Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Sisupalgarh civilization : ସହରୀକରଣରେ ଶିଶୁପାଳଗଡ଼ରୁ ହଜିଯାଉଛି ୨୦୦୦ ବର୍ଷ ପ୍ରାଚୀନ ସଭ୍ୟତାର ସନ୍ତକ, କୋଠାବାଡ଼ି ତଳେ ସବୁ ଗାଏବ, ଶୋଇଛି ASI

Sisupalgarh civilization : ସହରୀକରଣରେ ଶିଶୁପାଳଗଡ଼ରୁ ହଜିଯାଉଛି ୨୦୦୦ ବର୍ଷ ପ୍ରାଚୀନ ସଭ୍ୟତାର ସନ୍ତକ, କୋଠାବାଡ଼ି ତଳେ ସବୁ ଗାଏବ, ଶୋଇଛି ASI

ଭୁବନେଶ୍ୱର, ୧/୮ : ଐତିହ୍ୟକ୍ଷେତ୍ର ଶିଶୁପାଳଗଡ଼ରୁ ଗୋଟିଏ ପରେ ଗୋଟିଏ ଅମୂଲ୍ୟ ନିଦର୍ଶନ ହଜିଯାଉଛି । ୨୦୦୦ ବର୍ଷ ପ୍ରାଚୀନ ସଭ୍ୟତାର ସନ୍ତକ ସହରୀକରଣରେ ଲୋପ ପାଇବାରେ ଲାଗିଛି । ଏହି ଅନ୍ଧ ସହରୀକରଣର ବିଷମ ପରିଣାମ ଭୋଗିଛି ଶିଶୁପାଳଗଡ଼ର ରାଣୀ ପୋଖରୀ । ଶିଶୁପାଳଗଡ଼ର ଦକ୍ଷିଣ ପଶ୍ଚିମ କୋଣରେ ଥିଲା ଐତିହାସିକ ରାଣୀପୋଖରୀ ।

ଦିନେ ରାଣୀ ହଂସପୁରର ଉନ୍ମୁକ୍ତ ଗବାକ୍ଷରୁ ଦିଶୁଥିଲା ଚଉତରାରେ ପରିବ୍ୟାପ୍ତ ଏହି ସୁଦୃଶ୍ୟ ଜଳାଶୟ । ସକାଳ ହେଲେ ମହାରାଣୀ ଅବଲୋକନ କରୁଥିଲେ ଜଳାଶୟର ଗର୍ଭରେ ହଂସରାଳିଙ୍କ ଜଳକ୍ରୀଡ଼ା । ପଦ୍ମ ଫୁଲ ଡଙ୍କରୁ ଝରି ପଡ଼ୁଥିଲା ମୁକ୍ତା ଭଳି ଶିଶିର ବିନ୍ଦୁର ସମାହାର । ସଖୀ ପୋଇଲିଙ୍କ ମେଳରେ ମହାରାଣୀ କୁଣ୍ଡର ସୁଶୀତଳ ଜଳରେ ସ୍ନାନ କରୁଥିଲେ । ମଗରମୁଖା ପ୍ରଣାଳୀ ପଟେ ବହି ଆସୁଥିଲା ଗନ୍ଧବତୀ ନଦୀର ସୁଗନ୍ଧିତ ଜଳ । ହେଲେ ଆଜି ଆମର ସମୃଦ୍ଧ ଇତିହାସର ଏହି ସ୍ମୃତି ଆଉ ବଞ୍ଚିରହିନାହିଁ । ପୋଖରୀ ଥିବା ସ୍ଥାନରେ ଦେଖିବାକୁ ମିଳୁଛି କୋଠାବାଡ଼ି, ରାସ୍ତା ଆଉ ପାଚେରି ।

ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ବି ବି ଲାଲ ୧୯୪୮ ମସିହାରେ ରାଣୀ ପୋଖରୀର ଅଂଶାବଶେଷ ଦେଖିବାକୁ ପାଇଥିଲେ । ଚାରିପଟେ ବଣଜଙ୍ଗଲ ମାଡ଼ି ଯାଇଥିଲେ ମଧ୍ୟ ପୋଖରୀରେ ପାଣି ଭର୍ତ୍ତି ରହିଥିଲା । ପାହାଚ, ମଗରମୁହାଁ ପ୍ରଣାଳୀ ପ୍ରାୟତଃ ଥିଲା । ଏହି ବର୍ଗାକାର ପୋଖରୀ ଲମ୍ବ ଓ ପ୍ରସ୍ଥ ୩୦ ମିଟର ଥିଲା । ଗଡ଼ ଭିତରେ ରାଣୀ ହଂସପୁର ନିକଟସ୍ଥ ଏହି ଜଳାଶୟଟି କେବଳ ରାଜଲଳନାଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିଲା । ରାଣୀ ହଂସପୁର ଠାରୁ ପାବଚ୍ଛ ଶ୍ରେଣୀ ଏହି ପୋଖରୀ ପର୍ଯ୍ୟନ୍ତ ଲମ୍ବିଥିଲା । ଗନ୍ଧବତୀ ନଦୀରୁ ପୋଖରୀରେ ଅନବରତ ସ୍ୱଚ୍ଛ ଜଳ ପ୍ରବାହ ପାଇଁ ଏକ ଜଳଯୋଗାଣ ଓ ନିଷ୍କାସନ ପ୍ରଣାଳୀ ଥିଲା । ପଶ୍ଚିମପଟେ ଥିବା ଗନ୍ଧବତୀ ନଦୀରୁ ଏହି ପ୍ରଣାଳୀ ପଟେ ଜଳ ପ୍ରବେଶ କରୁଥିଲା । ଦକ୍ଷିଣ ପଟେ ନିଷ୍ପାସନ ପ୍ରଣାଳୀରେ ପୁଷ୍ପରିଣୀର ଜଳ ଗଡ଼ଖାଇକୁ ଚାଲି ଯାଉଥିଲା । ପ୍ରଣାଳୀ ପଟେ ସରୀସୃପ କିମ୍ବା ଜୀବଜନ୍ତୁ ନ ପଶିବା ଲାଗି ପଥର ନିର୍ମିତ ମଗରମୁହାଁ ଜାଲି ରହିଥିଲା । ପୁଷ୍କରିଣୀର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିବା ଲାଗି ଜଳରେ ହଂସ ହଂସରାଳି ଛଡ଼ାଯାଇଥିଲା । କଇଁ ଓ ପଦ୍ମ ଫୁଲ ଫୁଟୁଥିଲା । ଏହି ନିଦର୍ଶନକୁ କିନ୍ତୁ କେହି ସଂରକ୍ଷିତ କରି ରଖି ପାରିଲେ ନାହିଁ । ୨୦୦୦ ମସିହା ପର୍ଯ୍ୟନ୍ତ ରାଣୀପୋଖରୀର ଅଂଶାବଶେଷ କିଛି ଦିଶୁଥିଲା । କିନ୍ତୁ ବିଗତ ୧୦ ବର୍ଷ ମଧ୍ୟରେ ପୋଖରୀ କଂକ୍ରିଟ ଆବରଣ ତଳେ ବିଲୀନ ହେବାରେ ଲାଗିଲା ।

ଆଜି ରାଣୀପୋଖରୀ କେଉଁଠି ତାହା ଖୋଦ ସଂରକ୍ଷଣ ଦାୟିତ୍ୱ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀଙ୍କୁ ବି ଜଣାନାହିଁ । କାହିଁକି ନା ବିଭାଗ ପକ୍ଷରୁ ରାଣୀପୋଖରୀ ସ୍ଥାନରେ ପୋତା ଯାଇଥିବା ଫଳକକୁ ଉପାଡ଼ି ଫୋପାଡ଼ି ଦେଲେ । ଯେଉଁଠି ରାଣୀପୋଖରୀ ଥିଲା ସେ ସ୍ଥାନକୁ ଖୋଜି ବାହାର କରିବାକୁ ଆମକୁ ୨ ଦିନ ଲାଗିଲା । ସେଠାରେ ପଡ଼ିଥିବା କିଛି ପୁରୁଣା ପଥରକୁ ଦେଖି ଏହା ରାଣୀପୋଖରୀ ବୋଲି ଚିହ୍ନଟ କରାଗଲା । ବର୍ତ୍ତମାନ ଶିଶୁପାଳଗଡ଼ରୁ ଜବରଦଖଲ ଉଚ୍ଛେଦ ପୁନରୁଦ୍ଧାର କରିବା ଲାଗି ପ୍ରୟାସ ଚାଲିଛି । କିନ୍ତୁ କୋଠାବାଡ଼ି ତଳେ ହଜିଯାଇଥିବା ରାଣୀପୋଖରୀ ଆଉ ମିଳିବା କାଠିକର ପାଠ ବ୍ୟାପାର । ଏ ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଏନ୍ କେ ସ୍ୱାଇଁଙ୍କୁ ଅବଗତ କରିବାରେ ସେ କହିଥିଲେ, ଗଣମାଧ୍ୟମକୁ କୌଣସି ସୂଚନା ନ ଦେବା ପାଇଁ ଉପରମହଲରୁ ନିର୍ଦ୍ଦେଶ ଆସିଛି । ତେଣୁ ଏ ବିଷୟରେ ମୁଁ କିଛି କହି ପାରିବି ନାହିଁ ।

ଆହୁରି ପଢନ୍ତୁ- Odisha Flood Updates : ବିଳମ୍ଵିତ ରାତିରେ ବିଏସଏଫ୍ କ୍ୟାମ୍ପକୁ ମାଡ଼ି ଆସିଲା ପାଣି, ବନ୍ୟା ପାଣିରେ ଫସିଗଲେ ଯବାନ

ଅଗଷ୍ଟ ୭ରେ ଘୂର୍ଣ୍ଣିବଳୟ ଆଶଙ୍କା, ୧୦ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia