ନୂଆଦିଲ୍ଲୀ,୨୮/୦୮: ଶ୍ରୀଲଙ୍କା ମାଟିରେ ଭାରତୀୟ ଦଳ ଆଉ ଏକ ଟେଷ୍ଟ ସିରିଜ ଜିତିଛି । କିନ୍ତୁ ସବୁ ପ୍ରଶଂସା ସାଉଁଟିଛି ଶ୍ରୀଲଙ୍କା ଦଳ । ପଥୁମ ନିଶଙ୍କା, କୁଶଲ ମେଣ୍ଡିସଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ସତ୍ତେ୍ୱ ଶ୍ରୀଲଙ୍କାର ଯୁବ ବ୍ୟାଟରମାନେ ଭାରତକୁ ସିରିଜ ମୂଳପୋଛ କରିବାକୁ ସୁଯୋଗ ଦେଇ ନଥିଲେ । ସୋନଲ ଦିନୁଶା, ପାସିନ୍ଦୁ ସୂରିୟାବନ୍ଦରା, କେଶରା ନୂୱାନ୍ଥାଙ୍କ ଭଳି ନବାଗତମାନେ ଭାରତ ବିପକ୍ଷରେ ସାହସିକ ପ୍ରଦର୍ଶନ କରି କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରି ଦେଇଥିଲେ ।
କୁମାର ସାଙ୍ଗାକାରାଙ୍କ ଅବସର ପରଠୁ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ତଥା ସନ୍ତୁଳିତ ଟେଷ୍ଟ ଦଳ ଗଢ଼ିପାରି ନଥିଲା । ଦିନୁଶା ଓ ସୂରିୟାବନ୍ଦରାଙ୍କ ଭଳି ଖେଳାଳିଙ୍କ ଆବିର୍ଭାବ ଶ୍ରୀଲଙ୍କା ଟେଷ୍ଟ ଦଳର ଶକ୍ତି ଦ୍ୱିଗୁଣା କରିଛି ।
ବିଶେଷ କରି ଦିନୁଶାଙ୍କ ପ୍ରଦର୍ଶନକୁ ଦୀର୍ଘ ଦିନ ଧରି ଦର୍ଶକ ମନେ ରଖିବେ । ଭାରତ ବିପକ୍ଷ ଏହି ଟେଷ୍ଟ ସିରିଜରେ ସେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି । ଦିନୁଶା ଟେଷ୍ଟ ଇତିହାସର ତୃତୀୟ ଖେଳାଳି ଭାବେ ନିଜ ଦଳର ଫଲୋଅନ ସତ୍ତେ୍ୱ ଉଭୟ ଇନିଂସରେ ଶତକ ଅର୍ଜନ କରିବାରେ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ତାଙ୍କ ପୂର୍ବରୁ ୧୯୪୮ରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ଭାରତ ଫଲୋଅନ ପାଇଥିଲେ ହେଁ ବିଜୟ ହଜାରେ ଉଭୟ ଇନିଂସରେ ଶତକ ଅର୍ଜନ କରିଥିଲେ । ୨୦୦୧ରେ ଜିମ୍ବାୱେର ଆଣ୍ଡି ଫ୍ଲାୱାର ଦକ୍ଷିଣ ଆଫ୍ରିକା ବିପକ୍ଷ ହାରାରେ ଟେଷ୍ଟର ଉଭୟ ଇନିଂସରେ ଶତକୀୟ ପାଳି ଖେଳିଥିଲେ । ଜିମ୍ବାୱେ ଉକ୍ତ ମ୍ୟାଚରେ ଫଲୋଅନ୍ ପାଇଥିଲା । ଶ୍ରୀଲଙ୍କାର ଅଷ୍ଟମ ବ୍ୟାଟର ଭାବେ ଦିନୁଶା ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ଅର୍ଜନ କରିଥିଲେ । ଏହା ତାଙ୍କ କ୍ୟାରିୟର୍ର ପଞ୍ଚମ ଟେଷ୍ଟ ରହିଥିଲା । ଦିନୁଶାଙ୍କ ପୂର୍ବରୁ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୮ଜଣ ବ୍ୟାଟର ମୋଟ୍ ୩ଟି ଲେଖାଏଁ ଶତକ ଅର୍ଜନ କରିବାର