ନୂଆଦିଲ୍ଲୀ,୩୧/୦୮: ସମୁଦ୍ରର ଗଭୀରତାରେ ମଜବୁତ ହେଉଛି ଭାରତୀୟ ନୌସେନାର ଶକ୍ତି। ଭାରତୀୟ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ଡାଇଭିଂ ସପୋର୍ଟ ଭେସେଲ୍ ଆଇଏନଏସ୍ ନିପୁଣ। ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ଜାହାଜକୁ ନୌସେନାରେ ନିୟୋଜିତ କରାଯାଇଛି। ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ୍ (HSL) ଦ୍ୱାରା ସ୍ୱଦେଶୀ ପ୍ରଯୁକ୍ତିରେ ନିର୍ମିତ ଏହି ଜାହାଜ ଗଭୀର ସମୁଦ୍ରରେ କଠୋର ଉଦ୍ଧାର ଓ ଡାଇଭିଂ ଅପରେସନ୍ରେ ଭାରତୀୟ ନୌସେନାର ବଡ଼ ସହାୟକ ହେବ।
ପଶ୍ଚିମ ନୌସେନା କମାଣ୍ଡକୁ ମିଳିଲା ବଡ଼ ଶକ୍ତି:
ନୌସେନା ପ୍ରମୁଖ ଆଡମିରାଲ କୃଷ୍ଣ ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ INS ନିପୁଣକୁ ନୌସେନାରେ ସାମିଲ କରାଯାଇଛି। ଏହା ସହିତ ପଶ୍ଚିମ ନୌସେନା କମାଣ୍ଡକୁ ଆଇଏନଏସ ନିସ୍ତାର ଭଳି ଏକ ସ୍ୱତନ୍ତ୍ର ଡାଇଭିଂ ସପୋର୍ଟ ଭେସେଲ୍ ମିଳିଛି। ଆଇଏନଏସ୍ ନିସ୍ତାରକୁ ଗତବର୍ଷ ଜୁଲାଇରେ ନୌସେନାରେ ସାମିଲ କରାଯାଇଥିଲା। ଏହା ପୂର୍ବ ନୌସେନା କମାଣ୍ଡ ଅଧୀନରେ କାର୍ଯ୍ୟ କରୁଛି।

୩୦୦ ମିଟର ଗଭୀରତାରେ କରିପାରିବ ଅପରେସନ୍:
ଆଇଏନଏସ ନିପୁଣର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହା ସମୁଦ୍ରର ପ୍ରାୟ ୩୦୦ ମିଟର ଗଭୀରତାରେ ସାଚୁରେସନ୍ ଡାଇଭିଂ ଅପରେସନ୍ କରିପାରିବ। ଏହା ଛଡ଼ା ୭୫ ମିଟର ପର୍ଯ୍ୟନ୍ତ ସାଇଡ୍-ଷ୍ଟେଜ୍ ଡାଇଭିଂ ମିଶନ୍ ମଧ୍ୟ କରିବାର କ୍ଷମତା ରହିଛି। ସମୁଦ୍ରରେ କୌଣସି ଯୁଦ୍ଧପୋତ ବିପଦରେ ପଡ଼ିଲେ କିମ୍ବା ଗଭୀର ସମୁଦ୍ରରେ ନୌସେନା କର୍ମଚାରୀ ଫସିଗଲେ, ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ଏହି ଜାହାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଖରାପ ପାଗ ଓ ଉଚ୍ଚ ଲହଡ଼ି ସମୟରେ ମଧ୍ୟ ଏହା ନିଜକୁ ସ୍ଥିର ରଖିପାରିବ। ଫଳରେ ଗଭୀର ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଅଧିକ ସୁରକ୍ଷିତ ଓ ସହଜ ହେବ।
ଗଭୀର ସମୁଦ୍ରରେ ଜାହାଜ ମରାମତି ବି କରିପାରିବ ଏହି ଯୁଦ୍ଧପୋତ:
