Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Ration Card E-kyc: ଦୁଇ ବର୍ଷ ପୂରିଲା, କେବେ ସରିବ ଇ-କେୱାଇସି ଝାମେଲା ? ୫୦ ଲକ୍ଷ ଭୂତ ରାସନ କାର୍ଡରୁ କଟିଛି ମାତ୍ର ୧୦ ଲକ୍ଷ

Ration Card E-kyc: ଦୁଇ ବର୍ଷ ପୂରିଲା, କେବେ ସରିବ ଇ-କେୱାଇସି ଝାମେଲା ? ୫୦ ଲକ୍ଷ ଭୂତ ରାସନ କାର୍ଡରୁ କଟିଛି ମାତ୍ର ୧୦ ଲକ୍ଷ

ଟକ, ୦୫/୦୮: ଆଜିକୁ ଦୁଇ ବର୍ଷ ତଳେ ରାସନ୍‌ କାର୍ଡ ସହ ଇ-କେୱାଇସି ସଂଯୋଗ ଆରମ୍ଭ ହୋଇଥିଲା । ଚଳିତ ଅଗଷ୍ଟରେ ଏହି ବ୍ୟବସ୍ଥାକୁ ଦୁଇ ବର୍ଷ ପୂରିଛି । ଏହି ପ୍ରକ୍ରିୟା ଆରମ୍ଭରେ ସରକାରଙ୍କ ଦୃଢ଼ ଯୁକ୍ତି ଥିଲା ଯେ, ଏହି ସଂଯୋଗ ଜରିଆରେ ମୋଟ୍‌ ୯୨ ଲକ୍ଷ କାର୍ଡରୁ ୫୦ ଲକ୍ଷ ଭୂତ କାର୍ଡ କଟାଯିବ । କିନ୍ତୁ ଦୁଇବର୍ଷ ପରେ ୫୦ ଲକ୍ଷ କାର୍ଡ ଦୂରେ ଥାଉ ୩ କୋଟି ୨୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୫୦ଲକ୍ଷ ଜାଲ୍‌ ହିତାଧିକାରୀଙ୍କୁ ମଧ୍ୟ ପ୍ରଶାସନ ଚିହ୍ନଟ କରିବାକୁ ସକ୍ଷମ ହୋଇନାହିଁ ।

ମାତ୍ର ୧୦ ଲକ୍ଷ ଲୋକ କାର୍ଡ ବାହାରେ ରହି ଯାଇଛନ୍ତି । ଅର୍ଥାତ୍ କଟିଛନ୍ତି କମ୍‌ ରହିଛନ୍ତି ଅଧିକ ଲୋକ । ଯେଉଁ ୧୦ ଲକ୍ଷ ଲୋକ ଏ ପର୍ଯ୍ୟନ୍ତ ଇ-କେୱାସି ସଂଯୋଗରୁ ବାହାରେ ରହି ଯାଇଛନ୍ତି ସେମାନଙ୍କୁ ମଧ୍ୟ ସରକାର କାର୍ଡରୁ କାଟିବାକୁ ସକ୍ଷମ ହୋଇନାହାନ୍ତି । ୨୦୨୪ ଅଗଷ୍ଟରେ ରାସନ୍‌ କାର୍ଡ ସହ ଇ-କେୱାଇସି ସଂଯୋଗ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ୩ ମାସ, ୬ ମାସ କରି ରାଜ୍ୟ ସରକାର ଏହାର ଅବଧିକୁ ବିଭିନ୍ନ ସମୟରେ ବୃଦ୍ଧି କରାଯାଇ ଆସୁଥିଲା । ଏହି ସଂଯୋଗ ଅବଧି ଗତ ଫେବ୍ରୁଆରୀରୁ ଶେଷ ହୋଇଗଲାଣି । ଏହାପରେ ଆଉ ଅବଧି ବୃଦ୍ଧି କରାଯାଇ ନାହି ।

ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ରାସନ୍‌ କାର୍ଡରେ ନାମ କଟିବା ଏବଂ ଯୋଡ଼ିବା କାର୍ଯ୍ୟ ଶେଷ ହୋଇପାରି ନାହିଁ । ଏବେ ବି ବିଭିନ୍ନ ଯୋଗାଣ କାର୍ଯ୍ୟାଳୟରେ ଏହି କଟାଯୋଡ଼ା କାମ ଚାଲୁରହିଛି । ରାଜ୍ୟରେ ପ୍ରାୟ ୩ କୋଟି ୨୮ ଲକ୍ଷ ହିତାଧିକାରୀ ରହିଛନ୍ତି । ସମସ୍ତ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ସଂଯୋଗ ବାଧ୍ୟତାମୂଳକ କରାଯାଇଥିଲା । ଏହି ପ୍ରକ୍ରିୟାର ଲକ୍ଷ୍ୟ ଥିଲା ଭୂତ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦେବା । ବିଶେଷକରି ଯେଉଁମାନେ ମରିଯାଇଛନ୍ତି ଏବଂ ସେମାନଙ୍କ ନାମରେ ରାସନ୍‌ ସାମଗ୍ରୀ ଉଠାଯାଉଛି ସେମାନଙ୍କୁ ତାଲିକାରୁ ବାଦ୍‌ ଦେବା । ଅନେକ ସ୍ଥାନରେ ଜାଲ୍‌ କାର୍ଡ କରାଯାଇ ସେଥିରେ ମଧ୍ୟ ରାସନ ସାମଗ୍ରୀ ଉଠାଯାଉଛି ବୋଲି ଅଭିଯୋଗ ହେଉଥିଲା । ଏହିଭଳି କାର୍ଡଗୁଡ଼ିକୁ ରଦ୍ଦ ପାଇଁ ଏହି ଯୋଜନାର ଆଉ ଏକ ବଡ଼ ଉଦ୍ଦେଶ୍ୟ ରହିଥିଲା । ଶେଷରେ ଯେଉଁମାନେ ପ୍ରକୃତ ହିତାଧିକାରୀ ନହୋଇ ମଧ୍ୟ ସାମଗ୍ରୀ ଉଠାଉଛନ୍ତି ସେମାନଙ୍କୁ ଏହି ତାଲିକାରୁ ବାଦ୍‌ ଦେବାକୁ ଯୋଜନା କରାଯାଇଥିଲା । କିନ୍ତୁ ଦୁଇବର୍ଷ ପରେ ଏବେ ଯଦି ସ୍ଥିତି ଯାଞ୍ଚ୍‌ ଏଥିରୁ ସରକାରଙ୍କ କୌଣସି ଗୋଟିଏ ଉଦ୍ଦେଶ୍ୟ ପୂରଣ ହୋଇନାହିଁ ।

ଆରମ୍ଭରୁ କୁହାଯାଇଥିଲା ଯେ, ତାଲିକାରେ ପ୍ରାୟ ୫୦ଲକ୍ଷ ଭୂତ କାର୍ଡ ରହିଛି । ରାଜ୍ୟରେ ମୋଟ୍‌ ୯୨ଲକ୍ଷ କାର୍ଡ ରହିଛି । ଏଥିରୁ ଯଦି ୫୦ଲକ୍ଷ ଭୂତ କାର୍ଡ କଟିଯାଇଥାନ୍ତା ତାହେଲେ ପରିବାରରେ ୫ଜଣ ହିସାବରେ ଅଢ଼େଇ କୋଟି ହିତାଧିକାରୀଙ୍କ ନାମ କଟିଯିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩କୋଟି ୧୭ ଲକ୍ଷ ହିତାଧିକାରୀଙ୍କ ନାମ ଇ-କେୱାଇସି ଜରିଆରେ ଯୋଡ଼ି ହୋଇ ସାରିଛି । ଆଉ ମାତ୍ର ୧୦ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ନାମ ଏହି ତାଲିକା ବାହାରେ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ୧୦ଲକ୍ଷ ହିତାଧିକାରୀମାନେ ପ୍ରକୃତ ହିତାଧିକାରୀ କି ଭୂତ ହିତାଧିକାରୀ ତାହା ମଧ୍ୟ ଜାଣିବା ଲାଗି କୌଣସି ପ୍ରକାର ପ୍ରୟାସ କରାଯାଉ ନାହିଁ । ଫଳରେ ସରକାରୀ ସ୍ତରରେ ଏହାର ସୁଯୋଗ ନେଇ ଅନେକ ଭୂତ ହିତାଧିକାରୀ ପୁନର୍ବାର ନିଜ ନାମ ତାଲିକାରେ ସାମିଲ କରିବାରୋ ସକ୍ଷମ ହେଉଥିବା ଅଭିଯୋଗ ହେଉଛି ।

ଏ ସଂକ୍ରାନ୍ତରେ ଓଡ଼ିଶା ଡିଲର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଏକ୍ରାମ ହୁସେନ୍‌ କହିଛନ୍ତି ଯେ, ପ୍ରକୃତରେ ଯେଉଁମାନଙ୍କ ନାମ ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ସଂଯୋଗ ହୋଇପାରୁ ନାହିଁ ବା ତାଲିକା ବାହାରେ ରହି ଯାଇଛନ୍ତି ସେମାନେ କ'ଣ ପାଇଁ କରୁନାହାନ୍ତି ତାହା ରାଜ୍ୟ ସରକାର ଯାଞ୍ଚ୍‌ କରିବା ଆବଶ୍ୟକ । ପ୍ରତ୍ୟେକ ଯୋଗାଣ ଇନ୍ସପେକ୍ଟରଙ୍କ ଜରିଆରେ ଏହିଭଳି ହିତାଧିକାରୀଙ୍କ ଘରକୁ ଘର ବୁଲି ଯାଞ୍ଚ୍‌ କରାଗଲେ ସତ କ'ଣ ଜଣାପଡ଼ିବ । ଯଦି ସେମାନେ ପ୍ରକୃତ ହିତାଧିକାରୀ ହୋଇନଥିବେ ତାହେଲେ ସେମାନଙ୍କ ନାମକୁ କାଟିଦେବାରେ କୌଣସି ଅସୁବିଧା ରହିବ ନାହିଁ । ଏ ସଂକ୍ରାନ୍ତରେ କଟକ ଜିଲ୍ଲା ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ପାତ୍ର ଏବେ ବି କାର୍ଯ୍ୟାଳୟକୁ ଆସି ଲୋକେ ଇ-କେୱାଇସି ସଂଯୋଗ କାମ କରୁଛନ୍ତି ବୋଲି ସ୍ୱୀକାର କରିଛନ୍ତି । ଯେହେତୁ ସରକାରୀ ସ୍ତରରେ ବନ୍ଦ ପାଇଁ କୌଣସି ନିର୍ଦ୍ଦେଶ ଆସିନି ତେଣୁ ଏହି କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି । ଇ-କେୱାଇସି ସଂଯୋଗ ଶେଷ ପରେ କେତେ ଭୂତ ହିତାଧିକାରୀ କଟିଲେ ତାହା ଜଣାପଡ଼ିବ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ- Odisha TextBook Error Row|ପାଠ୍ୟପୁସ୍ତକରେ ତ୍ରୁଟି ମାମଲା, ୨୫୦ ଜଣଙ୍କ ତାଲିକା ପ୍ରସ୍ତୁତ: କ୍ରାଇମ୍‌ବ୍ରାଞ୍ଚ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia