ନୂଆଦିଲ୍ଲୀ,୩୧/୦୮: ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ବଡ଼ ପଦକ୍ଷେପ ନେଇଛି। ପ୍ଲାଟଫର୍ମରେ ତାଲିକାଭୁକ୍ତ ହୋଇଥିବା ରେଷ୍ଟୁରାଣ୍ଟଗୁଡ଼ିକରେ 'ଆନାଲଗ୍ ଡିସେଜ୍' ବା ସିନ୍ଥେଟିକ୍/ନକଲି ଡେୟରୀ ଉତ୍ପାଦ ବ୍ୟବହାର ଓ ବିକ୍ରି ଉପରେ ଜିରୋ ଟଲରେନ୍ସ ବା ଶୂନ୍ୟ ଶହନଶୀଳତା ନୀତି ଘୋଷଣା କରିଛି କମ୍ପାନୀ।
ଜୋମାଟୋ କହିଛି, ଯେଉଁ ରେଷ୍ଟୁରାଣ୍ଟ ପାର୍ଟନରମାନେ ସେମାନଙ୍କ ଡିସରେ 'ଆନାଲଗ୍ ଡେୟରୀ' ବ୍ୟବହାର କରୁଥିବା ସ୍ୱୀକାର କରିଛନ୍ତି, ସେମାନେ ଏହାକୁ ତୁରନ୍ତ ପ୍ରଭାବ ସ୍ବରୁପ ପ୍ଲାଟଫର୍ମରୁ ହଟାଇ ଦିଅନ୍ତୁ। ଗ୍ରାହକଙ୍କୁ ଖାଦ୍ୟ ସମ୍ପର୍କରେ ଅଧିକ ସ୍ୱଚ୍ଛ ଓ ସଠିକ୍ ସୂଚନା ଦେବା ସହ ଖାଦ୍ୟର ଗୁଣବତ୍ତା ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କମ୍ପାନୀ କହିଛି।
ରେଷ୍ଟୁରାଣ୍ଟଗୁଡ଼ିକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ:
ନୂଆ ପଲିସି ଅନୁଯାୟୀ, ଜୋମାଟୋ ସହ ଜଡ଼ିତ ରେଷ୍ଟୁରାଣ୍ଟଗୁଡ଼ିକୁ ତୁରନ୍ତ ସକାରାତ୍ମକ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିରେ ନକଲି ବା ଆନାଲଗ୍ ଡେୟରୀ ବଦଳରେ ପ୍ରାକୃତିକ ଡେୟରୀ ପ୍ରଡକ୍ଟ ବା ଦୁଗ୍ଧଜାତ ଉତ୍ପାଦ ବ୍ୟବହାର କରିବାକୁ କୁହାଯାଇଛି। ଯଦି ତୁରନ୍ତ ଏହି ପରିବର୍ତ୍ତନ କରିବା ସମ୍ଭବ ହେଉନାହିଁ, ତାହେଲେ ଏପରି ସ୍ଥଳେ ଆନାଲଗ୍ ଡେୟରୀ ବ୍ୟବହାର ହେଉଥିବା ଡିସ୍ଗୁଡ଼ିକୁ ତୁରନ୍ତ ମେନୁରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସବୁ ଦିଗ ଉପରେ ନଜର ରଖୁଛି ଜୋମାଟା:
କେବଳ ମେନୁ ବଦଳାଇବା ନୁହେଁ, ରେଷ୍ଟୁରାଣ୍ଟଗୁଡ଼ିକୁ ସେମାନଙ୍କ ସପ୍ଲାୟରଙ୍କଠାରୁ ମିଳୁଥିବା ପ୍ରଡକ୍ଟର ଲେବଲ୍ ଓ ଇନ୍ଗ୍ରେଡିଏଣ୍ଟ୍ ବା ସାମଗ୍ରୀ ସମ୍ପର୍କିତ ସୂଚନାକୁ ଭଲ ଭାବରେ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି। ଏହା ଦ୍ୱାରା ରେଷ୍ଟୁରାଣ୍ଟରେ ପ୍ରକୃତରେ କେଉଁ ସାମଗ୍ରୀ ବ୍ୟବହାର ହେଉଛି, ତାହା ନିଶ୍ଚିତ କରାଯାଇପାରିବ। ଏଥିସହ ଜୋମାଟୋରେ ଲିଷ୍ଟେଡ ବା ତାଲିକାଭୁକ୍ତ ହୋଇଥିବା ଖାଦ୍ୟ ସମ୍ପର୍କରେ ଗ୍ରାହକଙ୍କୁ ସଠିକ୍ ସୂଚନା ମଧ୍ୟ ମିଳିବ। କମ୍ପାନୀ ସ୍ପଷ୍ଟ କରିଛି ଯେ, ଏହି ନିୟମ ଉଲ୍ଲଂଘନ କରୁଥିବା ରେଷ୍ଟୁରାଣ୍ଟ ପାର୍ଟନରଙ୍କୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇପାରେ।

କାହିଁକି ଏଭଳି କଡ଼ା ନିଷ୍ପତ୍ତି ନେଲା ଜୋମୋଟୋ?
ଜୋମାଟୋର ଏହି ନୂଆ ପଲିସିର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାହକଙ୍କୁ ଅଧିକ ପାରଦର୍ଶୀ ଓ ଭଲ ଗୁଣବତ୍ତାସମ୍ପନ୍ନ ଖାଦ୍ୟ ଯୋଗାଇଦେବା। ଗ୍ରାହକ ଯେଉଁ ଖାଦ୍ୟ ଅର୍ଡର କରୁଛନ୍ତି, ସେଥିରେ ବ୍ୟବହୃତ ସାମଗ୍ରୀ ସମ୍ପର୍କରେ ସ୍ପଷ୍ଟତା ରହିବା ଉପରେ କମ୍ପାନୀ ଗୁରୁତ୍ୱ ଦେଇଛି। ଜୋମାଟୋର ସିଇଓ ଆଦିତ୍ୟ ମଙ୍ଗଲା କହିଛନ୍ତି ଯେ, କମ୍ପାନୀର ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ଲୋକଙ୍କ ପାଖରେ ଭଲ ଖାଦ୍ୟ ପହଞ୍ଚାଇବା। ଏଥିସହ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ରେଷ୍ଟୁରାଣ୍ଟ ପାର୍ଟନରମାନେ ଲିଷ୍ଟ ଓ ସର୍ଭ କରୁଥିବା ଖାଦ୍ୟ ପାଇଁ ସ୍ପଷ୍ଟ ମାନଦଣ୍ଡ ରହିବା ମଧ୍ୟ ଆବଶ୍ୟକ। ଏହି ନିୟମ ପ୍ରତି ସମାନ ଚିନ୍ତାଧାରା ବା ମନୋଭାବ ରଖୁଥିବା ରେଷ୍ଟୁରାଣ୍ଟ ପାର୍ଟନରଙ୍କୁ ସବୁବେଳେ ଜମାଟୋର ସହଯୋଗ ରହିବ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Plastic Note: ଭାରତର ପ୍ଲାଷ୍ଟିକ୍ ନୋଟ୍, ପାକିସ୍ତାନ ଓ ଚୀନ୍କୁ ବାସନ୍ଦ କରିବାକୁ RBIର ମାଷ୍ଟରପ୍ଲାନ୍

