ନୂଆଦିଲ୍ଲୀ, ୦୧/୦୯: ଆଜିର ଡିଜିଟାଲ୍ ଯୁଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଫଟୋ, ମେସେଜ୍ କିମ୍ବା କୌଣସି ଦରକାରୀ ଜିନିଷ ଦେଖିଲେ ତୁରନ୍ତ ସ୍କ୍ରିନସଟ୍ ନେବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି। ଅଧିକାଂଶ ଲୋକ ଭାବନ୍ତି, ସ୍କ୍ରିନସଟ୍ ନେଇ ରଖିଲେ ସୂଚନାଟି ସୁରକ୍ଷିତ ରହିବ ଏବଂ ଆବଶ୍ୟକ ସମୟରେ ସହଜରେ ମିଳିଯିବ। କିନ୍ତୁ ଏହି ଅଭ୍ୟାସ ଆମ ସ୍ମୃତିଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଏକ ଗବେଷଣାରେ ଦାବି କରାଯାଇଛି।
ଯୁକ୍ତରାଷ୍ଟ୍ରର ବିଙ୍ଗହାମଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଫଟୋ ଉଠାଇବା କିମ୍ବା ସ୍କ୍ରିନସଟ୍ ନେବା ଅଭ୍ୟାସ ମଣିଷର ସ୍ମୃତି ଉପରେ କିପରି ପ୍ରଭାବ ପକାଏ, ତାହା ଅଧ୍ୟୟନ କରିଥିଲେ। ଗବେଷଣାରେ ଏପରି ଏକ ପ୍ରଭାବକୁ 'ଫଟୋ-ଟେକିଂ ଇମ୍ପେୟାରମେଣ୍ଟ ଇଫେକ୍ଟ' ବୋଲି ଉଲ୍ଲେଖ କରାଯାଇଛି। ସରଳ ଭାଷାରେ କହିଲେ, କୌଣସି ଦୃଶ୍ୟ କିମ୍ବା ତଥ୍ୟକୁ କ୍ୟାମେରାରେ କଏଦ କରିବା ପରେ ଆମେ ତାହାକୁ ନିଜେ ଧ୍ୟାନ ଦେଇ ଦେଖିବା ଅପେକ୍ଷା କମ୍ ମନେ ରଖିପାରୁ। ଅର୍ଥାତ୍, 'ଫଟୋ ନେଇଦେଲି, ପରେ ଦେଖିନେବି' ଭାବନା ଆମ ସ୍ମୃତି ଗଠନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ।

ଏହି ଅଧ୍ୟୟନରେ ଛାତ୍ରଛାତ୍ରୀଙ୍କୁ ଚିତ୍ରକଳା ଓ ବିଭିନ୍ନ ସ୍କେଚ୍ ସମେତ ଅନେକ ଚିତ୍ର ଦେଖାଯାଇଥିଲା। ସେମାନଙ୍କୁ କିଛି ଚିତ୍ରର ସ୍କ୍ରିନସଟ୍ ନେବାକୁ କୁହାଯାଇଥିବା ବେଳେ ଅନ୍ୟ କିଛି ଚିତ୍ରକୁ କେବଳ ଧ୍ୟାନ ଦେଇ ଦେଖିବାକୁ କୁହାଯାଇଥିଲା। ପରେ ଗବେଷକମାନେ ଛାତ୍ରଛାତ୍ରୀଙ୍କୁ ସେହି ଚିତ୍ରଗୁଡ଼ିକ ସମ୍ପର୍କରେ ବିଭିନ୍ନ ବିସ୍ତୃତ ପ୍ରଶ୍ନ ପଚାରିଥିଲେ। ଫଳାଫଳରେ ଦେଖାଯାଇଥିଲା ଯେ, ଯେଉଁ ଚିତ୍ରଗୁଡ଼ିକର ସ୍କ୍ରିନସଟ୍ କିମ୍ବା ଫଟୋ ନିଆଯାଇଥିଲା, ସେଗୁଡ଼ିକର ବିବରଣୀ ମନେ ରଖିବାରେ ଅଂଶଗ୍ରହଣକାରୀମାନେ ତୁଳନାମୂଳକ ଭାବେ ଦୁର୍ବଳ ଥିଲେ। ଅନ୍ୟପକ୍ଷରେ, କୌଣସି ଫଟୋ ନ ନେଇ କେବଳ ଧ୍ୟାନ ଦେଇ ଦେଖିଥିବା ଚିତ୍ରଗୁଡ଼ିକର ବିବରଣୀ ସେମାନେ ଅଧିକ ସଠିକ୍ ଭାବେ ମନେ ରଖିପାରିଥିଲେ।
