ନୂଆଦିଲ୍ଲୀ,୪।୪: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ସାଉଦି ଆରବର ରାଜଧାନୀ ରିୟାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଗତ ମାସରେ ରିୟାଦରେ ଆମେରିକୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ନୂତନ ଏବଂ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ରିପୋର୍ଟ ଅନୁସାରେ, ଗତ ୩ ମାର୍ଚ୍ଚ ରେ ହୋଇଥିବା ଏହି ଆକ୍ରମଣ ପୂର୍ବ ରିପୋର୍ଟ ଅପେକ୍ଷା ଦୂତାବାସକୁ ବହୁତ ଅଧିକ କ୍ଷତି ପହଞ୍ଚାଇଛି।
କୁହାଯାଉଛି ଯେ ଏହି ଆକ୍ରମଣ ଦୂତାବାସର ସୁରକ୍ଷା ଏବଂ ଗୁଇନ୍ଦା ବ୍ୟବସ୍ଥାକୁ ଦୋହଲାଇ ଦେଇଛି।
ଏହି ଆକ୍ରମଣ ପାଇଁ ପ୍ରଥମେ ଇରାନକୁ ଦାୟୀ କରାଯାଉଥିଲା। କିନ୍ତୁ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଆଇଆରଜିସି ଅଫିସିଆଲି ବୟାନ ଜାରି କରି କହିଛି, ଏହି ଆକ୍ରମଣ ଇରାନ ସେନା ଦ୍ବାରା କରାଯାଇନି। ଇରାନର ଦାବି ଯେ, ଏହି ଆକ୍ରମଣ ନିଶ୍ଚିତ ଭାବରେ ଇସ୍ରାଏଲର କାମ ହୋଇପାରେ। ତେହରାନ କହିଛି ସେ ପୂର୍ବରୁ ନିଜର ସମ୍ଭାବିତ ସାମରିକ ଲକ୍ଷ୍ୟର ଏକ ସୂଚୀ ଜାରି କରିଥିଲା ଓ ରିୟାଦ ସ୍ଥିତ ଦୂତାବାସ ଏହି ସୂଚୀର ଅଂଶ ନଥିଲା। ରିପୋର୍ଟ ଅନୁସାରେ, ରିୟାଦର ଡିପ୍ଲୋମାଟିକ୍ କ୍ବାର୍ଟରରେ ଥିବା ଦୂତାବାସ ଉପରେ ଦୁଇଟି ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ପ୍ରଥମ ଡ୍ରୋନ୍ ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେଇ ସିଧା ସଳଖ ଏହାର ପରିସରରେ ପଡିଥିଲା। ଏହାର ତୁରନ୍ତ ପରେ ଦ୍ବିତୀୟ ଡ୍ରୋନ୍ ପୁଣିଥରେ ସେହି ସ୍ଥାନରେ ପଡିଥିଲା। ଏହି ଆକ୍ରମଣରେ ଦୂତାବାସର ତିନି ମହଲା ବିଶିଷ୍ଟ ବିଲ୍ଡିଂ ଗଭୀର କ୍ଷତିଗ୍ରସ୍ତ ହୋଇଛି।

ଯୁଦ୍ଧକ୍ଷେତ୍ରରେ ମଧ୍ୟ ଆମେରିକା ପାଇଁ ପରିସ୍ଥିତି ଚ୍ୟାଲେଞ୍ଜିଂ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇରାନ ଦୁଇଟି ଅତ୍ୟାଧୁନିକ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଦାବି କରିଛି। ଏଥିରେ F-15 ଏବଂ A-10 ଥଣ୍ଡରବୋଲ୍ଟ ଭଳି ଶକ୍ତିଶାଳୀ ବିମାନ ରହିଛି, ଯାହାକୁ ଆମେରିକୀୟ ବାୟୁସେନାର ମେରୁଦଣ୍ଡ ବୋଲି କୁହାଯାଏ। ପୂର୍ବତନ ସିଆଇଏ ଅଧିକାରୀ ବର୍ଣ୍ଣାର୍ଡ ହଡସନଙ୍କ ଅନୁଯାୟୀ, ଏହି ଆକ୍ରମଣ ଦର୍ଶାଉଛି ଯେ ଆକ୍ରମଣକାରୀମାନେ ଏବେ ଦୂର ଦୂରାନ୍ତରୁ ସଠିକ୍ ଆକ୍ରମଣ କରିବାକୁ ସକ୍ଷମ, ଏବଂ ଆମେରିକୀୟ ଘାଟିଗୁଡ଼ିକ ଆଉ ସୁରକ୍ଷିତ ନୁହେଁ।
ଆକ୍ରମଣ ପରେ ତୁରନ୍ତ ସାଉଦି ଅଧିକାରୀମାନେ ଏହି ଘଟଣାକୁ ଏକ ସାମାନ୍ୟ ଅଗ୍ନିକାଣ୍ଡ ବୋଲି କହି ଖାରଜ କରିବାକୁ ଚେଷ୍ଟା କରିଥିଲେ। ତଥାପି, ପରେ ଜଣାପଡିଥିଲା ଯେ ଦୂତାବାସରେ ନିଆଁ କିଛି ଘଣ୍ଟା ଧରି ଜଳିଥିଲା, ଯାହା ଫଳରେ କୋଠାର ଅନେକ ଅଂଶରେ କ୍ଷତି ହୋଇଥିଲା। ବିଶେଷଜ୍ଞମାନେ ମତରେ ଯଦି ଆକ୍ରମଣଟି ଦିନରେ ହୋଇଥାନ୍ତା, ତେବେ ଜୀବନ ଏବଂ ସମ୍ପତ୍ତିର କ୍ଷତି ବହୁତ ଅଧିକ ହୋଇପାରିଥାନ୍ତା। ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ବର୍ତ୍ତମାନ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି।
ଆହୁରି ପଢନ୍ତୁ : ଡୋନାଲ୍ଡୋ ଟ୍ରମ୍ପଙ୍କ କ୍ୟାନସେଲ୍ ହେଲା ସାପ୍ତାହିକ ଛୁଟି, ଯୁଦ୍ଧ ଭିତରେ ହ୍ୱାଇଟ୍ ହାଉସରେ କରିବେ ଏହି କାମ

