ମୁମ୍ୱାଇ : ୯୦ ଦଶକରେ ନିଜର ଦମଦାର ଶରୀର , ଆକ୍ସନ ଓ ମାଚୋ ଷ୍ଟାଇଲରେ ବଲିଉଡର 'ଅନ୍ନା' ଭାବେ ଜଣାଶୁଣା ସୁନିଲ ଶେଟ୍ଟୀ, ଆଜି ୬୫ ବର୍ଷରେ ପହଞ୍ଚି ସାରିଛନ୍ତି । ଏହି ବୟସରେ ବି ତାଙ୍କ ପାଖରେ କାମର କୌଣସି ଅଭାବ ନାହିଁ । ନିକଟରେ ସେ କମେଡି ଫିଲ୍ମ 'ୱେଲକମ୍ ଟୁ ଦ ଜଙ୍ଗଲ'ରେ ନଜର ଆସି ଥିଲେ ଏବଂ ଏବେ ଖବର ଆସିଛି ଯେ, ସେ ଟାଇଗର ଶ୍ରଫଙ୍କ ସହ ଏକ ଆକ୍ସନ ଫିଲ୍ମରେ ମଧ୍ୟ ନଜର ଆସି ପାରନ୍ତି।
କିନ୍ତୁ ପ୍ରଶ୍ନ ଏହା ଯେ, ଏତେ ବର୍ଷ ପରେ ମଧ୍ୟ ସୁନୀଲ ଶେଟ୍ଟୀ ଇଣ୍ଡଷ୍ଟ୍ରୀରେ ଏତେ ରିଲେଭେଣ୍ଟ କେମିତି ହୋଇ ରହିଛନ୍ତି , ଏହି ପ୍ରଶ୍ନର ଜବାବ ନିଜେ 'ଅନ୍ନା' ଦେଇଛନ୍ତି।
ସୁନୀଲ ଶେଟ୍ଟୀ ନିକଟରେ 'ଲିଙ୍କଡଇନ'ରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ, ସମୟ ସହ କାମକୁ ନେଇ ତାଙ୍କର ପ୍ରାଥମିକତା ବହୁତ ବଦଳି ଯାଇଛି। କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ମୁଖ୍ୟତଃ ଟଙ୍କା ପାଇଁ କାମ କରୁଥିଲେ, ଯାହାଦ୍ୱାରା ନିଜ ପରିବାରକୁ ଏକ ଆରାମଦାୟକ ଜୀବନ ଦେଇ ପାରିବେ। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ସେ ସେହି ପୁରୁଣା ଆର୍ଥିକ ଲକ୍ଷ୍ୟ ପଛରେ ଗୋଡ଼ାଉ ନାହାନ୍ତି । ଅର୍ଥାତ୍ ଯେଉଁ ଦୌଡ଼ରେ ଦିନେ ପରିବାରର ଭଲ ଜୀବନ ପାଇଁ ସାମିଲ ହେବା ଜରୁରୀ ଥିଲା, ଏବେ ସୁନୀଲ ସେହି ଦୌଡ଼ରୁ ଅନେକ ଆଗକୁ ବାହାରି ଆସିଛନ୍ତି ।
ତଥାପି ମିଳୁଛି ଭଲ କାମ, ତେବେ ରହସ୍ୟ କ'ଣ?
୬୫ ବର୍ଷ ବୟସରେ ବି ସୁନୀଲ ଶେଟ୍ଟୀ ଲଗାତାର ଭାବେ ଭଲ ପ୍ରୋଜେକ୍ଟରେ କାମ ପାଉଛନ୍ତି। ଏତେ ଲମ୍ବା କ୍ୟାରିୟର ପରେ ବି ସେ ଇଣ୍ଡଷ୍ଟ୍ରିରେ ନିଜକୁ କିପରି ବଜାୟ ରଖିଛନ୍ତି, ତାହାର ଉତ୍ତର ସେ ଖୁବ୍ ମଜାଳିଆ ଅନ୍ଦାଜରେ ଦେଇଛନ୍ତି। ସୁନୀଲ କହିଛନ୍ତି- ମୋତେ ଲାଗୁଛି ଏହାର କାରଣ ହେଉଛି ମୁଁ ସହଜରେ ଉପଲବ୍ଧ ହୁଏ ନାହିଁ । ମୁଁ ସବୁବେଳେ ଚେଷ୍ଟା କରିଛି ସେହି ଲୋକଙ୍କ ସହ କାମ କରିବାକୁ, ଯାହାଙ୍କ ସହ କାମ କଲେ ମୁଁ ଆଗକୁ ବଢ଼ି ପାରିବି ଏବଂ ଏପରି କିଛି କରି ପାରିବି, ଯାହାର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ।
ସୁନୀଲ ନିଜର ସକାରାତ୍ମକ ଚିନ୍ତାଧାରାକୁ ମଧ୍ୟ କାମ ମିଳିବାର ଅନ୍ୟତମ ବଡ଼ କାରଣ ବୋଲି କହିଛନ୍ତି । ସେ କହିଛନ୍ତି - ମୁଁ ଆଜି ବି ଏଥିପାଇଁ ଚୟନ ହୁଏ, କାରଣ ଜୀବନକୁ ନେଇ ମୋର ଦୃଷ୍ଟିକୋଣ ବହୁତ ପଜିଟିଭ୍। ମୁଁ ବହୁତ ସନ୍ତୁଷ୍ଟ, ଖୁସି ଏବଂ ସୁରକ୍ଷିତ ମନେକରେ, ଆଉ ପ୍ରକୃତରେ ଏହାହିଁ ମୋର ପରିଚୟ ।
ଏହା ବ୍ୟତୀତ ସୁନୀଲ ନିଜ ଜୀବନକୁ ନେଇ ସମ୍ପୂର୍ଣ୍ଣ ସଚ୍ଚୋଟ । ସେ ନିଜର ଭୁଲ୍ ଏବଂ ବିଫଳତାକୁ କେବେ ବି ଲୁଚାଇବାକୁ ଚେଷ୍ଟା କରି ନାହାନ୍ତି । ସୁନୀଲ ଶେଟ୍ଟୀଙ୍କ ଅନୁସାରେ, ନିଜ ବୟସକୁ ସହଜରେ ଗ୍ରହଣ କରିବା ତାଙ୍କ କ୍ୟାରିୟରକୁ ଦୀର୍ଘସ୍ଥାୟୀ କରିବାରେ ବହୁତ ସାହାଯ୍ୟ କରିଛି । କ୍ୟାମେରା ସାମ୍ନାରେ ହେଉ କି କ୍ୟାମେରା ପଛରେ, ସେ କେବେ ବି ନିଜ ବୟସକୁ ଲୁଚାଇବାକୁ ଚେଷ୍ଟା କରି ନାହାନ୍ତି ।
ସୁନୀଲ କହିଛନ୍ତି - ବୟସ ଅନୁସାରେ ରୋଲ୍ ସ୍ୱୀକାର କରିବା ହିଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିବାର ଏକମାତ୍ର କାରଣ । ମୋଠାରୁ ଅଧା ବୟସର ପିଲାମାନଙ୍କ ସହ ପ୍ରତିଯୋଗିତା କରିବାର କୌଣସି ଅର୍ଥ ନାହିଁ, ଯେଉଁମାନେ ମୋଠାରୁ ଅଧିକ ଭଲ ଦେଖା ଯାଉଛନ୍ତି, ଭଲ ବଡି ବନାଇ ପାରୁଛନ୍ତି ଏବଂ ନିଜ କାମରେ ମାହିର । ଅର୍ଥାତ୍ ସୁନୀଲ ଜାଣିଛନ୍ତି ଯେ ସମୟ ବଦଳି ଯାଇଛି । ଆଜି ତାଙ୍କ ସାମ୍ନାରେ ତାଙ୍କ ଅଧା ବୟସର ଆକ୍ଟର ଅଛନ୍ତି , କିନ୍ତୁ ସେ ସେମାନଙ୍କ ସହ ସେହିପରି ପ୍ରତିଯୋଗିତା କରିବା ପରିବର୍ତ୍ତେ ନିଜ ବୟସ ଓ ଅଭିଜ୍ଞତାକୁ ନିଜର ଶକ୍ତି ବନାଇବାକୁ ପସନ୍ଦ କରନ୍ତି ।
ସୁନୀଲ କେବଳ ଫିଲ୍ମି ଚରିତ୍ର ବିଷୟରେ କହି ନାହାନ୍ତି । ସେ କହିଛନ୍ତି ଯେ ଜୀବନରେ ମିଳୁଥିବା ପ୍ରତ୍ୟେକ ଭୂମିକାକୁ ସେ ସେହିପରି ଆପଣେଇଛନ୍ତି । ସ୍ୱାମୀ, ପୁଅ, ବାପା କିମ୍ବା ଜେଜେବାପା ଚରିତ୍ର ହେଉ, ସେ ଜୀବନର ପ୍ରତ୍ୟେକ ରୋଲକୁ ଖୋଲା ହୃଦୟରେ ଗ୍ରହଣ କରିଛନ୍ତି । ସମୟ ସହ ଶରୀରରେ ଆସିଥିବା ପରିବର୍ତ୍ତନକୁ ମଧ୍ୟ ସେ ହସି ହସି ସ୍ୱୀକାର କରିଛନ୍ତି ।
୬୫ ବର୍ଷ ବୟସରେ ବି 'ଅନ୍ନା'ଙ୍କ ଯାତ୍ରା ଜାରି-
ସୁନୀଲ ଶେଟ୍ଟୀଙ୍କ କ୍ୟାରିୟର ଏହି କଥାର ଉଦାହରଣ ଯେ, ବଲିଉଡ୍ରେ ଲମ୍ବା ଇନିଂସ ଖେଳିବା ପାଇଁ କେବଳ ଯୁବ ବୟସ କିମ୍ବା ଷ୍ଟାରଡମ୍ ଯଥେଷ୍ଟ ନୁହେଁ। ସମୟ ସହ ନିଜକୁ ବଦଳାଇବା, ନିଜ ବୟସକୁ ସ୍ୱୀକାର କରିବା ଏବଂ ସଠିକ୍ କାମ ବାଛିବା ମଧ୍ୟ ସେତିକି ଜରୁରୀ। ଆଜି ସେ ଏପରି ଏକ ପର୍ଯ୍ୟାୟରେ ଅଛନ୍ତି, ଯେଉଁଠାରେ ଦିନେ ତାଙ୍କ ପାଇଁ ଟଙ୍କା ସବୁଠାରୁ ବଡ଼ ଆବଶ୍ୟକତା ଥିଲା, କିନ୍ତୁ ଏବେ ସେ କାମର ଗୁଣବତ୍ତା, ନିଜର ଖୁସି ଏବଂ ପଜିଟିଭ୍ ଇମ୍ପାକ୍ଟକୁ ଅଧିକ ଗୁରୁତ୍ୱ ଦିଅନ୍ତି । ୯୦ ଦଶକର ଏହି ଆକ୍ସନ୍ ହିରୋ ଏବେ ୬୫ ବର୍ଷ ବୟସରେ ବି ପରଦାରେ ଆକ୍ଟିଭ୍ ଅଛନ୍ତି- ବସ୍ ଫରକ ଏତିକି ଯେ, ପୂର୍ବରୁ ସେ ନିଜ ଶକ୍ତି ପାଇଁ ଜଣାଶୁଣା ଥିଲେ, ଆଜି ନିଜର ସାଧୁତା, ଅଭିଜ୍ଞତା ଏବଂ ବୟସକୁ ସ୍ୱୀକାର କରିବାର ଅନ୍ଦାଜ ପାଇଁ ।
ଆହୁରି ମଧ୍ୟ ପଢନ୍ତୁ - ୨୦ ଫ୍ଲପ୍ ପରେ ଭାଙ୍ଗି ପଡ଼ିଥିଲା କ୍ୟାରିଅର, ବ୍ରେନ୍ ଷ୍ଟ୍ରୋକ୍ ପରେ ବଦଳାଇଲେ ଜୀବନଶୈଳୀ

