ନୂଆଦିଲ୍ଲୀ : ଭାରତରେ ଲଞ୍ଚ ହେଲା ସେମିକଣ୍ଟକ୍ଟର ୨.୦ । ଏନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ସିଷ୍ଟମକୁ ଆଗାମୀ ସ୍ତରକୁ ନେବା ପାଇଁ ସରକାରଙ୍କ ଆଭିମୁଖ୍ୟ ବିଷୟରେ ଜଣାଇଛନ୍ତି ।
ଏହି ଅବସରରେ 'ସେମିକନ୍ ୨.୦' (Semicon 2.0) ଯୋଜନାର ସମସ୍ତ ୬ଟି ପ୍ରମୁଖ ସ୍ତମ୍ଭ ( Pillar) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ନିର୍ମାଣ କ୍ଷମତାକୁ ଅଧିକ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ସ୍କିମ୍ ପ୍ରଥମ 'ସେମିକନ୍ ଇଣ୍ଡିଆ' କାର୍ଯ୍ୟକ୍ରମର ସଫଳତା ଉପରେ ଆଧାରିତ। ଏହା ଚିପ୍ ଡିଜାଇନ୍, ଫ୍ୟାବ୍ରିକେସନ୍, ପ୍ୟାକେଜିଂ, ଯନ୍ତ୍ରପାତି, କଞ୍ଚାମାଲ, ଗବେଷଣା ଓ ବିକାଶ ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ ସେମିକଣ୍ଡକ୍ଟରର ସବୁ କ୍ଷେତ୍ରରେ ଆର୍ଥିକ ଓ ଭିତ୍ତିଭୂମି ସହାୟତା ଯୋଗାଇବ ।
ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ବୈଷୟିକ ଅଗ୍ରଗତି ହାସଲ କରି ଭାରତର ଆର୍ଥିକ ଅଭିବୃଦ୍ଧି ଓ ଜାତୀୟ ସୁରକ୍ଷାକୁ ମଜବୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହା ୧୦ଟି ବର୍ଗକୁ କଭର କରୁଥିବା ୬ଟି Pillar ବା ସ୍ତମ୍ଭ ମାଧ୍ୟମରେ କାର୍ଯ୍ୟ କରିବ।
ସେମିକନ୍ ୨.୦ ଅଧୀନରେ ଥିବା ୬ଟି ସ୍ତମ୍ଭ :
କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତ ୧୦ ବର୍ଷ ମଧ୍ୟରେ ୮୫,୦୦୦ ସେମିକଣ୍ଡକ୍ଟର ଇଞ୍ଜିନିୟର ତିଆରି କରିବାର ଲକ୍ଷ୍ୟକୁ ମାତ୍ର ଚାରି ବର୍ଷ ମଧ୍ୟରେ ହାସଲ କରି ପାରିଛି ଏବଂ ଏବେ ଆଉ ଏକ ଲକ୍ଷ ଇଞ୍ଜିନିୟର ତିଆରି କରିବାର ନୂଆ ଲକ୍ଷ୍ୟ ରଖା ଯାଇଛି। ଆଗାମୀ ବର୍ଷ ଗୁଡ଼ିକରେ ବିଶ୍ୱ ସେମିକଣ୍ଡକ୍ଟର ଉଦ୍ୟୋଗର ପ୍ରାୟ ୧୦ ପ୍ରତିଶତ ବଜାର, ଭାରତରେ ରହିବ ବୋଲି ଆଶା କରାଯାଉଛି। ଟାୟାର-୨ ଏବଂ ଟାୟାର-୩ ସହରର ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ରୂପେ ୨୫୦ରୁ ଅଧିକ ଚିପ୍ ଡିଜାଇନ୍ କରି ସାରିଛନ୍ତି। ଗୋଟିଏ କ୍ଷେତ୍ରରେ ଶିଳାନ୍ୟାସର ମାତ୍ର ୧୩ ମାସ ମଧ୍ୟରେ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହୋଇଥିବା ବେଳେ ଅନେକ କ୍ଷେତ୍ରରେ ୨୦୦ ଦିନ, ୧୫୦ ଦିନ ଏବଂ ୯୦ ଦିନ ମଧ୍ୟରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ଭାରତରେ ଗଢ଼ି ଉଠୁଥିବା ଏହି ସେମିକଣ୍ଡକ୍ଟର ସିଷ୍ଟମ୍ ୫୦,୦୦୦ରୁ ୬୦,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ।
ସେମିକନ୍ ୨.୦ ଅଧୀନରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ଅବଧି ସାଧାରଣତଃ ୬ ବର୍ଷ ପର୍ଯ୍ୟନ୍ତ ରହିବ, ଯେତେବେଳେ କି ଆବେଦନ ପାଇଁ ଏହି ଯୋଜନା ପ୍ରାରମ୍ଭିକ ଭାବେ ୩ ବର୍ଷ ପର୍ଯ୍ୟନ୍ତ ଖୋଲା ରହିବ।
'ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍' (ISM) ସେମିକନ୍ ୨.୦ ପାଇଁ ନୋଡାଲ୍ ଏଜେନ୍ସି ଭାବରେ କାର୍ଯ୍ୟ କରିବ। ଏହା ଆବେଦନ ଆହ୍ୱାନ କରିବ, ବୈଷୟିକ ଓ ଆର୍ଥିକ ମୂଲ୍ୟାଙ୍କନ କରିବ, ଆବେଦନକାରୀଙ୍କୁ ସୁପାରିଶ କରିବ ଏବଂ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବ। ISM ସି-ଡାକ୍ (C-DAC) ର ସହାୟତାରେ ଡିଜାଇନ୍ ଏବଂ ନିୟୋଜନ ବର୍ଗଗୁଡ଼ିକୁ କାର୍ଯ୍ୟକାରୀ କରିପାରେ। ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ମିଶନ୍ ୨୦୨୬ ରୁ ସେମିକଣ୍ଡକ୍ଟର ଡିପ୍-ଟେକ୍ ପୁରସ୍କାର ମଧ୍ୟ ଘୋଷଣା କରିପାରେ।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଆର୍ଥିକ ସହାୟତା ପାଇଁ ବଜେଟ୍ ବ୍ୟବସ୍ଥା କରିବ, ଯାହା ଅନୁମୋଦିତ ସର୍ତ୍ତାବଳୀ ଅନୁଯାୟୀ ନୋଡାଲ୍ ଏଜେନ୍ସି ଦ୍ୱାରା ବଣ୍ଟନ କରାଯିବ। ଯୋଜନାର ପ୍ରଭାବ ମୂଲ୍ୟାଙ୍କନ କରିବା ଏବଂ ଏଥିରେ କୌଣସି ସଂଶୋଧନ କିମ୍ବା ଏହାକୁ ଜାରି ରଖିବା ନେଇ ନିଷ୍ପତ୍ତି ନେବା ପାଇଁ ୩ ବର୍ଷର କାର୍ଯ୍ୟକାରିତା ପରେ କିମ୍ବା ଆବଶ୍ୟକତା ଅନୁଯାୟୀ ଏକ ମଧ୍ୟବର୍ତ୍ତୀ ମୂଲ୍ୟାଙ୍କନ (Mid-term Assessment) କରାଯିବ।
ଆହୁରି ମଧ୍ୟ ପଢନ୍ତୁ - ସମୁଦ୍ରର ଗଭୀରତାରେ ବଢ଼ିଲା ଭାରତର ଶକ୍ତି, ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନସ୍ ନିପୁଣ

