ନୂଆଦିଲ୍ଲୀ, ୩।୮: ନିର୍ବାସନ… ଅର୍ଥାତ୍ ଦେଶ ଛାଡ଼ିବାକୁ ବାଧ୍ୟ । କିନ୍ତୁ ଇତିହାସ କହୁଛି, ଅନେକ ନେତାଙ୍କ ପାଇଁ ନିର୍ବାସନ ଶେଷ ନୁହେଁ, ବରଂ ନୂଆ ରାଜନୈତିକ ଯାତ୍ରାର ଆରମ୍ଭ ହୋଇଛି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଷେଖ ହସିନା ଏବେ ଭାରତରେ ନିର୍ବାସିତ ଜୀବନ ବିତାଉଛନ୍ତି । ଅନ୍ୟପଟେ ବାଂଲାଦେଶ ସରକାର ତାଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତକୁ ଆନୁଷ୍ଠାନିକ ଅନୁରୋଧ କରିଛନ୍ତି ।
ଏସବୁ ଭିତରେ ଦିସେମ୍ବର ସୁଦ୍ଧା ସ୍ୱଦେଶ ଫେରିବାକୁ ଘୋଷଣା କରିଛନ୍ତି ହସିନା । ଫେରିଲେ ଗିରଫଦାରୀ ଓ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ, ସେ ଆନ୍ତର୍ଜାତୀୟ ଗଣମାଧ୍ୟମ ଜରିଆରେ ନିଜର ପକ୍ଷ ରଖିବାକୁ ଯାଉଛନ୍ତି । ତେବେ ପ୍ରଶ୍ନ ଉଠୁଛି, ନିର୍ବାସନରୁ ଫେରି କ'ଣ ପୁଣି ସତ୍ତା ହାସଲ କରିପାରିବେ ଶେଖ ହସିନା ? ଇତିହାସ ସାକ୍ଷୀ ଅଛି, ଦୁନିଆରେ ଏପରି ଅନେକ ନେତା ଅଛନ୍ତି ଯେଉଁମାନେ ଦେଶ ଛାଡ଼ି ନିର୍ବାସନରେ ରହିବା ପରେ ବି ପୁଣିଥରେ ସତ୍ତାର ଶୀର୍ଷରେ ପହଞ୍ଚିଛନ୍ତି । ଆସନ୍ତୁ ଜାଣିବା, ନିର୍ବାସନରୁ ସତ୍ତା ପର୍ଯ୍ୟନ୍ତ ଫେରିଥିବା ୫ ଜଣ ନେତାଙ୍କ କାହାଣୀ ।
୧. ବେନଜୀର ଭୁଟ୍ଟୋ: ଲଣ୍ଡନ ଓ ଦୁବାଇରୁ ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକାର ଅଲି ଭୁଟ୍ଟୋଙ୍କ ଝିଅ ଥିଲେ ବେନଜିର ଭୁଟ୍ଟୋ । ୧୯୭୭ ମସିହାରେ ଜେନେରାଲ ଜିଆ-ଉଲ-ହକ୍ ତାଙ୍କ ବାପାଙ୍କ ସରକାରକୁ ହଟାଇଥିଲେ । ୧୯୭୯ରେ ଜୁଲଫିକାର ଅଲି ଭୁଟ୍ଟୋଙ୍କୁ ଦିଆଯାଇଥିଲା ଫାଶୀ । ଏହା ପରେ ବେନଜିରଙ୍କୁ ଏକାଧିକ ବାର ଗିରଫ କରାଯାଇଥିଲା । ପ୍ରାୟ ୩ ବର୍ଷ ଜେଲ୍ରେ ରହିବା ପରେ ୧୯୮୪ରେ ତାଙ୍କୁ ବିଦେଶ ଯିବାକୁ ମିଳିଥିଲା ଅନୁମତି । ସେ ଲଣ୍ଡନ ଯାଇ ପାକିସ୍ତାନ ପିପୁଲ୍ସ ପାର୍ଟିର ନେତୃତ୍ୱ ନେଇଥିଲେ । ୧୯୮୬ରେ ସେ ପାକିସ୍ତାନ ଫେରିଥିଲେ । ଜିଆ ଶାସନ ବିରୋଧରେ ବିଶାଳ ରାଲି କରିଥିଲେ । ୧୯୮୮ରେ ଜିଆ-ଉଲ-ହକଙ୍କ ମୃତ୍ୟୁ ପରେ ହୋଇଥିବା ନିର୍ବାଚନରେ ପିପିପି ସଫଳତା ପାଇଲା ଏବଂ ବେନଜିର ଭୁଟ୍ଟୋ ହେଲେ ଏକ ମୁସଲିମ୍ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ପରେ ୧୯୯୬ରେ ତାଙ୍କ ସରକାର ପୁଣି ବରଖାସ୍ତ ହୋଇଥିଲା । ୧୯୯୯ରେ ସେ ପୁଣି ଦେଶ ଛାଡ଼ିଥିଲେ । ୨୦୦୭ରେ ପାକିସ୍ତାନ ଫେରିଥିଲେ । କିନ୍ତୁ ସେହି ବର୍ଷ ଡିସେମ୍ବର ୨୭ରେ ଏକ ନିର୍ବାଚନୀ ସଭା ପରେ ତାଙ୍କୁ ହତ୍ୟା କରାଯାଇଥିଲା ।
୨. ନୱାଜ ଶରୀଫ: ସାଉଦି ଆରବରୁ ସତ୍ତାକୁ ପ୍ରତ୍ୟାବର୍ତ୍ତନ
ନୱାଜ ଶରିଫ । ପାକିସ୍ତାନର ୩-୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନୱାଜ ଶରିଫଙ୍କ ରାଜନୈତିକ ଯାତ୍ରା ମଧ୍ୟ ନିର୍ବାସନ ଦେଇ ଯାଇଛି । ୧୯୯୯ରେ ଜେନେରାଲ ପରଭେଜ ମୁଶାରଫଙ୍କ ସାମରିକ ବିଦ୍ରୋହ ପରେ ତାଙ୍କ ସରକାର ହଟିଥିଲା । ଜେଲ୍ ଓ ମାମଲା ପରେ ୨୦୦୦ରେ ଏକ ଚୁକ୍ତି ଅନୁସାରେ ସେ ସାଉଦି ଆରବ ଚାଲିଯାଇଥିଲେ । ପ୍ରାୟ ୭ ବର୍ଷ ପରେ ୨୦୦୭ରେ ସେ ପାକିସ୍ତାନ ଫେରିଥିଲେ । ୨୦୧୩ ନିର୍ବାଚନରେ ତାଙ୍କ ଦଳ ବଡ଼ ସଫଳତା ପାଇଲା ଏବଂ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ।
୩. ଅୟାତୋଲ୍ଲା ଖୋମେନି: ନିର୍ବାସନରୁ ଇରାନୀ କ୍ରାନ୍ତି
ଆୟାତୋଲ୍ଲା ଖୋମେନି । ଇରାନର ଧାର୍ମିକ ନେତା ଆୟାତୋଲ୍ଲା ରୁହୋଲ୍ଲା ଖୋମେନି ଶାହ୍ ମହମ୍ମଦ ରେଜା ପହଲଭିଙ୍କ ବଡ଼ ବିରୋଧୀ ଥିଲେ । ୧୯୬୪ରେ ତାଙ୍କୁ ଇରାନରୁ ନିର୍ବାସିତ କରାଯାଇଥିଲା । ସେ ତୁର୍କୀ, ପରେ ଇରାକର ନଜଫ ଏବଂ ଶେଷରେ ଫ୍ରାନ୍ସରେ ରହିଥିଲେ । ତାଙ୍କ ବାର୍ତ୍ତା ଓ ଭାଷଣ କ୍ୟାସେଟ୍ ଇରାନରେ ପହଞ୍ଚୁଥିଲା । ପ୍ରାୟ ୧୪ରୁ ୧୫ ବର୍ଷ ନିର୍ବାସନ ପରେ ୧୯୭୯ରେ ସେ ଇରାନ ଫେରିଥିଲେ । ପରେ ଇରାନରେ ଇସ୍ଲାମିକ୍ ରିପବ୍ଲିକ୍ ସ୍ଥାପିତ ହେଲା ଏବଂ ଖୋମେନି ସର୍ବୋଚ୍ଚ ନେତା ହେଲେ ।
ଏହା ବି ପଢ଼ନ୍ତୁ... ସାମ୍ନାକୁ ଆସିଲା ବିଶ୍ବର ୧୦ ଧନୀ ନେତାଙ୍କ ତାଲିକା, ନମ୍ବର ୧ରେ ପୁଟିନ, ଜାଣନ୍ତୁ ଟ୍ରମ୍ପ ଆଉ ସୁନକଙ୍କ ସ୍ଥାନ କେଉଁଠି…
