Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
SIR ପାଇଁ ୧୦ବରିଷ୍ଠ IAS ଅଧିକାରୀ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ନିଯୁକ୍ତ

SIR ପାଇଁ ୧୦ବରିଷ୍ଠ IAS ଅଧିକାରୀ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ନିଯୁକ୍ତ

ଭୁବନେଶ୍ୱର,୩/୭ : ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର ୧୦ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' (Electoral Roll Observer) ଭାବେ ନିଯୁକ୍ତ କରାଯାଇଛି ।

ଏହି ସଂଶୋଧନ ପ୍ରକ୍ରିୟା ପାଇଁ ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି ।

ରାଜେଶ ପ୍ରଭାକର ପାଟିଲଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ପର୍ଯ୍ୟବେକ୍ଷକ, ଅରବିନ୍ଦ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ, ବଳବନ୍ତ ସିଂହଙ୍କୁ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବି. ପରମେଶ୍ୱରନଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଦେବଗଡ଼, ସମ୍ବଲପୁର, ବରଗଡ଼, ଡି. ପ୍ରସନ୍ନ କୁମାର ରେଡ୍ଡୀଙ୍କୁ ଗଞ୍ଜାମ, ଗଜପତି, ରାୟଗଡ଼ା, ସୁଧାଂଶୁ ମୋହନ ସାମଲଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ, ରଶ୍ମିତା ପଣ୍ଡାଙ୍କୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ୱର, ମହମ୍ମଦ ସାଦିକ ଆଲମଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

- SIR ପାଇଁ ୧୦ବରିଷ୍ଠ IAS ନିଯୁକ୍ତ

- ଅଧିକାରୀଙ୍କୁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' ଭାବେ ନିଯୁକ୍ତ

- ଦାୟିତ୍ବ ଦିଆଯାଇଥିବା ଜିଲ୍ଲାକୁ ଅତିକମରେ ୩ଥର ଗସ୍ତ କରିବେ

- ସାଂସଦ ଓ ବିଧାୟକଙ୍କୁ ନେଇ ବୈଠକ କରିବେ

- ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି୍କୁ ନେଇ ବୈଠକ କରିବେ

ଏହି ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ଦାୟିତ୍ୱ ଦିଆଯାଇଥିବା ନିଜ ନିଜ ଜିଲ୍ଲାକୁ ଅତିକମରେ ୩ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ପର୍ଯ୍ୟବେକ୍ଷକମାନେ କେବଳ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ନିଜର ଗସ୍ତକୁ ସୀମିତ ନ ରଖି, ବିଭିନ୍ନ ବିଧାନସଭା ମଣ୍ଡଳୀର ମତଦାନ କେନ୍ଦ୍ର ଗୁଡ଼ିକୁ ନିଜେ ପରିଦର୍ଶନ କରିବେ। ଗସ୍ତ ସମୟରେ ସେମାନେ ସେହି ଅଞ୍ଚଳର ସାଂସଦ ,ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ କରିବେ। ଏହି ବୈଠକରେ ସେମାନଙ୍କର ଅଭିଯୋଗ ଓ ସମସ୍ୟା ଶୁଣିବା ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସେମାନଙ୍କର ସକ୍ରିୟ ସହଯୋଗ ଲୋଡ଼ିବେ।

ଭୋଟର ତାଲିକା ସମ୍ବନ୍ଧୀୟ ଯେ କୌଣସି ସମସ୍ୟା ବା ଅଭିଯୋଗ ପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଯିବ। ପର୍ଯ୍ୟବେକ୍ଷକମାନଙ୍କର ଗସ୍ତ ସୂଚୀ, ଟେଲିଫୋନ/ମୋବାଇଲ୍ ନମ୍ବର ଇତ୍ୟାଦି ସମ୍ପୃକ୍ତ ଜିଲ୍ଲା ଗୁଡ଼ିକରେ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବ, ଯେପରି ସାଧାରଣ ଲୋକେ ସହଜରେ ଯୋଗାଯୋଗ କରିପାରିବାର ସୁଯୋଗ ପାଇବେ। ଯେଉଁ ବିଧାନସଭା ମଣ୍ଡଳୀଗୁଡ଼ିକରେ ଭୋଟରଙ୍କ ନାମ ବାଦ୍ ପଡ଼ିବା(Deletion) କିମ୍ବା ନୂଆ ନାମ ସଂଯୋଗ ହେବା (Addition)ର ହାର ଜିଲ୍ଲାର ହାରାହାରି ତୁଳନାରେ ୧% ରୁ ଅଧିକ ଥିବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଏହା ୩%ରୁ ଅଧିକ ଥିବ ସେଠାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଓ କାରଣକୁ ପର୍ଯ୍ୟବେକ୍ଷକମାନେ ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ଯାଞ୍ଚ କରିବେ। କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏକ ବିସ୍ତୃତ ରିପୋର୍ଟ ପଠାଇବେ। ଫଳରେ କେହି ଜଣେ ବି ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡିବେ ନାହିଁ ଓ ଅଯୋଗ୍ୟ ଭୋଟର ସାମିଲ ହେବେ ନାହିଁ ଏବଂ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛତାର ସହିତ ହେବ ତା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟର ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ଜୁଲାଇ ୫ତାରିଖରେ ପ୍ରକାଶ କରାଯିବ।

ଚିଠା ଭୋଟର ତାଲିକା ପ୍ରକାଶ ପାଇଲା ପରେ କୌଣସି ପ୍ରକାରର ଆପତ୍ତି କିମ୍ବା ଅଭିଯୋଗ ଥିଲେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ। ୫ ଜୁଲାଇ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ, ଫର୍ମ-୬ (Form 6)-ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ,ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେ କୌଣସି ପ୍ରକାରର ସଂଶୋଧନ କରିପାରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia