ଭୁବନେଶ୍ୱର ୦୪/୦୫: ବୃନ୍ଦାବନର ପ୍ରସିଦ୍ଧ ନିଧିବନ ରାଧା-କୃଷ୍ଣଙ୍କ ପବିତ୍ର ରାସଲୀଳାର କ୍ଷେତ୍ର । ନିଧିବନର ବୃକ୍ଷଗୁଡ଼ିକ ଗୋପାଙ୍ଗନାରେ ପରିଣତ ହୋଇଯାଇଥାନ୍ତି ଏବଂ ଆଜି ବି ଏଠାରେ ଗଭୀର ରାତ୍ରିରେ ଏହି ରାସଲୀଳା ରଚିତ ହୁଏ ବୋଲି ବିଶ୍ୱାସ ରହିଛି । ନିଧିବନ ପରିସରରେ ଏକ ତେନ୍ତୁଳି ଗଛ ରହିଛି । ଯାହା ଇମିଲିତଲା ନାମରେ ପ୍ରସିଦ୍ଧ ।
ଏହି ବୃକ୍ଷ ମୂଳରେ ରାଧାଙ୍କ ସହିତ କୃଷ୍ଣଙ୍କର ଅଲୌକିକ ମିଳନ ହୋଇଥିଲା ବୋଲି କୁହାଯାଏ । ରାସଲୀଳା କାଳରେ ହଠାତ୍ ରାଧା ଉଭାନ ହୋଇଯିବା କାରଣରୁ ତେନ୍ତୁଳି ଗଛ ମୂଳରେ ବସି ବିରହୀ କୃଷ୍ଣ ରାଧାଙ୍କ ଚିନ୍ତାରେ ଏପରି ମଗ୍ନ ହୋଇଯାଇଥିଲେଯେ ତାଙ୍କର ଶ୍ୟାମଳ ବର୍ଣ୍ଣ ରାଧାଙ୍କ ଗୌରବର୍ଣ୍ଣ ଧାରଣ କରିଥିଲା । ଏଣୁ ଏହି ପବିତ୍ର ବୃକ୍ଷକୁ ଦର୍ଶନ ସହିତ ଏହାର ଶାନ୍ତ ପରିବେଶରେ ନିଜକୁ କୃଷ୍ଣପ୍ରେମରେ ହଜାଇ ଦେବା ପାଇଁ ପ୍ରତିବର୍ଷ ହଜାର ହଜାର କୃଷ୍ଣଭକ୍ତ ଆସିଥାନ୍ତି ।
ଆଶ୍ଚର୍ଯ୍ୟର କଥା ହେଲା ଇମିଲିତଲାର ଫଳ କେବେହେଁ ପାଚେ ନାହିଁ । ଶ୍ରୀରାଧାଙ୍କ ଅଭିଶାପ କାରଣରୁ ଏପରି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏକ ପୌରାଣିକ କଥା ଅନୁଯାୟୀ ଏକଦା ରାଧା ତରବରରେ ଯମୁନାକୁ ଯିବାବେଳେ ତାଙ୍କର ପାଦ ଏକ ପାଚିଲା ତେନ୍ତୁଳି ଉପରେ ପଡି ଖସିଗଲା । ସେ ତଳେ ପଡ଼ିଗଲେ ଏବଂ ତାଙ୍କର ଶୃଙ୍ଗାର ଅସଜଡ଼ା ହୋଇଗଲା । ରାଧାରାଣୀ କ୍ରୋଧରେ ଗଛଟିକୁ କହିଲେ 'ତୋର ଫଳ ଆଉ କେବେ ପାଚିବ ନାହିଁ ।' ଆଶ୍ଚର୍ଯ୍ୟ! ଆଜି ବି ନିଧିବନର ପ୍ରସିଦ୍ଧ ତେନ୍ତୁଳିଗଛର ଫଳ କଞ୍ଚା ହିଁ ମିଳିଥାଏ । ୫ଶହ ବର୍ଷ ତଳେ ଶ୍ରୀଚୈତନ୍ୟ ବୃନ୍ଦାବନରେ ଥିବାବେଳେ ଏହି ତେନ୍ତୁଳି ଗଛ ମୂଳରେ ବସି ସମାଧିସ୍ଥ ହୋଇଯାଇଥିଲେ । ଏଠାରେ ଥିବା କୃଷ୍ଣ ମନ୍ଦିର ଇମିଲିତଲା ମନ୍ଦିର ଭାବେ ପ୍ରସିଦ୍ଧି ଲାଭ କରିଛି ।

