Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Rare Earth : ଚୀନ୍‌ ଉପରୁ ନିର୍ଭରତା କମାଇବାକୁ ରଣନୀତି, ଓଡ଼ିଶାରେ ହେବ ବିରଳ ଖଣିଜ ପ୍ରୋସେସିଂ ପ୍ଲାଣ୍ଟ

Rare Earth : ଚୀନ୍‌ ଉପରୁ ନିର୍ଭରତା କମାଇବାକୁ ରଣନୀତି, ଓଡ଼ିଶାରେ ହେବ ବିରଳ ଖଣିଜ ପ୍ରୋସେସିଂ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୯/୦୫: ଦେଶରେ ବିରଳ ଖଣିଜ ପଦାର୍ଥର ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ କେନ୍ଦ୍ର ସରକାର ଓଡ଼ିଶା, ଗୁଜରାଟ, ତେଲେଙ୍ଗାନା ଏବଂ ମହାରାଷ୍ଟରେ ୪ଟି ବିରଳ ଖଣିଜ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି । ସେମିକଣ୍ଡକ୍ଟର, ଇଲେକ୍ଟ୍ରିକ୍‌ ଯାନ, ସୌର ପ୍ୟାନେଲ, ହାଇ-ଟେକ୍‌ ଇଲେକ୍ଟ୍ରୋନିକ୍ସ ଗୁଡ୍‌ ଏବଂ ପ୍ରତିରକ୍ଷା ଉପକରଣ ଉତ୍ପାଦନ କ୍ଷେତ୍ରରେ ଏହି ବିରଳ ଖଣିଜ ପଦାର୍ଥଗୁଡ଼ିକର ପ୍ରମୁଖ ଭୂମିକା ରହିଥାଏ ।

ଏଭଳି କ୍ଷେତ୍ରରେ ଏହାର ଘରୋଇ ଉତ୍ପାଦନ କ୍ଷମତା ବଢ଼ାଇବା ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର ।

ରାଷ୍ଟ୍ରୀୟ ବିରଳ ଖଣିଜ ମିଶନ୍‌ (ଏନ୍‌ସିଏମ୍‌ଏମ୍‌) ଉପରେ ଉଦ୍‌ବୋଧନ ଦେଇ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡି କହିଲେ ଯେ, ବିରଳ ଖଣିଜ ପାଇଁ ସରକାର ପୃଥକ ଖଣିଜ ବ୍ଲକ୍‌ ପ୍ରସ୍ତୁତ କରିଛନ୍ତି ଏବଂ ସ୍ୱାଧୀନତା ପରରୁ ପ୍ରଥମ ଥର ପାଇଁ ବୃହତ୍‌ ଆକାର ନିଲାମ ପ୍ରକ୍ରିୟାକୁ ହାତକୁ ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଲେ ଯେ, ବୃହତ୍‌ ସଂଖ୍ୟାରେ ବିରଳ ଖଣିଜ ବ୍ଲକ୍‌ ନିଲାମ ହୋଇସାରିଛି । ଦେଶର ଘରୋଇ ଯୋଗାଣ ଶୃଙ୍ଖଳ ନିର୍ମାଣରେ ଏହା ଏକ ପ୍ରମୁଖ ପଦକ୍ଷେପ ।

ବିରଳ ଖଣିଜ ପଦାର୍ଥ ର ପ୍ରକ୍ରିୟାକରଣ ଏବଂ ବିଶୋଧନ କ୍ଷମତା ବଢ଼ାଇବାରେ ଏ ପ୍ରକଳ୍ପ ସହାୟକ ହେବ । ବିରଳ ଖଣିଜ ପାଇଁ ଭାରତ ଚୀନ୍‌ ଉପରେ ଅଧିକ ମାତ୍ରାରେ ନିର୍ଭର କରିଆସୁଥିବାବେଳେ ଘରୋଇ କ୍ଷମତା ବଢ଼ାଇବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ପାଇଁ ଭାରତ ସରକାର ବିଭିନ୍ନ ଦେଶ ସହିତ ଅନ୍ତରାଷ୍ଟ୍ରୀୟ ସହଯୋଗିତା କରିଥିବା ସେ କହିଛନ୍ତି ।

ମିଶନ୍‌ର ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାର ଓଡ଼ିଶା, ଗୁଜରାଟ, ତେଲଙ୍ଗାନା ଏବଂ ମହାରାଷ୍ଟ୍ରରେ ୪ଟି ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରିବେ । ପ୍ରସ୍ତାବିତ ୟୁନିଟ୍‌ ପାଇଁ ସଂପୃକ୍ତ ରାଜ୍ୟ ସରକାର ଜମି ଆବଣ୍ଟନ କରିସାରିଛନ୍ତି ଏବଂ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ପ୍ରଶାସନ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରୁଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆସନ୍ତା ବର୍ଷ ମଧ୍ୟରେ ବିରଳ ଖଣିଜ ଶିଳ୍ପରେ ଆଖିଦୃଶିଆ ଅଗ୍ରଗତି ଏବଂ ସକାରାତ୍ମକ ଫଳ ଦେଖିବାକୁ ମିଳିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି । ରେୟାର୍‌ ଆର୍ଥ ରିଜର୍ଭ କ୍ଷେତ୍ରରେ ଭାରତ ପଞ୍ଚମ ବୃହତ୍‌ ଏବଂ ଏ କ୍ଷେତ୍ରରେ ଚୀନ୍‌ର ଦବ୍‌ଦବାକୁ କମାଇବା ଲାଗି ବିରଳ ଖଣିଜ ଉତ୍ପାଦନରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଚୀନ୍‌ ରେୟାର୍‌ ଆର୍ଥ ସେପାରେଶନ୍‌ ଏବଂ ପ୍ରୋସେସିଂରେ ୯୦% ଅଂଶ ରଖିଛି ଏବଂ ମ୍ୟାଗ୍‌ନେଟ୍‌ ଉତ୍ପାଦନରେ ଏହାର ଭାଗ ରହିଛି ୯୩% । ଏଣୁ ବିରଳ ଖଣିଜ ଉତ୍ପାଦନରେ ପ୍ରଭୁତ୍ୱ ଯୋଗୁ ବିଶ୍ୱ ବଜାରକୁ ନିୟମିତ ଭିତ୍ତିରେ ଅବ୍ୟବସ୍ଥିତ କରୁଛି ଡ୍ରାଗନ୍‌ । ରପ୍ତାନି କଟକଣା ଲଗାଇ ସମଗ୍ର ବିଶ୍ୱ ବଜାରକୁ ଅସ୍ତବ୍ୟସ୍ତ କରିଦେଉଛି । ସମଗ୍ର ଶିଳ୍ପ କାରବାର ହୋଇଯାଉଛି ଠପ୍‌ । ଭାରତ ଏହାର ୮୦ରୁ୯୦% ମ୍ୟାଗ୍‌ନେଟ୍‌ ଏବଂ ତତ୍‌ ସମ୍ବନ୍ଧୀୟ ଉପାଦାନ ପାଇଁ ଚୀନ୍‌ ଉପରେ ବଡ଼ ମାତ୍ରାରେ ନିର୍ଭର କରୁଛି । ଚୀନ୍‌ର ରପ୍ତାନି କଟକଣା ଯୋଗୁ ଏହା ବଡ଼ ମାତ୍ରାରେ ପ୍ରଭାବିତ ହେଉଛି । ଏଭଳି ସ୍ଥିତିରେ ଘରୋଇ ଉତ୍ପାଦନ ଉପରେ ଜୋର ଦେଉଛି ଭାରତ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia