ମଧ୍ୟପ୍ରଦେଶ, ୨।୯: ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି ସତ୍ୟ ଏବଂ ନ୍ୟାୟ ପାଇଁ ଲଢ଼ିଲେ ସଫଳତା ନିଶ୍ଚୟ ମିଳେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ । ଜଣେ ସନ୍ନ୍ୟାସୀ ପାଖାପାଖି ୨୬ ବର୍ଷ ଧରି ଆଇନଗତ ଲଢ଼େଇ ଲଢ଼ିବା ପରେ ଶେଷରେ ନିଜର ହଜିଯାଇଥିବା ସମ୍ମାନଜନକ ସିଆରପିଏଫ୍ ଚାକିରି ଫେରି ପାଇଛନ୍ତି ।
ଏହି ଅଦ୍ଭୁତ କାହାଣୀ ହେଉଛି ମୁରୈନାର ସନ୍ନ୍ୟାସୀ ଗିରବର ଦାସ ମହାରାଜଙ୍କର ଯିଏ ପୂର୍ବରୁ ଗିରବର ସିଂହ ତୋମର ଭାବେ କାର୍ଯ୍ୟରତ ଥିଲେ ।
୧୯୯୧ରେ ମିଳିଥିଲା ସିଆରପିଏଫ୍ ଚାକିରି:
ମୂଳତଃ ମୁରୈନା ଜିଲ୍ଲାର ଛିଛାବଳୀ ଗ୍ରାମର ବାସିନ୍ଦା ଗିରବର ସିଂହ ତୋମରଙ୍କୁ ୧୯୯୧ ମସିହାରେ ସିଆରପିଏଫ୍ ରେ ହାବିଲଦାର ପଦବୀରେ ଚାକିରି ମିଳିଥିଲା । ସେ ନିଷ୍ଠା ଓ ସଚ୍ଚୋଟତାର ସହ ପ୍ରାୟ ୮ ବର୍ଷ ଧରି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ । କିନ୍ତୁ, ଏହାପରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ କୌଣସି କାରଣରୁ ତାଙ୍କର ମତାନ୍ତର ଏବଂ ବିବାଦ ଦେଖାଦେଇଥିଲା । ଏହି ବିବାଦ ପରେ ତାଙ୍କ ବିରୋଧରେ ଏକ ତଦନ୍ତ ବସାଯାଇଥିଲା ଏବଂ ୧୯୯୯ ମସିହାରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା ।
ଚାକିରି ହରାଇବା ପରେ ସାଜିଲେ ସନ୍ନ୍ୟାସୀ:
ଚାକିରି ଚାଲିଯିବା ପରେ ଗିରବର ସିଂହ ତୋମର ନିଜ ଗାଁ ମୁରୈନାକୁ ଫେରିଆସିଥିଲେ । ଘରେ ମନ ନ ଲାଗିବାରୁ ସେ ଧାର୍ମିକ ମାର୍ଗ ଆପଣାଇଥିଲେ ଏବଂ ପ୍ରଥମେ 'ବାରହା ଦ୍ୱାରୀ ମନ୍ଦିର'ରେ ସନ୍ନ୍ୟାସୀ ଭାବେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ପରେ ସେ ଏକ ଗୁଫା ମନ୍ଦିରକୁ ଚାଲିଯାଇଥିଲେ, ଯେଉଁଠାରେ ତାଙ୍କୁ 'ଗିରବର ଦାସ ମହାରାଜ' ନାମରେ ପରିଚୟ ମିଳିଥିଲା । ଜଣେ ସନ୍ନ୍ୟାସୀ ହୋଇଯିବା ସତ୍ତ୍ୱେ ସେ ନିଜର ଆଇନଗତ ଲଢ଼େଇକୁ କେବେ ମଧ୍ୟ ବନ୍ଦ କରି ନଥିଲେ । ସେ ମନ୍ଦିରରେ ପ୍ରାୟ ୨୦ ବର୍ଷ ଧରି ସେବା କରିବା ସହିତ କେବଳ କୋର୍ଟ ତାରିଖ ପଡ଼ିଲେ ହାଇକୋର୍ଟ ଯାଉଥିଲେ ।
Sugar Stock Limit: ପୂଜା ଋତୁରେ ଚିନି ନେଇ ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ! ଜମାଖୋରଙ୍କ ଉପରେ ଲାଗିଲା ଲଗାମ
୨୦୦୭ରେ ଆସିଥିଲା ପ୍ରଥମ ରାୟ, ମିଳିଥିଲା ସ୍ଟେ ଅର୍ଡର':
ଚାକିରିରୁ ବରଖାସ୍ତ ହେବା ପରେ ୧୯୯୯ ମସିହାରେ ଗିରବର ସିଂହ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଲମ୍ବା ଶୁଣାଣି ପରେ ୨୦୦୭ ମସିହାରେ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ମାତ୍ର ଏହି ରାୟ ବିରୋଧରେ ସିଆରପିଏଫ୍ କର୍ତ୍ତୃପକ୍ଷ କୋର୍ଟରୁ 'ଷ୍ଟେ' ଆଣିଥିଲେ, ଯାହାଫଳରେ ତାଙ୍କର ଆଇନଗତ ସଂଘର୍ଷ ଆହୁରି ଲମ୍ୱିଥିଲା । ହାର ନ ମାନି ଗିରବର ସିଂହ ହାଇକୋର୍ଟର ଡବଲ୍ ବେଞ୍ଚରେ ଆବେଦନ କରିଥିଲେ । ଦୀର୍ଘ ଆଇନଗତ ଲଢ଼େଇ ପରେ ଅଗଷ୍ଟ ୨୦୨୫ରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ ତାଙ୍କୁ ପୁନଃର୍ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ଯେତେବେଳେ ଚାକିରି ମିଳି ନଥିଲା, ସେ ଓକିଲଙ୍କ ମାଧ୍ୟମରେ ଅଧିକାରୀମାନଙ୍କୁ ଆଇନଗତ ନୋଟିସ୍ ପଠାଇଥିଲେ । ଶେଷରେ ଅଗଷ୍ଟ ୨୦୨୬ରେ ତାଙ୍କୁ ସିଆରପିଏଫ୍ ରେ ପୁଣିଥରେ ଚାକିରି ମିଳିଥିଲା ଏବଂ ତାଙ୍କୁ ଛତିଶଗଡ଼ର ବିଜାପୁରଠାରେ ନିୟୋଜିତ କରାଯାଇଛି । ନିର୍ଦ୍ଦେଶ ମିଳିବାକ୍ଷଣି ଗିରବର ସିଂହ ବିଜାପୁରରେ ପହଞ୍ଚି ପୁଣିଥରେ ନିଜର ଦେଶସେବା ବର୍ଦ୍ଧି ପିନ୍ଧି କର୍ତ୍ତବ୍ୟରେ ଯୋଗଦେଇଛନ୍ତି । ଏହି ସଫଳତା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଗିରବରଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି । ଝିଅମାନଙ୍କର ବିବାହ ହୋଇସାରିଥିବାବେଳେ, ବଡ଼ ପୁଅ ଭାରତୀୟ ବାୟୁସେନାରେ ଜଣେ ଯବାନ ଭାବେ କାର୍ଯ୍ୟରତ ଏବଂ ସାନ ପୁଅ ଏବେ ପାଠ ପଢ଼ୁଛନ୍ତି । ୨୬ ବର୍ଷର ଦୀର୍ଘ ସଂଘର୍ଷ ଏବଂ ଧୈର୍ଯ୍ୟ ପରେ ମିଳିଥିବା ଏହି ବିଜୟ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

