Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରତିଶ୍ରୁତି ପୂରଣ କଲେ ସରକାର, ୧୨୯ ଏତଲା ରଦ୍ଦ କଲେ ସୁପ୍ରିମକୋର୍ଟ; ୫ ସେପ୍ଟେମ୍ବର ରାଲି ବାତିଲ

ପ୍ରତିଶ୍ରୁତି ପୂରଣ କଲେ ସରକାର, ୧୨୯ ଏତଲା ରଦ୍ଦ କଲେ ସୁପ୍ରିମକୋର୍ଟ; ୫ ସେପ୍ଟେମ୍ବର ରାଲି ବାତିଲ

ନୂଆଦିଲ୍ଲୀ,୦୧/୦୯: ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। 'କକରୋଚ୍ ମୁଭମେଣ୍ଟ' ସମୟରେ ଦିଲ୍ଲୀ ସମେତ ୪ଟି ରାଜ୍ୟରେ ଛାତ୍ରମାନଙ୍କ ବିରୋଧରେ ରୁଜୁ ହୋଇଥିବା ମୋଟ ୧୨୯ଟି ଏଫଆଇଆରକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ମଙ୍ଗଳବାର, ସେପ୍ଟେମ୍ବର ୧ ତାରିଖରେ ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ପ୍ରୟୋଗ କରି ଏହି ମାମଲାଗୁଡ଼ିକୁ ରଦ୍ଦ କରିଛନ୍ତି।ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରାୟ ଶୁଣାଇ କହିଛନ୍ତି ଯେ, ଏହି ଏଫଆଇଆରଗୁଡ଼ିକ ଏବେ ଇତିହାସ।

ଏହା ଉପରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ।

ଆନ୍ଦୋଳନ ପ୍ରତ୍ୟାହାର ବଦଳରେ ଏଫଆଇଆର ରଦ୍ଦ ପ୍ରତିଶ୍ରୁତି:

କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଜୁଲାଇ ୨୫ ତାରିଖରେ ସରକାର 'କକରୋଚ୍ ଜନତା ପାର୍ଟି' ସହ ଏକ ପ୍ରତିଶ୍ରୁତି ଦେଇଥିଲେ। ଯଦି ଆନ୍ଦୋଳନ ପ୍ରତ୍ୟାହାର କରାଯାଏ, ତେବେ ଛାତ୍ରମାନଙ୍କ ବିରୋଧରେ ରୁଜୁ ମାମଲାଗୁଡ଼ିକୁ ଫେରାଇ ନିଆଯିବ ବୋଲି ସରକାର କହିଥିଲେ। ପ୍ରଥମେ ଦିଲ୍ଲୀର ଏଫଆଇଆର ସମ୍ପର୍କିତ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହାପରେ ବିହାର, ମହାରାଷ୍ଟ୍ର, ଆସାମ ଓ ପଶ୍ଚିମବଙ୍ଗ ସରକାର ମଧ୍ୟ ମାମଲା ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ। ଏହି ୪ଟି ରାଜ୍ୟରେ ମଧ୍ୟ ଛାତ୍ର ଆନ୍ଦୋଳନକୁ ନେଇ ଏଫଆଇଆର ରୁଜୁ ହୋଇଥିଲା। ସମସ୍ତ ରାଜ୍ୟକୁ ମିଶାଇ ମୋଟ ୧୨୯ଟି ଏତଲା ରଦ୍ଦ କରାଯାଇଛି।

ଅଧିକ ପଢ଼ନ୍ତୁ: ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମମତା ବାନାର୍ଜୀଙ୍କ ଝିଆରୀ ବୃଷ୍ଟିଙ୍କ ମୃତଦେହ, ଚାକିରୀ ପରେ ଏବେ ଗଲା ଜୀବନ

ଅନ୍ୟ ରାଜ୍ୟରେ ମାମଲା ଥିଲେ ଆଗକୁ ବଢ଼ିବନି ତଦନ୍ତ:

ରାୟ ଶୁଣାଇବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଛାତ୍ରମାନଙ୍କ ପ୍ରଦର୍ଶନ ସମ୍ପର୍କିତ ଯଦି ଅନ୍ୟ କୌଣସି ରାଜ୍ୟରେ ମଧ୍ୟ ମାମଲା ରହିଛି, ତେବେ ସେଗୁଡ଼ିକର ତଦନ୍ତକୁ ଆଗକୁ ବଢ଼ାଯିବା ଉଚିତ ନୁହେଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

