୪୮ଟି ମ୍ୟାଚ୍‌ ଖେଳି ୨୦ଟି ଗୋଲ୍‌ କରିଥିଲେ । ବିଶ୍ୱକପ୍‌ରେ ସେ ୧୪ଟି ଗୋଲ୍‌ କରି ଇଟାଲୀର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଖେଳାଳି ବିବେଚିତ ହୋଇଥିଲେ । ୧୯୮୭ରେ ସେ ଫୁଟବଲ୍‌ରୁ ଅବସର ଘୋଷଣା କରିଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top