ରାଉରକେଲା, ୮।୪ : ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ରିପୋର୍ଟ । ରିପୋର୍ଟ ରେ ଉଲ୍ଲେଖ ଅଛି ଯେ ବିମାନରେ ଇନ୍ଧନ କମିଯିବାରୁ ଘଟିଥିଲା ଦୁର୍ଘଟଣା । ରିପୋର୍ଟରେ ଉଲ୍ଲେଖ ଅଛି ଯେ ବିମାନରେ କମ ଇନ୍ଧନ ଥିବା ଯୋଗୁଁ ବିମାନ ଲକ୍ଷ୍ୟ ସ୍ଥଳରେ ଅବତରଣ କରି ପାରିଲା ନାହିଁ । ଯାହା ଫଳରେ ପାଇଲଟ ବାଧ୍ୟ ହୋଇ ଫୋର୍ସ ଲ୍ୟାଣ୍ଡିଙ୍ଗ କରିଥିଲେ ।
ସୂଚନାଯୋଗ୍ୟ ଯେ ଗତ ଜାନୁୟାରୀ ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରୁ ରାଉରକେଲା ଅଭିମୁଖେ ଉଡ଼ାଣ ଭରିଥିଲେ ଇଣ୍ଡିଆ ୱାନ ବିମାନ । ବିମାନରେ ପାଇଲଟ କୋ ପାଇଲଟ ସହ ୪ ଜଣ ଯାତ୍ରୀ ଥିଲେ । ବିମାନ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ କଂସର ଗାଁରେ ଖସି ପଡ଼ି ଘଟିଥିଲା ଦୁର୍ଘଟଣା। ୬ ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାତ୍ରୀ ସୁନୀଲ ଅଗ୍ରୱାଲ ସହ ତାଙ୍କ ପତ୍ନୀ ସବିତା ଅଗ୍ରୱାଲଙ୍କୁ ତା ପରଦିନ ମୁମ୍ବାଇ ଏୟାର ଲିଫ୍ଟ କରାଯାଇଥିବା ବେଳେ ସନ୍ତୋଷ ବିଶ୍ଵାଳ ନାମକ ଯାତ୍ରୀ ଚିକିତ୍ସା ସମୟରେ ଜୀବନ ହାରିଥିଲେ । ପରେ ପାଇଲଟ,କୋ ପାଇଲଟ, ଜଣେ ଯାତ୍ରୀ ରାଉରକେଲା ର ଏକ ଘରୋଇ ହସ୍ପିଟାଲ୍ ରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