୨୮୭୩ ଜଣଙ୍କ ବିରୋଧରେ ନୂଆ ଏଫଆଇଆର ପ୍ରସଙ୍ଗ:

ତେବେ ମାମଲା ଏଠାରେ ସରିନାହିଁ। ଦିଲ୍ଲୀ ପୋଲିସ ପକ୍ଷରୁ ଶାରୀରିକ ଆଘାତ ଓ ସରକାରୀ/ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ୨୮୭୩ ଜଣଙ୍କ ବିରୋଧରେ ନୂଆ ଏତଲା ରୁଜୁ କରିବା ପ୍ରସଙ୍ଗ ଉଠିଛି। ଏନେଇ ୪ଟି ରାଜ୍ୟ ମଧ୍ୟ ସମାନ ପ୍ରକାର ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ସଲିସିଟର ଜେନେରାଲଙ୍କୁ ଆବେଦନର ପଞ୍ଚମ ପାରା ପଢ଼ିବାକୁ କହିଥିଲେ। ଏଥିରେ ଭବିଷ୍ୟତରେ ନୂଆ ଏତଲା ନ କରିବା ଏବଂ ୨୮୭୩ ଜଣଙ୍କ ବିରୋଧରେ ଥିବା ନୂଆ ଏତଲା ସମ୍ପର୍କିତ ବିଷୟ ଉଲ୍ଲେଖ ଥିବା କୁହାଯାଇଛି। ଏହି ପ୍ରସଙ୍ଗକୁ ନେଇ କିଛି ଆଇନଜୀବୀ ବିରୋଧ ମଧ୍ୟ କରିଥିଲେ। ସେମାନେ କହିଥିଲେ ଯେ, ଏହି ୨୮୭୩ ଜଣଙ୍କ ସମ୍ପୂର୍ଣ୍ଣ ବିବରଣୀ କୋର୍ଟରେ ଦାଖଲ କରାଯିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ନେପାଳରେ ନିଖୋଜ ବାପା-ମା', ଆଖିରେ ଲୁହ… ତଥାପି ଦେଲେ NEET-PG ପରୀକ୍ଷା

ମୃତ ଛାତ୍ରଙ୍କ ପରିବାରକୁ ମିଳିବ କ୍ଷତିପୂରଣ:

ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଛାତ୍ରମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ସଲିସିଟର ଜେନେରାଲ କହିଥିଲେ ଯେ, ସରକାର ଏହି ପ୍ରତିଶ୍ରୁତିରେ ଏବେ ମଧ୍ୟ ଅଟଳ ରହିଛନ୍ତି। କେବଳ କ୍ଷତିପୂରଣ ଦେବାର ପ୍ରକ୍ରିୟା ଓ ନିୟମାବଳୀ ନିର୍ଦ୍ଧାରଣ କରିବା ବାକି ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ମାସ ସମୟ ମଗାଯାଇଛି। ଏହି ସମୟ ମଧ୍ୟରେ କ୍ଷତିପୂରଣ ପ୍ରଦାନର ପଦ୍ଧତି ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଇଛି।

ବାତିଲ ହେଲା ୫ ସେପ୍ଟେମ୍ବର ପ୍ରଦର୍ଶନ:

ସୁପ୍ରିମକୋର୍ଟଙ୍କ ରାୟ ପରେ 'କକରୋଚ୍ ଜନତା ପାର୍ଟି'ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ପ୍ରସ୍ତାବିତ ପ୍ରଦର୍ଶନକୁ ବାତିଲ କରାଯାଇଛି। ଅର୍ଥାତ୍, ସରକାରଙ୍କ ପ୍ରତିଶ୍ରୁତି ପୂରଣ ଓ ସୁପ୍ରିମକୋର୍ଟଙ୍କ ରାୟ ପରେ ଛାତ୍ର ଆନ୍ଦୋଳନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଛେଦ ପଡ଼ିବାର ଆଶା ସୃଷ୍ଟି ହୋଇଛି। ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ମଧ୍ୟ କହିଛନ୍ତି, ଯଦି ଉଭୟ ପକ୍ଷ ପ୍ରସ୍ତୁତ ଥାଆନ୍ତି, ତେବେ କୌଣସି ମାମଲାର ସମାଧାନ ସମ୍ଭବ।

​​​​​​​ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଆସୁଛି ପ୍ଲାଷ୍ଟିକ ନୋଟ୍, 'Animal Tallow' ଉପରେ RBIର କଟକଣା !

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia