ବଲାଙ୍ଗିର,୦୨/୦୮ (ମୁକେଶ ବହିଦାର) : ''ଚାଷକରି ଆଜି ମୁଁ ସାହୁକାର, ଆମ ବିଲରେ କେତେ ହଳିଆ ମୂଲିଆ କାମ କରନ୍ତି। ହେଲେ ନିଜେ ହଳିଆ ହୋଇ କାମ କରିବାର ଆନନ୍ଦ ଆଜି ମୁଁ ଅନୁଭବ କରିପାରୁଛି। ହଳିଆ ପୁଣି କାହାର ! ଯିଏ ସମଗ୍ର ଜଗତକୁ ଅନ୍ନ ଯୋଗାଉଛନ୍ତି ସେଇ କାଳିଆ ସାଆନ୍ତଙ୍କର ହଳିଆ। ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଭଜନ ଶୁଣି ଆସୁଥିଲି 'କାଳିଆରେ, କାଳିଆ !
ଏ ଜନମ ପରେ ଆର ଜନମକୁ କରିବୁ ମୋତେ ତୋ ଜମି ହଳିଆ'। ହେଲେ ସତସତ ଜଗାର ହଳିଆ ହୋଇ ଆଜି ମୋ ଜୀବନ ଧନ୍ୟ ହୋଇଛି। ଏକଥା କହିଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଗଇନ୍ତଳା ଗ୍ରାମର ଚାଷୀ ବୃନ୍ଦାବନ ପଟେଲ।
ପ୍ରଥମ ଥର ପାଇଁ ପୁରୀ ଶ୍ରୀ ମନ୍ଦିରକୁ ଯିବ ବଲାଙ୍ଗିର ଚାଉଳ । କୋଠଭୋଗରେ ଲାଗିହେବ "ଝିଲି" ଏବଂ "ଗୋବିନ୍ଦଭୋଗ" କିସମର ଚାଉଳ । ସେଥିପାଇଁ ଚଳିତ ବର୍ଷ 'ଅମୃତ ଅନ୍ନ' ଯୋଜନାରେ ବଲାଙ୍ଗିର ଜିଲ୍ଲାରେ ସ୍ୱତନ୍ତ୍ର ଧାନ ଏବଂ ମୁଗଡ଼ାଲି ଚାଷ ଆରମ୍ଭ ହୋଇଛି । ଧାନ ଅମଳ ପରେପରେ ପ୍ରାୟ ୨୦ହେକ୍ଟରରେ ହେବ ଝାଇଁ ମୁଗ । ଜିଲ୍ଲାର ୩ଟି ବ୍ଲକରେ ଚାଷୀ ଚଳି ପକାଇ ଧାନ ରୋଇବା ଆରମ୍ଭ କରିଛନ୍ତି । ବିନା ସାର, କୀଟନାଶକରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ଚାଷ କରାଯାଉଛି। ଯାହାପାଇଁ ଚାଷୀ ନିଜକୁ ସୌଭାଗ୍ୟବାନ ମନେ କରୁଥିବା ବେଳେ ଜିଲ୍ଲା କୃଷି ବିଭାଗ ମଧ୍ୟ ଏହାକୁ ଏକ ମିଶନ ଭାବେ ନେଇଛି ।
ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଯିବ ବଲାଙ୍ଗିର ଚାଉଳ
ଅଧିକ ପଢ଼ନ୍ତୁ: ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସୂଚନାଯୋଗ୍ୟ ଯେ, ବଡ଼ଠାକୁରଙ୍କ ନିମନ୍ତେ ଶୁଦ୍ଧ ଧାନ ଚାଷ ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ପ୍ରଥମେ ମୁରିବାହାଲ, ଆଗଲପୁର, ପାଟଣାଗଡ଼, ପୁଇଁତଳା ଚୂଳରେ କୈବିକ ଚାଷ କରୁଥିବା ଚାଷୀଙ୍କୁ ଚିହ୍ନଟ କରାଯାଇଥିଲା । ବିଭାଗୀୟ ଅଧିକାରୀ ସେମାନଙ୍କୁ ଏହି ଯୋଜନା ସମ୍ପର୍କରେ ବୁଝାଇବା ସହ ଚାଷ କେମିତି କରିବେ, ରୋଗପୋକ ନିୟନ୍ତ୍ରଣ କେମିତି ହେବ ଏବଂ ତାହାର ବିପଣନ ଆଦି ସମ୍ପର୍କରେ ବୁଝାଇଥିଲେ । ଚିହ୍ନଟ ହୋଇଥିବା ଜମିର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜମି ମାଲିକମାନଙ୍କୁ ଗତ ଜୁଲାଇ ମାସରେ ପ୍ରଥମେ ଧଣିଚା(ଧନିଆଁ) ଦିଆଯାଇଥିଲା । ହେକ୍ଟର ପ୍ରତି ୩କେଜି ହାଇରେ ତାଙ୍କୁ ବୁଣାଯାଇଥିଲା । ଧଣିବା ବିଲରେ ପଟି ଖତ ହେବାପରେ ହେକ୍ଟର ପିଛା ୫ଟ୍ରିପ ଗୋବର ଖତ ପକାଇ ସେଠାରେ ଧାନ ତଳି ପକାଯାଇଛି।
ମହାପ୍ରଭୁଙ୍କୁ ପାଇଁ ଚାଷ କରୁଛନ୍ତି ବଲାଙ୍ଗୀର ଚାଷୀ
ଆହୁରି ପଢ଼ନ୍ତୁ: Odisha Flood Updates: 'ମହାନଦୀରେ ଟଳିଲା ବନ୍ୟା ଆଶଙ୍କା'; କାହିଁକି ହେଲା ବନ୍ୟା କହିଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଚାଷୀମାନେ ବିଶେଷକରି ଅତି ସୁଗନ୍ଧିତ, ସ୍ୱଦ୍ଦିଷ୍ଟ ଏବଂ କ୍ଷୁଦ୍ର ଜାନାଯୁକ୍ତ "ଗୋବିନ୍ଦଭୋଗ" ଏବଂ ଦେଶୀ ଚାଉଳ "ଝିଲି" କିସମର ଧାନ ଫଳାଇଛନ୍ତି। ରୋଇବାର ୧୩୦ଦିନ ପରେ ଅର୍ଥାତ୍ ଡ଼ିସେମ୍ବର ବେଳକୁ ଅମଳ କରାଯିବ। ଅମଳ ଧାନ ଖୋଲାବକାର କିମ୍ବା ମଣ୍ଡିରେ ବିକ୍ରି କରଯିବ ନାହିଁ । ଏହାକୁ କିଣିବା ପାଇଁ କୃଷି ବିଭାଗ ପକ୍ଷରୁ ଗୋଟିଏ ଲେଖାଁ ସିବିଓ(କୃଷ୍ଟର ବେସ ଅର୍ଗାନାଇଜେସନ)କୁ ଦାୟିତ୍ବ ଦିଆଯାଇଛି। ସେମାନେ ଏହାକୁ ବିପଣନ କରି ଚାଷୀକୁ ସେହି ବାବଦକୁ ପ୍ରାପ୍ୟ ପ୍ରଦାନ କରିବେ । ତେବେ ଚାଷ ସମୟରେ ଚାଷ ଯଦି କୌଣସି ରୋଗପୋକ ଲାଗନ୍ତି, ତେବେ ସେହିସମୟରେ ଫସଲରେ କୌଣସି ପ୍ରକାର କୀଟନାଶକ ଦିଆଯିବ ନାହିଁ । ସେହିସମୟରେ କରା-ନିମ୍ବ ତେଲ, ବିଜାମୃତ ଆଦି ଦେବାକୁ କୁହାଯାଇଛି ।
ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧିରେନ୍ସିଂ ବରିହାଙ୍କ କହିବାନୁସାରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଯୋଜନାରେ ଚାଷ ଆରମ୍ଭ ହୋଇଛି। ଯେଉଁଚାଷୀ ଭକ୍ତିଭାବ ସହ ଜୈବିକ ଚାଷ କରୁଛନ୍ତି, ତାଙ୍କୁ ସାମିଲ କରାଯାଇଛି । ଏହି ଯୋଜନା ଆଗାମୀ ୫ବର୍ଷ ପାଇଁ ଚାଲିବ । ଧାନ ଅମଳ ପରେ ସିଧା ପୁରୀ ଶ୍ରୀ ମନ୍ଦିର ପାଇଁ ଯିବ ନାହିଁ । ଅମଳ ପରେ ଓ ସପୋଳା(ଓଡ଼ିଶା ଷ୍ଟେଟ ସିଡ ଆଣ୍ଡ ଅର୍ଗାନିକ ପ୍ରଡକ୍ଟ ସାର୍ଟିଫିକେସନ ଏଜେନ୍ସି ଜରିଆରେ ନମୂନା ସଂଗ୍ରହ କରି ଲ୍ୟାବ୍କୁ ପଠାଯିବ। ସେଠୁ ରିପୋର୍ଟ ସଠିକ ଆସିଲା ପରେ ତାହା ପୁରୀ ମନ୍ଦିରକୁ ଯିବ ବୋଲି କହିଛନ୍ତି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: 'ଯୁବବର୍ଗଙ୍କୁ ସୁସ୍ଥ ରଖି ଭବିଷ୍ୟତ ଓ ସ୍ୱପ୍ନ ସାକାର କରିବା'; ନିଶାମୁକ୍ତ ଯୁବକ ଭାରତ ସଂକଳ୍ପ ଅଭିଯାନରେ କହିଲେ ମୁଖ୍ୟମନ୍ତ୍ରୀ