୪. ନେପୋଲିଅନ୍ ବୋନାପାର୍ଟ: ଏଲବା ଦ୍ୱୀପରୁ ଫ୍ରାନ୍ସର ସତ୍ତା
୧୮୧୪ରେ ୟୁରୋପୀୟ ଶକ୍ତିମାନଙ୍କ ହାତରେ ପରାଜୟ ପରେ ନେପୋଲିୟନଙ୍କୁ ଫ୍ରାନ୍ସର ସମ୍ରାଟ ପଦ ଛାଡ଼ିବାକୁ ପଡ଼ିଥିଲା । ତାଙ୍କୁ ଏଲବା ଦ୍ୱୀପକୁ ନିର୍ବାସିତ କରାଯାଇଥିଲା । କିନ୍ତୁ, ୧୮୧୫ରେ ସେ ସେଠାରୁ ପଳାଇ ଫ୍ରାନ୍ସ ଫେରିଥିଲେ । ଅନେକ ସୈନ୍ୟ ତାଙ୍କ ସହ ଯୋଗ ଦେଇଥିଲେ । ସେ ପୁଣି କ୍ଷମତା ଦଖଲ କଲେ । ଏହି ସମୟକୁ "ଶହେ ଦିନର ଶାସନ" ବୋଲି କୁହାଯାଏ । କିନ୍ତୁ ୱାଟରଲୁ ଯୁଦ୍ଧରେ ପରାଜୟ ପରେ ତାଙ୍କୁ ପୁଣି ନିର୍ବାସନ କରାଯାଇଥିଲା । ୧୮୨୧ରେ ସେଣ୍ଟ ହେଲେନା ଦ୍ୱୀପରେ ତାଙ୍କ ମୃତ୍ୟୁ ହୋଇଥିଲା ।
୫. ବୋଙ୍ଗବୋଙ୍ଗ ମାର୍କୋସ୍: ହୱାଇ ନିର୍ବାସନରୁ ରାଷ୍ଟ୍ରପତି ଭବନ
ବୋଙ୍ଗବୋଙ୍ଗ ମାର୍କୋସ । ଫିଲିପାଇନ୍ସର ରାଷ୍ଟ୍ରପତି ବୋଙ୍ଗବୋଙ୍ଗ ମାର୍କୋସ ହେଉଛନ୍ତି ପୂର୍ବତନ ଶାସକ ଫର୍ଡିନାଣ୍ଡ ମାର୍କୋସଙ୍କ ପୁଅ । ୧୯୮୬ର ଜନଆନ୍ଦୋଳନ ପରେ ମାର୍କୋସ ପରିବାର ଦେଶ ଛାଡ଼ି ହାୱାଇ ଚାଲିଯାଇଥିଲେ । ପ୍ରାୟ ୫ ବର୍ଷ ପରେ ବୋଙ୍ଗବୋଙ୍ଗ ଫେରିଥିଲେ । ସେ ପ୍ରଥମେ ସ୍ଥାନୀୟ ରାଜନୀତିରେ ସକ୍ରିୟ ହେଲେ । ପରେ ସାଂସଦ ଓ ସିନେଟର ହେଲେ । ୨୦୨୨ରେ ସେ ଫିଲିପାଇନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ।
ଏ ସମସ୍ତ କାହାଣୀରୁ ଗୋଟିଏ କଥା ସ୍ପଷ୍ଟ ହୁଏ । ନିର୍ବାସନ କେବଳ ରାଜନୈତିକ ଅନ୍ତ ନୁହେଁ । ଯଦି ସଂଗଠନ, ଜନସମର୍ଥନ, ସଠିକ୍ ସମୟ ଏବଂ ପ୍ରଭାବଶାଳୀ ବାର୍ତ୍ତା ଥାଏ, ତେବେ ନେତାମାନେ ପୁଣି ସତ୍ତାକୁ ଫେରିପାରନ୍ତି । ବେନଜିର ଓ ନୱାଜ ଶରିଫ ଦଳୀୟ ସଂଗଠନ ଉପରେ ଭରସା କରିଥିଲେ । ଖୋମେନି ଏକ ଆନ୍ଦୋଳନକୁ ବିପ୍ଳବରେ ପରିଣତ କରିଥିଲେ । ନେପୋଲିୟନ ସେନା ଓ ଲୋକପ୍ରିୟତାର ସହାୟତା ନେଇଥିଲେ । ବୋଙ୍ଗବୋଙ୍ଗ ମାର୍କୋସ ପରିବାରର ରାଜନୈତିକ ପ୍ରଭାବକୁ ବ୍ୟବହାର କରିଥିଲେ । ଏବେ ସମସ୍ତଙ୍କ ନଜର ଶେଖ ହସିନାଙ୍କ ଉପରେ । ସେ ନିର୍ବାସନରୁ ଫେରି ପୁଣି ରାଜନୀତିରେ ପ୍ରଭାବ ରଖିପାରିବେ କି ନାହିଁ, ତାହା ଆଗାମୀ ସମୟ ହିଁ କହିବ ।