ଅଧ୍ୟୟନର ଆଉ ଏକ ଆଶ୍ଚର୍ଯ୍ୟଜନକ ଦିଗ ଥିଲା ସ୍କ୍ରିନସଟ୍ ନେବା ସମ୍ପର୍କିତ ସ୍ମୃତି। କିଛି ଅଂଶଗ୍ରହଣକାରୀ କେଉଁ ଚିତ୍ରର ସ୍କ୍ରିନସଟ୍ ନେଇଥିଲେ, ତାହା ମଧ୍ୟ ଭୁଲିଯାଇଥିଲେ। ତେବେ ସେମାନେ କେଉଁ ଚିତ୍ରର ସ୍କ୍ରିନସଟ୍ ନେଇନଥିଲେ, ତାହା ତୁଳନାମୂଳକ ଭାବେ ସ୍ପଷ୍ଟ ଭାବରେ ମନେ ରଖିଥିଲେ। ଗବେଷକମାନଙ୍କ ମତରେ, ଏହା ଦର୍ଶାଏ ଯେ ଯେତେବେଳେ ଆମେ କୌଣସି ତଥ୍ୟକୁ ଡିଜିଟାଲ୍ ଭାବେ ସଂରକ୍ଷିତ କରିଦେଉ, ସେତେବେଳେ ତାହାକୁ ନିଜ ସ୍ମୃତିରେ ରଖିବା ପାଇଁ ଆମର ମସ୍ତିଷ୍କ କମ୍ ପ୍ରୟାସ କରିପାରେ।

Sunlight Disappears: ଯଦି ହଠାତ୍ ସୂର୍ଯ୍ୟ ଅଦୃଶ୍ୟ ହୁଏ, ତେବେ ପୃଥିବୀ ଅନ୍ଧାର ହେବାକୁ କେତେ ସମୟ ଲାଗିବ ?
ଗବେଷକମାନେ ଏହା ପଛରେ ଦୁଇଟି ପ୍ରମୁଖ କାରଣକୁ ଗୁରୁତ୍ୱ ଦେଇଛନ୍ତି-ଧ୍ୟାନର ବିଭାଜନ ଏବଂ 'କଗ୍ନିଟିଭ୍ ଅଫ୍ଲୋଡିଂ'। କୌଣସି ଦୃଶ୍ୟକୁ ଧ୍ୟାନ ଦେଇ ଦେଖିବା ବଦଳରେ ଯେତେବେଳେ ଆମେ ଫଟୋ କିମ୍ବା ସ୍କ୍ରିନସଟ୍ ନେବାରେ ବ୍ୟସ୍ତ ହୋଇଯାଉ, ସେତେବେଳେ ଆମର ଧ୍ୟାନ ଦୃଶ୍ୟରୁ ହଟି କ୍ୟାମେରା, ଫୋନ୍ ଏବଂ ଫ୍ରେମ୍ କରିବା ଭଳି କାର୍ଯ୍ୟ ଉପରେ କେନ୍ଦ୍ରିତ ହୋଇଥାଏ। ଫଳରେ ସୂଚନାକୁ ଗଭୀର ଭାବେ ମନେ ରଖିବା ପାଇଁ ମିଳୁଥିବା ଧ୍ୟାନ କମିଯାଇପାରେ।
ସେହିପରି, 'କଗ୍ନିଟିଭ୍ ଅଫ୍ଲୋଡିଂ'ର ଅର୍ଥ ହେଉଛି ମାନସିକ ଭାରକୁ ବାହ୍ୟ ଉପକରଣ ଉପରେ ଛାଡ଼ିଦେବା। ଉଦାହରଣ ସ୍ୱରୂପ, ଆମେ ଜାଣୁ ଯେ କୌଣସି ଫୋନ୍ ନମ୍ବର ଆମ ମୋବାଇଲ୍ରେ ସେଭ୍ ହୋଇଛି। ତେଣୁ ତାହାକୁ ମନେ ରଖିବା ପାଇଁ ମସ୍ତିଷ୍କ ଅଧିକ ପ୍ରୟାସ କରେ ନାହିଁ। ସ୍କ୍ରିନସଟ୍ କ୍ଷେତ୍ରରେ ମଧ୍ୟ ସମାନ ମାନସିକ ପ୍ରକ୍ରିୟା କାମ କରିପାରେ।

