ଭୁବନେଶ୍ୱର, ୦୮/୦୪ : ବସ୍ଷ୍ଟାଣ୍ଡକୁ ବସ୍ ଆସିବାର ୧୦ ମିନିଟ ଆଗରୁ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲରୁମକୁ ନିର୍ଦ୍ଦେଶ ଯିବ । ଏନେଇ ଫାୟାରଷ୍ଟେସନ ଏବଂ ଖଣ୍ଡଗିରିରେ ଲାଗିଥାନ୍ତା ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟି ଫିକେସନ(ଆର୍ଏଫ୍ଆଇଡି) । ବସ୍ ବେ' ସ୍ୱୟଂ ଚାଳିତ ହୋଇଥାନ୍ତା । ଅତ୍ୟାଧୁନିକ ବସ୍ ଟର୍ମିନାଲର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଲାଗି ଦୁଇବର୍ଷ ବିତିଗଲାଣି ।
ଏହି ବ୍ୟବସ୍ଥା ନ ଥିବାରୁ ବସ୍ଷ୍ଟାଣ୍ଡ ବାହାରେ ଯାତ୍ରୀଙ୍କୁ ଛାଡ଼ି ବସ୍ ଛୁ ମାରୁଛି । ୨୦୦ କୋଟି ଟଙ୍କା ବ୍ୟୟର ନିର୍ମିତ ବିଏସ୍ଏବିଟି(ବାବା ସାହେବ ଆମ୍ବେଦକର ବସ୍ ଟର୍ମିନାଲ୍) ଯେଉଁ ଆଧୁନିକ ସେବା ଯୋଗାଇବ ବୋଲି ଲାଗି ଆଶା କରାଯାଉଥିଲା ତାହା ପୂର୍ଣ୍ଣ ହୋଇପାରୁନାହିଁ ।
ବରମୁଣ୍ଡା ବସ୍ ଟର୍ମିନାଲ ଏଆଇ ଦ୍ୱାରା ପରିଚାଳନା ହୋଇଥାନ୍ତା । ବସ୍ ବେ'ରେ ଗାଡ଼ି ୧୦ ମିନିଟ ଅଟକିଥାନ୍ତା । ପରବର୍ତ୍ତୀ ଗାଡ଼ି ରୁଟ୍ ଜାଣିବାକୁ ବସ୍ଷ୍ଟାଣ୍ଡର ଦୁଇଟି ପ୍ରବେଶ ପଥ ଖଣ୍ଡଗିରି ଓ ଫାୟାର ଷ୍ଟେସନରେ ଆର୍ଏଫ୍ଆଇଡି ଲଗାଇବାକୁ ଯୋଜନା ହୋଇଥିଲା । ଏପର୍ଯ୍ୟନ୍ତ ଲଗାଯାଇ ପାରିଲାନି । ଏହାର ଫାଇଦା ନେଉଛନ୍ତି ଘରୋଇ ବସ୍ । ବସ୍ ଟର୍ମିନାଲ ଭିତରକୁ ପଶୁନାହାନ୍ତି । ଯାତ୍ରୀମାନେ ଅଟୋରେ ଦୁଇ ଗୁଣା ଭଡ଼ା ଦେଇ ବସ୍ଷ୍ଟାଣ୍ଡକୁ ଯାଉଛନ୍ତି । ବସ୍ ଟର୍ମିନାଲ ସମ୍ପ୍ରସାରଣରେ ବାଧକ ସାଜିଛି ଘରୋଇ ସଂସ୍ଥା ଅଧୀନରେ ଥିବା ୩.୫ ଏକରର ଜମି । ଉକ୍ତ ଜାଗା ବଦଳରେ ବିଡିଏ ଯାଁଳା ନିକଟରେ ଥିବା ଘରୋଇ ସଂସ୍ଥାକୁ ୩ ଗୁଣା ଜାଗା ଦେଇଛି । ତଥାପି ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ପାରୁନି । ତେଣୁ ଆଇଡିଆଲ୍ ବସ୍ ପାର୍କିଂ ନିର୍ମାଣ ହୋଇ ପାରୁନି । ଭୁବନେଶ୍ୱର ଘରୋଇ ବସ୍ ମାଲିକ ସଂଘର ସଭାପତି ଉପେନ୍ଦ୍ର ପ୍ରଧାନ କହିଛନ୍ତି, ଏଥିପାଇଁ ବସ୍ ପରିଚାଳନା ପୂର୍ଣ୍ଣମାତ୍ରାରେ ହୋଇ ପାରୁନି । ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବସ୍ଗୁଡିକ ବସ୍ ଟର୍ମିନାଲ ଚାର୍ଜ ଫାଙ୍କିବାକୁ ଭିତରକୁ ଆସୁନାହାନ୍ତି ।
ଫେରାଇ ନେଲେ ୨ ପ୍ଲାଟୁନ୍ ଫୋର୍ସ
ବିଡିଏ ଅନୁରୋଧକ୍ରମେ କମିଶନରେଟ ପୁଲିସ ପକ୍ଷରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ହେଲେ ନିର୍ବାଚନ ପରେ ଏହି ଫୋର୍ସକୁ ଫେରାଇ ନିଆଗଲା । ଫଳରେ ଏବେ ବସ୍ ପରିଚାଳନା କରିବାରେ ଅସୁବିଧା ଉପୁଜୁଛି । ରାସ୍ତାରେ ଗାଡ଼ି ଅଟକିଲେ ଏହାକୁ ଏନ୍ଫୋର୍ସମେଣ୍ଟ ଟିମ୍ ଘଉଡ଼ାଉଥିଲା । ବର୍ତ୍ତମାନ ବସ୍ ଟର୍ମିନାଲ ଅସୁରକ୍ଷିତ ହୋଇପଡ଼ିଛି ।
ପରିସ୍ରାରେ ଭାସୁଛି ବସ୍ଷ୍ଟାଣ୍ଡ
ରକ୍ଷଣାବେକ୍ଷଣ ଅଭାବରୁ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡରେ ଦୁର୍ଦ୍ଦଶା ବଢ଼ିବାକୁ ଲାଗିଲାଣି । ପୁଣି ବସ୍ ଟର୍ମିନାଲ କଡ଼ରେ ପରିସ୍ରା ଦୁର୍ଗନ୍ଧ ଫାଟିପଡୁଛି । ଏନ୍ଫୋର୍ସମେଣ୍ଟ ଟିମ୍ ନ ଥିବାରୁ ଯିଏ ଟିକେ ଆଢ଼ୁଆଳ ଦେଖି ପରିସ୍ରା କରୁଛନ୍ତି । ଖଣ୍ଡଗିରି ପଟୁ ବରମୁଣ୍ଡା ଆସିବା ସର୍ଭିସ ରାସ୍ତାରେ କଡ଼ରେ ମଲା ପଶୁ ଫିଙ୍ଗା ଯାଉଛି । ଦୁର୍ଗନ୍ଧରେ ପୂରା ଅଞ୍ଚଳ ଫାଟି ପଡୁଛି । ବିଶ୍ୱାସ ହରାଉଛି ବିଶ୍ୱସ୍ତରୀୟ ବସ୍ଷ୍ଟାଣ୍ଡ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ୍ ପାଇଁ ବାହାର ରାଜ୍ୟର ସରକାରଙ୍କ ଲାଗି ଏହା ଉଦାହରଣ ସାଜିଥିଲା । ରକ୍ଷଣାବେକ୍ଷଣ ଅଭାବରୁ ମଳିନ ପଡିଗଲାଣି, ଫୁଲ ମଉଳି ଗଲାଣି । ଆଗରେ ସ୍ୱେରେଜ ପାଣି ଭାସୁଛି । ଟ୍ରାଫିକ ଭିଡ଼ରେ ଲୋକେ ଅଣନିଶ୍ୱାସୀ ହୋଇପଡୁଛନ୍ତି । ପୁଣି ସରକାର ଭିସା ସେଣ୍ଟର ଏବଂ ଆଇଟି ହବ୍ ଖୋଲି ଲେଣି । ଆଗକୁ ଆହୁରି ଲୋକଙ୍କ ଭିଡ଼ ବଢ଼ିବ । ନଚେତ୍ ସରକାର ସମାଲୋଚିତ ହେବେ ।
ଖୋଲିଲାନି ସ୍ଥାୟୀ ଫାଣ୍ଡି
ବସ୍ ଟର୍ମିନାଲ ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ବିଡିଏ ପକ୍ଷରୁ ଏଠାରେ ଏକ ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଏକ ସ୍ଥାୟୀ ଫାଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଫାଣ୍ଡି ପାଇଁ ଏପର୍ଯ୍ୟନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । କେବଳ ଥାନାରୁ ଦୁଇ ଜଣ କର୍ମଚାରୀ ଡ୍ୟୁଟି ହିସାବରେ ଆସୁଛନ୍ତି ଆଉ ଫେରି ଯାଉଛନ୍ତି ।
ଚିକିତ୍ସାଳୟରେ ତାଲା ଝୁଲୁଛି
ବସ୍ଷ୍ଟାଣ୍ଡ ଭିତରେ ଲୋକଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଏକ ପ୍ରାଥମିକ ଚିକିତ୍ସାଳୟ ଖୋଲିଥିଲା । ଏକ ଘରୋଇ ହସ୍ପିଟାଲକୁ ଏହି ଦାୟିତ୍ୱ ମିଳିଥିଲା । ହେଲେ ୮ ମାସ ହେଲା ଏହି ହସ୍ପିଟାଲରେ ତାଲା ଝୁଲୁଛି । ପ୍ରାଥମିକ ଚିକିତ୍ସା ପାଇଁ ଆସୁଥିବା ଲୋକେ ଫେରି ଯାଉଛନ୍ତି । ଅନେକ ଯାତ୍ରୀ ଉଦ୍ବେଗ ପ୍ରକାଶ କରୁଛନ୍ତି ।
ମେଡିଆନରେ ମଉଳି ଗଲାଣି ଫୁଲଗଛ
ବସ୍ଷ୍ଟାଣ୍ଡ ଭିତରେ ସୌନ୍ଦର୍ଯ୍ୟକରଣ ବୃକ୍ଷ ଲାଗିଥିଲା । ମୁଖ୍ୟ ପ୍ରବେଶ ଥିବା ମେଡିଆନ୍ରେ ଏସବୁ ଫୁଲ ଗଛ ଲଗାଯାଇଥିଲା । ଏବେ ସବୁ ମଉଳି ଗଲାଣି । ଗଛରେ ପାଣି ନ ଦିଆଯିବାରୁ ମରିବାକୁ ବସିଲାଣି । ଟର୍ମିନାଲ ଭିତରେ ଲାଗିଥିବା ଫୁଲ କୁଣ୍ଡରେ ପାନ ଛେପ ପକାଯାଉଛି । ରୋକିବାକୁ କେହି ନାହାନ୍ତି । ସିସିଟିଭିରେ ନଜର ରଖାଯାଉନାହିଁ । ଲୋକଙ୍କଠାରୁ ଜରିମାନା ଆଦାୟ ହେଉନାହିଁ ।

