ମାଲକାନଗିରି ୦୩/୦୮: ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ୍ର ଦୁର୍ଗମ ଅଣ୍ଡାହାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଦୀର୍ଘ ୧୩ ବର୍ଷ ଧରି ନିଷ୍ଠା ଓ ଉତ୍ସର୍ଗର ସହ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ମିଳିଛି ଏକ ବିରଳ ସମ୍ମାନ। ତାଙ୍କର ନିରନ୍ତର ଜନସେବା ଓ ଦୁର୍ଗମ ବଣ୍ଡା ଜନଜାତି ଅଞ୍ଚଳରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ପାଇଁ ଡାକ ଯୋଗେ ନିମନ୍ତ୍ରଣ ମିଳିଛି।
ଏହି ସମ୍ମାନ କେବଳ ଦୁର୍ଗାପ୍ରସାଦ ସାହୁଙ୍କ ପାଇଁ ନୁହେଁ, ବରଂ ସମଗ୍ର ମାଲକାନଗିରି ଜିଲ୍ଲା, ଖଇରୀପୁଟ ବ୍ଲକ୍ ଏବଂ ଅଣ୍ଡାହାଲ ଗ୍ରାମ ପାଇଁ ଗୌରବର ବିଷୟ ପାଲଟିଛି।

ଦୁର୍ଗମ ଅଞ୍ଚଳରେ ସୀମିତ ସୁବିଧା ମଧ୍ୟରେ ରହି ସେ ସ୍ଥାନୀୟ ବଣ୍ଡା ଜନଜାତି ସମେତ ପ୍ରାୟ ୪ ହଜାର ଜନସଂଖ୍ୟାଙ୍କୁ ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଦୁର୍ଗାପ୍ରସାଦ ସାହୁ କହିଛନ୍ତି ଯେ, ଅଣ୍ଡାହାଲ ଉପକେନ୍ଦ୍ରରେ କାର୍ଯ୍ୟରତ ସମୟରେ ସେ ମ୍ୟାଲେରିଆ, ଯକ୍ଷ୍ମା (ଟିବି), କୁଷ୍ଠରୋଗ ନିୟନ୍ତ୍ରଣ, ଗର୍ଭବତୀ ମହିଳାଙ୍କ ଯତ୍ନ, ପ୍ରସବ ସେବା, ଟିକାକରଣ ଏବଂ ଶିଶୁ ସ୍ୱାସ୍ଥ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ନିରନ୍ତର କାମ କରିଆସୁଛନ୍ତି। ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର 'ମମତା ଦିବସ' ଅବସରରେ ଗ୍ରାମକୁ ଯାଇ ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି।

ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇବା ପରେ ଦୁର୍ଗାପ୍ରସାଦ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ସମ୍ମାନ ତାଙ୍କ ପାଇଁ ଗର୍ବର ବିଷୟ। ଦୁର୍ଗମ ଅଞ୍ଚଳରେ କରିଥିବା ସେବାକୁ ଦେଶର ସର୍ବୋଚ୍ଚ ସ୍ତରରେ ସ୍ୱୀକୃତି ମିଳିଥିବାରୁ ସେ ରାଷ୍ଟ୍ରପତିଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ମଧ୍ୟ ସେ ସମାନ ନିଷ୍ଠାର ସହ ଜନସେବା ଜାରି ରଖିବେ। ଦୁର୍ଗାପ୍ରସାଦ ସାହୁଙ୍କ ଏହି ସଫଳତାକୁ ନେଇ ସ୍ୱାସ୍ଥ୍ୟ ବିଭାଗ, ସହକର୍ମୀ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୁର୍ଗମ ବଣ୍ଡା ଅଞ୍ଚଳରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପୂର୍ଣ୍ଣ ସେବା ଜାତୀୟ ସ୍ତରରେ ସ୍ୱୀକୃତି ପାଇବା ମାଲକାନଗିରି ପାଇଁ ନିଶ୍ଚିତ ଭାବେ ଏକ ଗୌରବମୟ ଅଧ୍ୟାୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