ରେକର୍ଡ ରହିଛି । ଶ୍ରୀଲଙ୍କାର ଅରବିନ୍ଦ ଡି ସିଲଭା ପୂର୍ବରୁ ୨ଥର ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୩ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି । ସେ ୧୯୯୮ରେ ଉଭୟ ଭାରତ ଓ ପାକିସ୍ତାନ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୩ଟି ଲେଖାଏଁ ଶତକ ଅର୍ଜନ କରିଥିଲେ ।

୨୦୧୩ରେ କୁମାର ସାଙ୍ଗାକାରା ବାଂଲାଦେଶ ବିପକ୍ଷ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୩ଟି ଶତକ ଅର୍ଜନ କରିଥିଲେ । ପ୍ରଥମ ଶ୍ରୀଲଙ୍କା ବ୍ୟାଟର ଭାବେ ବ୍ୟାଟିଂ କ୍ରମର ୬ନଂ ସ୍ଥାନ କିମ୍ବା ନିମ୍ନ ଭାଗରେ ବ୍ୟାଟିଂ କରି ଦିନୁଶା ଏକ ଟେଷ୍ଟ ସିରିଜରେ ୩ଟି ଶତକ ଅର୍ଜନ କରିଛନ୍ତି । ଟେଷ୍ଟ କ୍ରିକେଟ୍ ଇତିହାସରେ ଆଜି ପର୍ଯ୍ୟନ୍ତ କେବଳ ୬ଜଣ ବ୍ୟାଟର ଏଭଳି ସଫଳତା ଅର୍ଜନ କରିଛନ୍ତି । ଦିନୁଶା ୫ଟି ଟେଷ୍ଟ ଖେଳି ୬୦୬ ରନ ସଂଗ୍ରହ କରିସାରିଛନ୍ତି । ତାଙ୍କୁ ପୂର୍ବରୁ ଶ୍ରୀଲଙ୍କାର କାମିଣ୍ଡୁ ମେଣ୍ଡିସ କ୍ୟାରିୟର୍ର ପ୍ରଥମ ୫ଟି ଟେଷ୍ଟରେ ୬୩୧ ରନ ସଂଗ୍ରହ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ଫଲୋଅନ ପରେ ମ୍ୟାଚ୍ ଡ୍ର' ରଖିବାରେ ସଫଳ ହୋଇଥିଲା ।
ଏହା ବି ପଢନ୍ତୁ...Women's Asia Cup: ଆଜିଠୁ ଏସିଆ କପ୍ ଲଢେଇ...ଟିମ୍ ଇଣ୍ଡିଆ ସଡ୍ୟୁଲ୍ ସମେତ ୫ ବଡ଼ କଥା, ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ୍ ?
ଟେଷ୍ଟ ଇତିହାସରେ ଶ୍ରୀଲଙ୍କା ଚତୁର୍ଥ ଥର ପାଇଁ ଏଭଳି ସଫଳତା ଅର୍ଜନ କରିଥିଲା । ଶ୍ରୀଲଙ୍କା ବିପକ୍ଷରେ ଭାରତ ନବମ ଥର ପାଇଁ ଫଲୋଅନ ଦେଇଥିଲା । ହେଲେ ପ୍ରଥମ ଥର ପାଇଁ ମ୍ୟାଚ ଜିତିବାରେ ବିଫଳ ହୋଇଥିଲା । ଭାରତୀୟ ଦଳ ପୂର୍ବରୁ ୮ଟି ଫଲୋଅନ ମ୍ୟାଚ ଜିତିଥିଲା । ଶ୍ରୀଲଙ୍କା ଏହି ଟେଷ୍ଟରେ ଫଲୋଅନ ସତ୍ତେ୍ୱ ଉଭୟ ଇନିଂସରେ ମୋଟ୍ ୧୪୬୨ଟି ବଲ୍ ଖେଳିଥିଲା । ଫଲୋଅନ ଟେଷ୍ଟ ଇତିହାସରେ ଶ୍ରୀଲଙ୍କା ଦ୍ୱିତୀୟ ସର୍ବାଧିକ ବଲ୍ ଖେଳିବାରେ ରେକର୍ଡ କରିଥିଲା । ପୂର୍ବରୁ ୨୦୦୯ରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ନାପିୟର ଟେଷ୍ଟରେ ଭାରତୀୟ ଦଳ ଫଲୋଅନ୍ ପାଇଥିଲେ ହେଁ ମୋଟ୍ ୧୬୪୩ଟି ବଲ୍ ଖେଳିଥିଲା ।

