Dailyhunt
ରିପୋର୍ଟରେ ଦାବି : ଦେଶ ଚଳାଇବାରେ ଅସମର୍ଥ ଇରାନ ସୁପ୍ରିମ ଲିଡର, ଏବେବି ବେହୋସ ଅବସ୍ଥାରେ ମୋଜତବା

ରିପୋର୍ଟରେ ଦାବି : ଦେଶ ଚଳାଇବାରେ ଅସମର୍ଥ ଇରାନ ସୁପ୍ରିମ ଲିଡର, ଏବେବି ବେହୋସ ଅବସ୍ଥାରେ ମୋଜତବା

ତେହରାନ୍‌, ୦୮/୦୪ : ଇରାନର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ସେ ବେହୋସ ଅବସ୍ଥାରେ ରାଜଧାନୀ ତେହରାନଠାରୁ ଦକ୍ଷିଣରେ ୮୭ ମାଇଲ ଦୂର ପବିତ୍ର ସହର କୋମର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ବର୍ତ୍ତମାନ ସେ ଦେଶ ଚଳାଇବା ଭଳି ସ୍ଥିତିରେ ନାହାନ୍ତି । ବ୍ରିଟେନର ଖବରକାଗଜ 'ଦ ଟାଇମ୍ସ' ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ଦାବି କରଯାଇଛି ।

ଉପସାଗରୀୟ ସହଯୋଗୀଙ୍କ ସହ ଆମେରିକା-ଇସ୍ରାଏଲର ଗୁଇନ୍ଦା ବିଭାଗ ପକ୍ଷରୁ ସେୟାର କରାଯାଇଥିବା ଏକ କୂଟନୈତିକ ମେମୋ ଆଧାରରେ ଦର୍ଶାଯାଇଛି ଯେ, ଫେବ୍ରୁଆରୀ ୨୮ରେ ଆମେରିକା-ଇସ୍ରାଏଲ ପକ୍ଷରୁ ଇରାନରେ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ରେ ମୋଜତବାଙ୍କ ପିତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଥିଲା । ସେହି ଆକ୍ରମଣରେ ମୋଜତବା ମଧ୍ୟ ଗୁରୁତର ହୋଇଥିଲେ । ଏହାପରଠାରୁ ଗମ୍ଭୀର ସ୍ଥିତିରେ କୋମର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେଣୁ ଦେଶର ଶାସନ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତିରେ ସାମିଲ ହେବାରେ ସେ ଅସମର୍ଥ । ସେହିପରି ମେମୋରେ ପ୍ରଥମ ଥର ପାଇଁ ଇରାନର ସୁପ୍ରିମଲିଡରଙ୍କ ଠିକଣା ସଂପର୍କରେ ଉଲ୍ଲେଖ ରହିଛି ।

ଆହୁରି ପଢନ୍ତୁ- ମୁଣ୍ଡ ନୁଆଁଇଲେ ଟ୍ରମ୍ପ, ଇରାନ-ଆମେରିକା ମଧ୍ୟରେ ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ, ୧୦ ସୂତ୍ରୀ ପ୍ରସ୍ତାବ ଉପରେ ହେବ ଆଲୋଚନା

ସୂଚନାଥାଉକି, ପିତାଙ୍କ ମୃତ୍ୟୁ ପରେ ମୋଜତବା ଖାମେନେଇ ଦେଶର ନୂଆ ସୁପ୍ରିମଲିଡର ହୋଇଥିଲେ । କିନ୍ତୁ ସେବେଠାରୁ ଅଦ୍ୟାବଧି ତାଙ୍କୁ ସାର୍ବଜନୀକ ଭାବେ ଦେଖିବାକୁ ମିଳିନାହିଁ । ତେଣୁ ସେ ଜୀବିତ ଅଛନ୍ତି କି ନାହିଁ ସେଥିନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଆକ୍ରମଣରେ ମୋଜତବାଙ୍କ ମୃତ୍ୟୁ ହୋଇଯାଇଥିବା ମଧ୍ୟ କିଛି ରିପୋର୍ଟରେ ଦାବି କରାଯାଇଥିଲା । ତେବେ ଇରାନୀ ଅଧିକାରୀ ବାରମ୍ବାର ଏହି ଦାବିକୁ ଖାରଜ କରି ଆସୁଛନ୍ତି । ଏପରିକି ମୋଜତବାଙ୍କ ଦ୍ୱାରା ଜାରି ହୋଇଥିବା ୨ଟି ବାର୍ତ୍ତାକୁ ମଧ୍ୟ ସରକାରୀ ଟିଭିରେ ପ୍ରସାରିତ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia