ପୁଡୁଚେରୀ, ୨/୯ (ଶୁଭ୍ରଜିତ୍ ବଳିଆରସିଂହ) : ଆଜିର ସମୟରେ ଲୋକେ ଜଙ୍ଗଲ କାଟୁଛନ୍ତି, ଚାଷ ଜମିରେ ବିଶାଳ କୋଠା ନିର୍ମାଣ କରୁଛନ୍ତି । ଗାଁରୁ ସହର ମୁହାଁ ହେଉଛନ୍ତି । ହେଲେ କିପରି ପ୍ରକୃତି ସହ ବଞ୍ଚିବା, ପ୍ରକୃତିକୁ ସୁରକ୍ଷା ଦେବା ତା'ର ବାଟ ଦେଖାଉଛନ୍ତି ବିଦେଶୀ । ସହର ମଝିରେ ଛିଡ଼ା ହୋଇଛି ଜଙ୍ଗଲ । ଶୁଷ୍କ ଓ ଅନୁର୍ବର ପଡ଼ିଆ ଭାବେ ପରିଚିତ ୭୦ ଏକର ଜମି ଏବେ ପାଲଟିଛି ସବୁଜ ବନାନୀ ଏବଂ ପରିବେଶ ସଂରକ୍ଷଣର ବିଶ୍ୱସ୍ତରୀୟ ପ୍ରେରଣାସ୍ଥଳୀ ହୋଇଛି "ସାଧନା ଫରେଷ୍ଟ' ।
ଏହା ଏକ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ପ୍ରକଳ୍ପ ଜଳ ସଂରକ୍ଷଣ । ଏହା ବିଲୁପ୍ତପ୍ରାୟ ଜଙ୍ଗଲର ପୁନରୁଦ୍ଧାର ଏବଂ ଶୂନ୍ୟ-ଆବର୍ଜନା ଜୀବନଶୈଳୀ ମାଧ୍ୟମରେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅରୋଭିଲ୍ ନିକଟରେ ଥିବା ଏହି "ସାଧନା ଫରେଷ୍ଟ' ଏକ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ- ଆଧାରିତ ପରିବେଶ ଓ ପୁନଃବନୀକରଣ ପ୍ରକଳ୍ପ । ଏହା ଏକ ପରିବେଶ ଅନୁକୂଳ, ସ୍ଥାୟୀ ଜୀବନଶୈଳୀ ଓ ଜଳ ସଂରକ୍ଷଣ କେନ୍ଦ୍ର ଭାବରେ ପରିଚିତ ।
୨୦୦୩ରେ ଅଭିରାମ ରୋଜିନ୍ ଓ ୟୋରିତ କାଲେନ୍ଦ୍ରୋଫଙ୍କ ମିଳିତ ଉଦ୍ୟମରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଆରମ୍ଭ ସମୟରେ ଏହି ପ୍ରାୟ ୭୦ ଏକର ଜମି ସମ୍ପୂର୍ଣ୍ଣ ଶୁଷ୍କ, କ୍ଷୟପ୍ରାପ୍ତ ଓ ଅନୁର୍ବର ଥିଲା । ଏହି ପଡ଼ିଆ ଜମିକୁ ପୁନର୍ବାର ସବୁଜ ବନାନୀରେ ପରିଣତ କରିବା ପାଇଁ ସେମାନେ ଏହି ପଦକ୍ଷେପ ନେଇଥିଲେ । ସମ୍ପୂର୍ଣ୍ଣ ମାଟି କ୍ଷୟ ହୋଇଯାଇଥିବା ଏହି ଅଞ୍ଚଳରେ ଭାରତର ପୂର୍ବ ଉପକୂଳର ବିଲୁପ୍ତପ୍ରାୟ "ଟ୍ରପିକାଲ୍ ଡ୍ରାଏ ଏଭରଗ୍ରୀନ୍ ଫରେଷ୍ଟ' (ଟିଡିଇଏଫ୍) ର ଦେଶୀୟ ବୃକ୍ଷରୋପଣ ଆରମ୍ଭ କରାଯାଇଥିଲା । ଭାରତରେ ସଫଳତା ପରେ ସାଧନା ଫରେଷ୍ଟର ମଡେଲ୍ ସାଜିଛି । ଏହା ଏବେ ବିଦେଶୀଙ୍କୁ ଆକୃଷ୍ଟ କରୁଛି । ସେମାନେ ଆସୁଛନ୍ତି ଏଠାରେ ରହି ଗବେଷଣା କରୁଛନ୍ତି । ୨୦୧୦ରେ ହାଇତି ଓ ୨୦୧୪ ମସିହାରେ କେନିଆ ଭଳି ମରୁଭୂମି ପ୍ରବଣ ଦେଶଗୁଡ଼ିକୁ ମଧ୍ୟ ସମ୍ପ୍ରସାରିତ ହୋଇଛି । ଏହି ଜଙ୍ଗଲ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତର ପୂର୍ବ ଉପକୂଳର ବିଲୁପ୍ତପ୍ରାୟ 'ଟ୍ରପିକାଲ୍ ଡ୍ରାଏ ଏଭରଗ୍ରୀନ୍ ଫରେଷ୍ଟ'ର ଦେଶୀୟ ବୃକ୍ଷଗୁଡ଼ିକୁ ରୋପଣ କରି ବନାନୀ ଫେରାଇ ଆଣିବା । ଏଠାରେ ଜଳ ସଂରକ୍ଷଣର ବାଟ ମଧ୍ୟ ଦେଖାଉଛି । ବର୍ଷା ଜଳ ସଂରକ୍ଷଣ ପାଇଁ ସ୍ୱେଲ୍ସ, ବନ୍ଧ ଏବଂ ଛୋଟ ଜଳାଶୟ ବା ପୋଖରୀ ନିର୍ମାଣ କରାଯାଇ ଭୂତଳ ଜଳସ୍ତରକୁ ପୁନଃସକ୍ରିୟ କରାଯାଉଛି । ଏହାର ମୁଖ୍ୟ ବିଶେଷତ୍ୱ ହେଉଛି, ଇକୋ ଫ୍ରେଣ୍ଡଲି ଜୀବନଶୈଳୀ । ଏଠାରେ ସମ୍ପୂର୍ଣ୍ଣ ସୌରଶକ୍ତି ଚାଳିତ ଭିତ୍ତିଭୂମି, ଶୁଷ୍କ କମ୍ପୋଷ୍ଟିଂ ଶୌଚାଳୟ, ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସହ ବାୟୋଡିଗ୍ରେଡେବଲ୍ ସାମଗ୍ରୀ ବ୍ୟବହାର କରି ପରିବେଶ ପ୍ରଦୂଷଣ ମୁକ୍ତ ଜୀବନଶୈଳୀ ଆପଣାଯାଇଛି ।
ଆହୁରି ପଢନ୍ତୁ- ଅନୁମୋଦନ ଅପେକ୍ଷାରେ 'କୋଣାର୍କ' ନଡ଼ିଆ , ବର୍ଷକୁ ବାହାରିବ ୧୫୦ରୁ ଅଧିକ ଫଳ
ଏହି ଜଙ୍ଗଲ ଶତପ୍ରତିଶତ ଭେଗାନ୍(ଶାକାହାରୀ) ଓ ନିଶାମୁକ୍ତ ପରିସର । ଏଠାରେ ସମ୍ପୂର୍ଣ୍ଣ ଉଦ୍ଭିଦଭିତ୍ତିକ ଖାଦ୍ୟ ଯୋଗାଇ ଦିଆଯାଉଛି । ଏଠାରେ ଧୂମପାନ, ମଦ୍ୟପାନ କିମ୍ବା କୌଣସି ପ୍ରକାର ନିଶାଦ୍ରବ୍ୟ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ । ଯାହା ପରିବେଶ ଉପରେ କମ୍ ପ୍ରଭାବ ପକାଏ । ପ୍ରତିବର୍ଷ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଯୁବକ, ଗବେଷକ ଓ ପରିବେଶବିତ୍ ମାଗଣାରେ ଏଠାରେ ରହି ବୃକ୍ଷରୋପଣ ଓ ସେବା କାର୍ଯ୍ୟରେ ଯୋଗ ଦେଉଛନ୍ତି । ସାରା ବିଶ୍ୱରୁ ବର୍ଷ ତମାମ ଯୁବକ ଓ ପରିବେଶବିତ୍ ମାଗଣାରେ ଏଠାରେ ରହି ବୃକ୍ଷରୋପଣ, ରନ୍ଧାବଢ଼ା ଏବଂ ପରିଚାଳନାରେ ସହଯୋଗ କରନ୍ତି । ବାଉଁଶ, କାଠ ଏବଂ ତାଳପତ୍ରରେ ନିର୍ମିତ ଘରେ ସ୍ୱେଚ୍ଛାସେବୀମାନେ ରୁହନ୍ତି । ପ୍ରତି ସପ୍ତାହର ଶୁକ୍ରବାର ସନ୍ଧ୍ୟାରେ ଏଠାରେ ପରିବେଶ ସମ୍ବନ୍ଧୀୟ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ସମସ୍ତଙ୍କ ପାଇଁ ମାଗଣା ଭେଗାନ୍ ଭୋଜନ ତଥା ଇକୋ ଫିଲ୍ମ ନାଇଟ୍ ଆୟୋଜିତ ହୁଏ । ଜଳବାୟୁ ପରିବର୍ତ୍ତନର ମୁକାବିଲା ତଥା ଶୁଷ୍କ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ "ସାଧନା ଫରେଷ୍ଟ' ଏବେ "ଫୁଡ୍ ଫରେଷ୍ଟ୍ରି' ଉପରେ ଗୁରୁତ୍ୱ ଦେଉଛି । ଏହା ସହିତ ସ୍ଥାନୀୟ କୃଷକ, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ କୃଷି, ପର୍ମାକଲଚର ଏବଂ ଜଳ ସଂରକ୍ଷଣ କୌଶଳ ଉପରେ ମାଗଣା ପ୍ରଶିକ୍ଷଣ ଦେଇ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି । ବୃକ୍ଷରୋପଣ ଏବଂ ମାଟି ସଂରକ୍ଷଣ ମାଧ୍ୟମରେ ସ୍ଥାନୀୟ ମାଇକ୍ରୋ-କ୍ଲାଇମେଟ୍କୁ ଉନ୍ନତ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ ।