ଆଇଏନଏସ ନିପୁଣ କେବଳ ଉଦ୍ଧାର କାର୍ଯ୍ୟ ପାଇଁ ନୁହେଁ, ସମୁଦ୍ରର ଗଭୀରତାରେ ନଷ୍ଟ ହୋଇଥିବା ଜାହାଜ କିମ୍ବା ମେସିନ୍ର ମରାମତି କାର୍ଯ୍ୟରେ ମଧ୍ୟ ସହାୟକ ହୋଇପାରିବ। ଏଥିରେ ୧୫ ଟନ୍ କ୍ଷମତାର ସବ୍-ସି କ୍ରେନ୍, ଡାଇନାମିକ୍ ପୋଜିସନିଂ ସିଷ୍ଟମ୍ ଏବଂ ୧,୦୦୦ ମିଟର ଗଭୀରତା ପର୍ଯ୍ୟନ୍ତ କାମ କରିପାରୁଥିବା ରିମୋଟଲି ଅପରେଟେଡ୍ ଭେହିକଲ୍ (ROV) ରହିଛି। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଯୋଗୁଁ ଗଭୀର ସମୁଦ୍ରରେ ଜଟିଳ ଅପରେସନ୍ କରିବା ଭାରତୀୟ ନୌସେନା ପାଇଁ ଆହୁରି ସହଜ ହେବ।
ଜାହାଜରେ ରହିଛି ହସ୍ପିଟାଲ୍ ଓ ଅପରେସନ୍ ଥିଏଟର:
ଆଇଏନଏସ ନିପୁଣରେ କ୍ୟାପଟେନ ଓ ନୌସେନା କର୍ମଚାରୀଙ୍କ ଚିକିତ୍ସା ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଜାହାଜରେ ୮ଟି ବେଡ୍ ବିଶିଷ୍ଟ ହସ୍ପିଟାଲ୍, ଆଇସିୟୁ, ଅପରେସନ୍ ଥିଏଟର ଏବଂ ଅତ୍ୟାଧୁନିକ ମେଡିକାଲ୍ ସୁବିଧା ରହିଛି। ଗଭୀର ସମୁଦ୍ରରେ ଡାଇଭିଂ ସମୟରେ ହେଉଥିବା ଗୁରୁତର ଚିକିତ୍ସାଜନିତ ସମସ୍ୟାର ତୁରନ୍ତ ଚିକିତ୍ସାରେ ଏହା ବିଶେଷ ସହାୟକ ହେବ।

୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ଏହି ଜାହଜ:
ଆଇଏନଲସ ନିପୁଣ ପ୍ରାୟ ୮,୫୦୦ ଟନ୍ ଓଜନର ଏକ ଅତ୍ୟାଧୁନିକ ଡାଇଭିଂ ସପୋର୍ଟ ଭେସେଲ୍। ଏଥିରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି। ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ୍ ଏହାକୁ ନିର୍ମାଣ କରିଛି। ବ୍ୟାପକ ସାଜସଜ୍ଜା ଓ କଠୋର ସମୁଦ୍ର ପରୀକ୍ଷଣ ପରେ ଜୁଲାଇ ୩୦ରେ ଏହି ଜାହାଜକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗଭୀର ସମୁଦ୍ରରେ ନୌସେନାର କ୍ଷମତା ବଢ଼ାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୧୮ ସେପ୍ଟେମ୍ବରରେ ଏଚଏସଏଲ୍ ସହିତ ପ୍ରାୟ ୨,୩୯୩ କୋଟି ଟଙ୍କାରେ ଦୁଇଟି ଡାଇଭିଂ ସପୋର୍ଟ ଭେସେଲ୍ ନିର୍ମାଣ ପାଇଁ ଚୁକ୍ତି କରିଥିଲା। INS ନିପୁଣର ନୌସେନାରେ ସାମିଲ ହେବା ଦ୍ୱାରା ଗଭୀର ସମୁଦ୍ରରେ ଉଦ୍ଧାର, ଡାଇଭିଂ, ଯୁଦ୍ଧପୋତ ଉଦ୍ଧାର ଏବଂ ସମୁଦ୍ର ତଳେ ମରାମତି ଭଳି ଜଟିଳ ଅପରେସନ୍ରେ ଭାରତର କ୍ଷମତା ଆହୁରି ମଜବୁତ ହୋଇଛି।

