ପୁରୀ: ବନ୍ଧୁକ ଧରି ଫାଙ୍କା ଗୁଳି ଚାଳନା। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ଯୁବକ ହାତରେ ବନ୍ଧୁକ ଧରି ଫାଙ୍କା ଗୁଳି ଚାଳନା କରୁଛନ୍ତି। ଏଥିସହ ଯୁବକ ଜଣକ ବାଇକ୍ ରେ ବସି ବନ୍ଧୁକ ଧରିବା ସହିତ ପକେଟରେ ବନ୍ଧୁକ ରଖି ରିଲ୍ସ କରୁଛନ୍ତି । ଏମିତି କିଛି ଭିଡିଓ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିବାବେଳେ ଏହା ଭାଇରାଲ୍ ହେବାରେ ଲାଗିଛି।
ତେବେ ଭାଇରାଲ ହେଉଥିବା ଯୁବକ ଜଣକ ହେଲେ ପୁରୀ ହରଚଣ୍ଡୀ ସାହିର ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
ବନ୍ଧୁକ ଧରି ଗୁଳି ଫୁଟାଇବା ଭିଡିଓ ଶ୍ରୀଧର ଏକ୍ସ ଭିଲିଆନ ନାମକ ଆଇଡିରେ ଅପଲୋଡ ହୋଇଛି। ତେବେ ଯୁବକ ଜଣକ ବନ୍ଧୁକ କେଉଁଠାରୁ ଆଣିଲେ ? ସେନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଏଭଳି ବେଆଇନ କାର୍ଯ୍ୟକଳାପ ସାମାଜିକ ଶୃଙ୍ଖଳା ପାଇଁ ବିପଦ ସୃଷ୍ଟି କରୁଥିବାବେଳେ ତୁରନ୍ତ ପୋଲିସ ଘଟଣାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
କହି ରଖୁଛୁ କି, ନିକଟରେ ରାମ ନବମୀ ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜେନ ସର୍ବସାଧାରଣରେ ଫାଙ୍କା ଗୁଳି ଚାଳନା କରିଥିବାରୁ ଭିଡିଓ ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ପ୍ରତିବାଦ ହୋଇଥିବାବେଳେ ତାଙ୍କ ପିଏସଓଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଯାହାକୁ ନେଇ ଏକ ଭିଡିଓ କରି ମଧ୍ୟ ନିଜର ମତ ରଖିଥିଲେ ବିଧାୟକ । ଏବେ ପୁଣି ଏଭଳି ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହେଉଥିବାବେଳେ ବନ୍ଧୁକ ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ ଉଠିଛି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମଧ୍ୟ କୁହାଯାଉଛି । ଏଭଳି ଏମାନେ କେତେବେଳେ କାହାର ଜୀବନ ନେଇପାରନ୍ତି ବୋଲି ମଧ୍ୟ ସାଧାରଣରେ କୁହାଯାଇଛି ।
ଏହାସହ ପଢ଼ନ୍ତୁ : ଗ୍ରୀନଙ୍କ ପ୍ରଦର୍ଶନକୁ ନେଇ ଏମିତି କହିଲେ ହରଭଜନ

