Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସିନ୍ଧୁ ଜଳ ସନ୍ଧି ନେଇ ଭାରତର ବଡ଼ ନିଷ୍ପତ୍ତି, କୋର୍ଟ ଅଫ୍ ଆର୍ବିଟ୍ରେସନର ରାୟକୁ କଲା ପ୍ରତ୍ୟାଖ୍ୟାନ

ସିନ୍ଧୁ ଜଳ ସନ୍ଧି ନେଇ ଭାରତର ବଡ଼ ନିଷ୍ପତ୍ତି, କୋର୍ଟ ଅଫ୍ ଆର୍ବିଟ୍ରେସନର ରାୟକୁ କଲା ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୩୧/୦୮: ସିନ୍ଧୁ ଜଳ ସନ୍ଧି (Indus Waters Treaty)କୁ ନେଇ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କୋର୍ଟ ଅଫ୍ ଆର୍ବିଟ୍ରେସନ୍ ପକ୍ଷରୁ ସିନ୍ଧୁ ଜଳ ସନ୍ଧିର ସ୍ଥିତି ଓ ଅନ୍ତରୀଣ ପଦକ୍ଷେପ ସମ୍ପର୍କିତ ଦିଆଯାଇଥିବା ସଦ୍ୟତମ ରାୟକୁ ଭାରତ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି। କେବଳ ରାୟକୁ ନୁହେଁ, ଏହି ଆର୍ବିଟ୍ରେସନ୍ ସଂସ୍ଥାର ଅଧିକାର କ୍ଷେତ୍ରକୁ ମଧ୍ୟ ଭାରତ ଅସ୍ୱୀକାର କରିଛି।

'ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ ଅଧିକାର ନାହିଁ'

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି ବାହ୍ୟ ସଂସ୍ଥାର ଅଧିକାର କ୍ଷେତ୍ର ନାହିଁ। ତେଣୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ର ଏହି ରାୟକୁ ଭାରତ ଗ୍ରହଣ କରିବ ନାହିଁ ବୋଲି କହିଛି। ସୋମବାର କୋର୍ଟ ଅଫ୍ ଆର୍ବିଟ୍ରେସନ୍ ପକ୍ଷରୁ ସିନ୍ଧୁ ଜଳ ସନ୍ଧିର ସ୍ଥିତି ଏବଂ ଅନ୍ତରୀଣ ପଦକ୍ଷେପ ସମ୍ପର୍କିତ ଏକ ନିଷ୍ପତ୍ତି ପ୍ରକାଶ କରାଯାଇଥିଲା।

ଅଧିକ ପଢ଼ନ୍ତୁ:ସମୁଦ୍ରର ଗଭୀରତାରେ ବଢ଼ିଲା ଭାରତର ଶକ୍ତି, ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନସ୍ ନିପୁଣ

କୋର୍ଟ ଗଠନକୁ ହିଁ ଭାରତର ଆପତ୍ତି:

ବୈଦେଶିକ ମନ୍ତ୍ରଣାଳୟ ନିଜ ବିବୃତ୍ତିରେ କହିଛି ଯେ, ଏହି କଥିତ କୋର୍ଟକୁ ୱାର୍ଲ୍ଡ ବ୍ୟାଙ୍କ ଦ୍ୱାରା ସନ୍ଧିର ସର୍ତ୍ତାବଳୀକୁ ଉଲ୍ଲଂଘନ କରି ଗଠନ କରାଯାଇଥିଲା। ଭାରତ କହିଛି ଯେ, ଏପରି ଭାବେ ଗଠିତ ସଂସ୍ଥାର ରାୟକୁ ଗ୍ରହଣ କରିବାର ପ୍ରଶ୍ନ ହିଁ ଉଠୁନାହିଁ। ପୂର୍ବରୁ ଏହି ସଂସ୍ଥା ଦେଇଥିବା ନିଷ୍ପତ୍ତିଗୁଡ଼ିକୁ ମଧ୍ୟ ଭାରତ ଗ୍ରହଣ କରିନଥିଲା।

'ଆର୍ବିଟ୍ରେଲ୍ ସଂସ୍ଥାର ଗଠନ ହିଁ ସନ୍ଧିର ଉଲ୍ଲଂଘନ':

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି ଯେ, ଆଇନଗତ ଦୃଷ୍ଟିରୁ ଭାରତ ଏହି ସଂସ୍ଥାର ଅସ୍ତିତ୍ୱକୁ କେବେ ବି ସ୍ୱୀକାର କରିନାହିଁ। ଭାରତର ମତ ହେଉଛି, ଏହି କଥିତ ଆର୍ବିଟ୍ରେଲ୍ ସଂସ୍ଥାର ଗଠନ ନିଜେ ସିନ୍ଧୁ ଜଳ ସନ୍ଧିର ଉଲ୍ଲଂଘନ। ଏହି କାରଣରୁ ଭାରତ କେବେ ବି ଏହି ସଂସ୍ଥା ସମ୍ମୁଖରେ ହାଜର ହୋଇନାହିଁ। ଏହା ପୂର୍ବରୁ ଦେଇଥିବା ରାୟଗୁଡ଼ିକୁ ମଧ୍ୟ ଭାରତ ଗୁରୁତ୍ୱ ଦେଇନଥିବା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ପାକିସ୍ତାନ ସହ ସିନ୍ଧୁ ଜଳ ବିବାଦରେ ନୂଆ ମୋଡ଼:

ସିନ୍ଧୁ ଜଳ ସନ୍ଧି ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବଣ୍ଟନ ସହ ଜଡ଼ିତ ଏକ ପ୍ରମୁଖ ଚୁକ୍ତି। ଏହି ସନ୍ଧିକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ଏବେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ର ରାୟକୁ ଭାରତ ଖାରଜ କରିବା ପରେ ଏହି ପ୍ରସଙ୍ଗ ଆହୁରି ଗୁରୁତ୍ୱ ବହନ କରିଛି। ଭାରତର ସ୍ପଷ୍ଟ ଆଭିମୁଖ୍ୟ ହେଉଛି, ଯେଉଁ ସଂସ୍ଥାର ଗଠନକୁ ଭାରତ ସନ୍ଧି ବିରୋଧୀ ବୋଲି ମନେ କରୁଛି, ସେହି ସଂସ୍ଥାର ରାୟକୁ ଭାରତ ମାନିବ ନାହିଁ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ରେଷ୍ଟୁରାଣ୍ଟ ପାଇଁ ଜୋମାଟୋ ଜାରି କଲା କଡ଼ା ନିୟମ; ପନିର ନାଁରେ ନକଲି ଚିଜ୍ ବିକ୍ରି ହେବ ବନ୍ଦ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia